Home Agriculture ଧାନରେ ଆଗୁଆ ଆଉ ସବୁଥିରେ ପଛୁଆ

ଧାନରେ ଆଗୁଆ ଆଉ ସବୁଥିରେ ପଛୁଆ

ଭୁବନେଶ୍ୱର : କୃଷି ପ୍ରଧାନ ରାଜ୍ୟ ଓଡିଶା ଚାଉଳ ଉତ୍ପାଦନକୁ ବାଦ୍‍ ଦେଲେ ଅନ୍ୟ ପ୍ରାୟ ସମସ୍ତ ପ୍ରମୁଖ କୃଷିଜାତ ସାମଗ୍ରୀ ଉତ୍ପାଦନରେ ପଛୁଆ । ତେଲ ଠାରୁ ଆରମ୍ଭ କରି ଡାଲି ପର୍ଯ୍ୟନ୍ତ ସବୁପାଇଁ ବର୍ଷ ସାରା ଅନ୍ୟ ରାଜ୍ୟଉପରେ ନିର୍ଭରଶୀଳ ।

ଚାଷୀଙ୍କ ଉତ୍ପାଦିତ ଧାନକୁ ସରକାର ଖରିଦ କରିବା ଓ ସହଜରେ ଅର୍ଥ ମିଳିଯାଉଥିବାରୁ ଚାଷୀମାନେ ଧାନ ଉତ୍ପାଦନ ଉପରେ ଗୁରୁତ୍ୱ ଦେଉଛନ୍ତି । ଫଳରେ ରାଜ୍ୟରେ ଚାଉଳ ଉତ୍ପାଦନ ପରିମାଣ ବଢିବାରେ ଲାଗିଛି । ୨୦୧୯-୨୦ ବର୍ଷରେ ରାଜ୍ୟରେ ୯୭.୫୫ ଲକ୍ଷ ମେଟ୍ରିକ ଟନ୍‍ ଚାଉଳ ଉତ୍ପାଦନ ହୋଇଥିବାବେଳେ ୨୦୨୦-୨୧ ବର୍ଷରେ ତାହା ପ୍ରାୟ ୧୧୦ ଲକ୍ଷ ଟନ୍‍ରେ ପହଞ୍ଚିଥିଲା ଏବଂ ୨୦୨୧-୨୨ ବର୍ଷରେ ତାହା ପ୍ରାୟ ୯୩ଲକ୍ଷ ଟନ୍‍କୁ ହ୍ରାସ ପାଇଥିଲା । ତେବେ ଏହି ବର୍ଷଗୁଡିକରେ ରାଜ୍ୟର ଚାହିଦା ତୁଳନାରେ ଢେର ଅଧିକ ପରିମାଣରେ ଚାଉଳ ଉତ୍ପାଦନ ହେଉଥିଲା ।

କିନ୍ତୁ ଡାଲି ଜାତୀୟ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ଆମେ ପଛରେ ପଡିଛୁ । ଚାହିଦା ତୁଳନାରେ କମ୍‍ ଡାଲି ଉତ୍ପାଦନ ହେଉଛି । ରାଜ୍ୟରେ ବାର୍ଷିକ ୧୨ଲକ୍ଷ ମେଟ୍ରିକ ଟନ୍‍ ରୁ ଅଧିକ ଡାଲିର ଚାହିଦା ଥିବାବେଳେ ଉତ୍ପାଦନ ପରିମାଣ ସାଢେ ୧୦ଲକ୍ଷ ଟନ୍‍ ଛୁଇଁ ପାରୁନାହିଁ । ତେବେ ଯଦିଓ ଚାହିଦା ଓ ଉତ୍ପାଦନ ମଧ୍ୟରେ ସେତେବଡ ଫରକ ନାହିଁ, ତଥାପି ହରଡ, ମସୁର, ବୁଟ ଆଦି ଡାଲି ପାଇଁ ଓଡିଶା ବର୍ଷସାରା ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ । ସେହିଭଳି ଓଡିଶାରୁ ଉତ୍ପାଦନ ହେଉଥିବା ମୁଗ, ବିରି, କୋଳଥ ଆଦି ଡାଲିର ଆବଶ୍ୟକ ପ୍ରକ୍ରିୟାକରଣ ବ୍ୟବସ୍ଥା ନଥିବାରୁ ତାହା ଉତ୍ପାଦନ ସମୟରେ ଅନ୍ୟ ରାଜ୍ୟକୁ ଯାଇ ସେଠାରେ ପ୍ରକ୍ରିୟାକରଣ ହୋଇ ଏଠାକୁ ଆସି ଚଢା ଦରରେ ବିକ୍ରି ହେଉଛି । ଚାହିଦା ଓ ଉତ୍ପାଦନ ମଧ୍ୟରେ ତାରତମ୍ୟ ବଢିବାରେ ଲାଗିଛି । ୨୦୧୯-୨୦ ବର୍ଷରେ ଓଡିଶାରେ ପ୍ରାୟ ୧.୮୦ଲକ୍ଷ କମ୍‍ ଡାଲି ଉତ୍ପାଦନ ହୋଇଥିବାବେଳେ ୨୦୨୧-୨୨ ବର୍ଷରେ ସେହି ପରିମାଣ ୨.୨୪ଲକ୍ଷ ମେଟ୍ରିକ ଟନ୍‍ ଥିଲା ।

ଡାଲି ଭଳି ଅବସ୍ଥା ତୈଳବୀଜ ଉତ୍ପାଦନ କ୍ଷେତ୍ରରେ । ଗୋଟିଏ ପଟେ ରାଜ୍ୟରେ ତୈଳବୀଜର ଚାହିଦା ବଢି ବଢି ଚାଲିଥିବାବେଳେ ଉତ୍ପାଦନ ତିନି ଭାଗେରୁ ବି ଭାଗେ ହେଉନାହିଁ । ୨୦୧୯-୨୦ ବର୍ଷରେ ରାଜ୍ୟରେ ୨୩.୪୧ଲକ୍ଷ ଟନ୍‍ ତୈଳବୀଜର ଆବଶ୍ୟକ ଥିବାବେଳେ ଉତ୍ପାଦନ ହୋଇଥିଲା ୫.୬୯ ଲକ୍ଷ ମେଟ୍ରିକ ଟନ୍‍ । ୨୦୨୦-୨୧ ରେ ଏହି ପରିମାଣ ଯଥାକ୍ରମେ ୨୩.୭୩ ଲକ୍ଷ ଟନ୍‍ ଓ ୪.୭୯ଲକ୍ଷ ଟନ୍‍ ଥିଲା । ୨୦୨୧-୨୨ ବର୍ଷରେ ତୈଳବୀଜର ଚାହିଦା ୨୪ଲକ୍ଷ ଟନ୍‍କୁ ଟପିଥିବାବେଳେ ଉତ୍ପାଦନ ପରିମାଣ ୫ଲକ୍ଷ ଟନ୍‍ରୁ ସାମାନ୍ୟ ଅଧିକ ରହିଥିଲା ।

ଓଡିଶାର ଜଳବାୟୁରେ ଡାଲି ଓ ତୈଳବୀଜ ଉତ୍ପାଦନର ପର୍ଯ୍ୟାପ୍ତ ସୁଯୋଗ ଥିଲେ ମଧ୍ୟ ଧାନ ଭଳି ତତ୍କାଳ ଅର୍ଥ ମିଳୁନଥିବାରୁ ଚାଷୀମାନେ ଏଥି ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି । ସେହିଭଳି ଯେତିକି ବି ଡାଲି ଓ ତୈଳବୀଜ ଉତ୍ପାଦନ ହେଉଛି ପ୍ରକ୍ରିୟାକରଣ ଶିଳ୍ପର ଅଭାବ ଯୋଗୁଁ ତାହା ରାଜ୍ୟ ବାହାରକୁ ଯାଉଛି ଏବଂ ସେଠାରୁ ପ୍ରକ୍ରିୟାକରଣ ହୋଇ ଓଡିଶା ବଜାରରେ ଚଢା ଦରରେ ବିକ୍ରି ହେଉଛି । ଫଳରେ ଓଡିଶା ଲୋକଙ୍କର କୋଟି କୋଟି ଟଙ୍କାକୁ ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ମୁନାଫା ଆକାରରେ ନେଇ ଯାଉଛନ୍ତି । (ତଥ୍ୟ)