ଭୁବନେଶ୍ୱର : ଦୁଇ ବର୍ଷ ଭିତରେ ଓଡିଶାରେ ଅବକାରୀ ରାଜସ୍ୱ ୫୨ ପ୍ରତିଶତରୁ ଅଧିକ ବଢିଥିବାବେଳେ ମଦ ବିକ୍ରିରୁ ମିଳୁଥିବା ଭାଟ୍ର ଅଭିବୃଦ୍ଧି ହାର କିନ୍ତୁ ୯୦ ପ୍ରତିଶତରୁ ଅଧିକ ।
୨୦୨୦-୨୧ ବର୍ଷରେ ଓଡିଶା ସରକାର ଅବକାରୀରୁ ୪୦୫୩ କୋଟି ୫୧ଲକ୍ଷ ଟଙ୍କାର ରାଜସ୍ୱ ସଂଗ୍ରହ କରିଥିବାବେଳେ ୨୦୨୨-୨୩ ବର୍ଷରେ ତାହା ୬୧୮୨ କୋଟି ୩୬ଲକ୍ଷ ଟଙ୍କାରେ ପହଞ୍ଚିଛି । ଅନ୍ୟ ପକ୍ଷରେ ସରକାରୀ ଲାଇସେନ୍ସପ୍ରାପ୍ତ ମଦଦୋକାନଗୁଡିକରେ ହୋଇଥିବା ମଦ କାରବାରରୁ ରାଜ୍ୟ ସରକାର ୨୦୨୦-୨୧ ବର୍ଷରେ ଭାଟ୍ ଆକାରରେ ୧୩୪୬ କୋଟି ୭୧ଲକ୍ଷ ଟଙ୍କାର ଟିକସ ପାଇଥିବାବେଳେ ତାହା ବଢି ବଢି ୨୦୨୨-୨୩ ବର୍ଷରେ ୨୫୮୫ କୋଟି ଟଙ୍କାରେ ପହଞ୍ଚିଥିବା ଜଣାପଡିଛି ।
ଅବକାରୀ ରାଜସ୍ୱ ଓ ମଦରୁ ମିଳୁଥିବା ଭାଟ୍କୁ ମିଶାଇ ଓଡିଶା ସରକାର ୨୦୨୦-୨୧ ବର୍ଷରେ ୫୪୦୦ କୋଟି ୨୨ଲକ୍ଷ ଟଙ୍କା ସଂଗ୍ରହ କରିଥିବାବେଳେ ୨୦୨୧-୨୨ ବର୍ଷରେ ତାହା ୭୬୨୮ କୋଟି ୪୦ଲକ୍ଷ ଟଙ୍କାରେ ପହଞ୍ଚିଥିଲା । ଗତ ଆର୍ଥିକ ବର୍ଷରେ ଏ ବାବଦରେ ରାଜ୍ୟ ରାଜକୋଷକୁ ୮୭୬୭କୋଟି ୩୬ଲକ୍ଷ ଟଙ୍କା ମିଳିଥିବାବେଳେ ଏହି ଧାରା ଅବ୍ୟାହତ ରହିଲେ ୨୦୨୪-୨୫ ବର୍ଷ ବେଳକୁ ଏ ବାବଦରେ ସରକାରଙ୍କ ଆୟ ପରିମାଣ ୧୦ହଜାର କୋଟି ଟଙ୍କାକୁ ଟପିଯାଇପାରେ ।
ଏଠାରେ ଉଲ୍ଲେଖନୀୟ ଯେ ୧୯୯୦ ବେଳକୁ ଓଡିଶାର ଅବକାରୀ ରାଜସ୍ୱ ପରିମାଣ ୩୬କୋଟି ଟଙ୍କାରୁ କମ୍ ଥିବାବେଳେ ୨୦୦୦-୦୧ ରେ ତାହା ୧୩୫କୋଟି ୩୫ଲକ୍ଷ ଟଙ୍କା ଥିଲା । ତେବେ ୨୦୧୦-୧୧ ରେ ଓଡିଶାର ଅବକାରୀ ରାଜସ୍ୱ ପରିମାଣ ୧୦୯୪ କୋଟି ଟଙ୍କା ହୋଇଥିବାବେଳେ ୨୦୧୭-୧୮ ରେ ଏହା ୩୨୨୧ କୋଟି ଓ ୨୦୧୯-୨୦ ରେ ୪୪୯୫ କୋଟିକୁ ଟପିଥିଲା ।
ମୋଟାମୋଟି ଭାବେ ୨୨ବର୍ଷ ମଧ୍ୟରେ ଓଡିଶାର ଅବକାରୀ ରାଜସ୍ୱ କ୍ଷେତ୍ରରେ ଅଭିବୃଦ୍ଧି ଅନ୍ୟୁନ ୪୫ଗୁଣ ବଢିଛି । ଜାତୀୟ ହାର ସହ ତାଳଦେଇ ଓଡିଶାରେ ନିଶାଡିଙ୍କ ସଂଖ୍ୟା ବୃଦ୍ଧି ପାଇବା ସଂଗେ ସଂଗେ ମଦ ଓ ଅନ୍ୟାନ୍ୟ ନିଶା ସାମଗ୍ରୀର ବ୍ୟବହାର ବି ବଢୁଛି । ଅବସରପ୍ରାପ୍ତ ଅବକାରୀ ଅଧିକାରୀ ଓ ମଦମୁକ୍ତି ଅଭିଯାନ ସହ ଜଡିତ ସ୍ୱେଚ୍ଛାସେବୀମାନେ କହୁଛନ୍ତି ଯେ ସରକାରଙ୍କ ଜ୍ଞାତସାରରେ ବାର୍ଷିକ ପ୍ରାୟ ୨୦କୋଟି ଲିଟର ଦେଶୀ, ବିଦେଶୀ, ବିୟର ଓ ମହୁଲି ମଦ ବିକ୍ରୟ ହେଉଥିବାବେଳେ ଚୋରା ମଦର ପରିମାଣ କିନ୍ତୁ ଏହାଠାରୁ ଢେର ଅଧିକ ହୋଇପାରେ । ଏମିତିକି ନାମୀ ଦାମୀ ମଦ କମ୍ପାନୀର ବ୍ରାଣ୍ଡ୍କୁ ନକଲିକରି ବିଭିନ୍ନ ସ୍ଥାନରେ ଶସ୍ତାରେ ମଦ ଚୋରା ବଜାରରେ ପ୍ରସ୍ତୁତ ହୋଇ ବଜାରରେ ମିଳୁଛି ।
ଏହାକୁ ସମ୍ପୂର୍ଣ୍ଣ ଭାବେ ରୋକଯାଇ ପାରିଲେ ଅବକାରୀ ଓ ଭାଟ୍ରୁ ଏବେ ଯେତିକି ରାଜସ୍ୱ ମିଳୁଛି ତାହାର ପରିମାଣ ୩/୪ଗୁଣ ବଢିପାରେ ବୋଲି ଏମାନେ ଆକଳନ କରୁଛନ୍ତି । ଏହାଛଡା ନିଶା ଆକାରରେ କଫ୍ସିରପ ସମେତ ବହୁ ରସାୟନିକ ପଦାର୍ଥ ମଧ୍ୟ ବେଆଇନ୍ ଭାବେ ବ୍ୟବହୃତ ହେଉଛି । ଗଞ୍ଜେଇ, ବ୍ରାଉନସୁଗାର,କୋକିନ୍, ଚରସ, ହେରୋଇନ୍, ଅଫିମ ଆଦିର କଳାବଜାର ବି ବଢି ବଢି ଚାଲିଛି ।
ସରକାରଙ୍କ ପକ୍ଷରୁ କୁହାଯାଉଛି ଯେ ମଦର ବ୍ୟବହାର ଓ ବିକ୍ରି ବୃଦ୍ଧି କରିବା ସରକାରଙ୍କର ଉଦ୍ଦେଶ୍ୟ ନୁହେଁ, ବରଂ ମଦ୍ୟପାନରେ ଅଭ୍ୟସ୍ତ ଖାଉଟିମାନଙ୍କୁ ଉତ୍ତମ ଓ ବିଶୁଦ୍ଧ ମଦ ସରକାର ଅବକାରୀ ଓ ଆଇନ୍ ଓ ନୀତି ଆଧାରରେ ଯୋଗାଇ ଦେଇଥାନ୍ତି । ତେବେ ଖାଉଟିସୁରକ୍ଷା ଆଇନ୍ ଆଧାରରେ କେତେ ହିତାଧିକାରୀ ଅଛନ୍ତି ତାହାର ନିର୍ଦ୍ଦିଷ୍ଟ ପରିସଂଖ୍ୟାନ ସରକାରଙ୍କ ନିକଟରେ ଥିଲେ ମଧ୍ୟ ରାଜ୍ୟରେ କେତେ ନିଶାଡି ଅଛନ୍ତି ଏବଂ କେଉଁମାନେ କେଉଁ କିସମର ନିଶା ବ୍ୟବହାର କରୁଛନ୍ତି ସେ ସଂକ୍ରାନ୍ତରେ କିନ୍ତୁ ସରକାରଙ୍କ ନିକଟରେ ସୂଚନା ନାହିଁ । (ତଥ୍ୟ)