ଭୁବନେଶ୍ୱର : ଓଡିଶାରେ ଗତ ଆର୍ଥିକ ବର୍ଷରେ ପ୍ରାୟ ୫୬ହଜାର ଚୋରା ନିଶା କାରବାର ଘଟଣା ଅବକାରୀ ବିଭାଗର ଦୃଷ୍ଟିକୁ ଆସିଥିବାବେଳେ ଏ ପ୍ରସଙ୍ଗରେ ପାଖପାଖି ୪୫ହଜାର ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
ଅବକାରୀ ମାମଲାରେ ୨୦୧୭-୧୮ବର୍ଷରେ ୧୮,୨୧୬ଜଣ ଗିରଫ ହୋଇଥିବାବେଳେ ଏହି ସଂଖ୍ୟା ୨୦୧୯-୨୦ବର୍ଷରେ ୨୦,୮୬୩ ଥିଲା । ତେବେ ୨୦୨୧-୨୨ ବର୍ଷରେ ଚୋରା ନିଶା କାରବାର ଅଭିଯୋଗରେ ୩୪,୪୬୬ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଗତ ଆର୍ଥିକବର୍ଷରେ କିନ୍ତୁ ଏହି ସଂଖ୍ୟା ୪୫ହଜାରକୁ ଟପିଛି ।
ଏଠାରେ ଉଲ୍ଲେଖନୀୟ ଯେ ୨୦୧୭-୧୮ବର୍ଷରେ ଅବକାରୀ ବିଭାଗର ନଜରକୁ ୨୧,୫୯୯ ଚୋରା ନିଶା କାରବାର ଘଟଣା ଆସିଥିଲା । ଏହି ସଂଖ୍ୟା ବୃଦ୍ଧି ପାଇ ୨୦୨୧-୨୨ ବର୍ଷରେ ୪୧,୬୭୨ ଥିବାବେଳେ ଗତବର୍ଷ ପ୍ରାୟ ୫୬ହଜାର ଅବକାରୀ ମାମଲା ଧରାପଡିଛି ।
ବର୍ଷକୁ ବର୍ଷ ଜବତ ହେଉଥିବା ଚୋରା ନିଶା ସାମଗ୍ରୀର ପରିମାଣ ବଢୁଥିବାବେଳେ ରାଜ୍ୟରେ ନିଶାଡିଙ୍କ ସଂଖ୍ୟା ବି ଉଦବେଗଜନକ ଭାବେ ବଢୁଛି । ‘ଡିମାଣ୍ଡ-ସପ୍ଲାଇ’ ତତ୍ୱ ଅବକାରୀ ବିଭାଗ ଆପଣେଇ ବର୍ଷକୁ ବର୍ଷ ଅଧିକରୁ ଅଧିକ ନିଶା ସାମଗ୍ରୀ କିଭଳି ନିଶାଡିମାନଙ୍କ ନିକଟରେ ପହଞ୍ଚିବ ସେଥିଘେନି ବ୍ୟବସ୍ଥା କରିବା ସଂଗେ ସଂଗେ ଅବକାରୀ ରାଜସ୍ୱ ମଧ୍ୟ ବଢାଇ ଚାଲିଛି ।
୨୦୦୦ ମସିହା ବେଳକୁ ଓଡିଶାର ଅବକାରୀ ରାଜସ୍ୱ ପରିମାଣ ୧୫୦ କୋଟି ଟଙ୍କାରୁ କମ୍ ଥିବାବେଳେ ଏହା ବଢି ବଢି ୨୦୧୭-୧୮ବେଳକୁ ୩ହଜାର କୋଟି ଟଙ୍କାକୁ ଟପିଥିଲା । ୨୦୨୧-୨୨ବର୍ଷରେ ଓଡିଶାର ଅବକାରୀ ରାଜସ୍ୱ ପରିମାଣ ୫୫୨୮ କୋଟି ଟଙ୍କା ରେକର୍ଡ କରାଯାଇଥିବାବେଳେ ଗତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଅବକାରୀରୁ ୬୫୦୦ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଥିଲେ । ଚଳିତ ଆର୍ଥିକ ବର୍ଷରେ ଏହି ପରିମାଣ ଅଧିକ ବଢାଇବାପାଇଁ ଲାଇସେନ୍ସପ୍ରାପ୍ତ ମଦଦୋକାନୀମାନଙ୍କ ମିନିମମ୍ ଗ୍ୟାରେଣ୍ଟି କୋଟା ବୃଦ୍ଧି କରାଯାଇଛି ।
ବରିଷ୍ଠ ପୁଲିସ୍ ଅଧିକାରୀମାନେ ସ୍ୱୀକାର କରୁଛନ୍ତି ଯେ ବିଭିନ୍ନ କିସମର ନିଶା ସାମଗ୍ରୀର ବ୍ୟବହାର ବଢିବା ସହ ତାଳଦେଇ ଅପରାଧ ମଧ୍ୟ ବଢୁଛି । ସେହିଭଳି ଡାକ୍ତରମାନେ ସ୍ୱୀକାର କରୁଛନ୍ତି ଯେ ନିଶା ସେବନ ବଢିବା ସହିତ ରୋଗ ବ୍ୟାଧି ବଢୁଛି । ଅର୍ଥନୀତିଜ୍ଞମାନେ ମଧ୍ୟ କହୁଛନ୍ତି ଯେ ନିଶାକୁ ନିୟନ୍ତ୍ରଣ କରାଯାଇ ପାରିଲେ ରାଜ୍ୟର ଆଖିଦୃଶିଆ ଆର୍ଥିକ ବିକାଶ ହୋଇପାରିବ ।
ଗତ ଆର୍ଥିକ ବର୍ଷରେ ଓଡିଶାରେ ୩୬୫ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ, ୩କିଲୋରୁ ଅଧିକ ଅଫିମ, ପାଖପାଖି ୩କୁଇଣ୍ଟାଲର ବ୍ରାଉନସୁଗାର ଜବତ କରାଯାଇଥିଲା । ଏହାଛଡା ୧୮ଲକ୍ଷ ଲିଟର ଦେଶୀମଦ ଏବଂ ବହୁ ପରିମାଣର ନକଲି ବିଦେଶୀ ତିଆରି ମଦ, ଚୋରାମଦ ତିଆରି ସାମଗ୍ରୀମାନ ଜବତ ହୋଇଥିଲା । ଓଡିଶାରେ ଉତ୍ପାଦିତ ଗଞ୍ଜେଇ ମଧ୍ୟ ବିଭିନ୍ନ ରାଜ୍ୟରେ ଧରାପଡୁଛି । ନିକଟରେ ସିଙ୍ଗାପୁରରେ ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ କିଲେ ଗଞ୍ଜେଇ ଚାଲାଣରେ ସହଯୋଗ କରିଥିବା ଦର୍ଶାଇ ଫାଶୀଦଣ୍ଡରେ ଦଣ୍ଡିତ କରାଯାଇଥିବାବେଳେ ଓଡିଶାରେ ଅବକାରୀ ମାମଲାରେ ଦଣ୍ଡବିଧାନ ହାର ୧୦ ପ୍ରତିଶତରୁ କମ୍ ରହୁଛି । (ତଥ୍ୟ)