ଭୁବନେଶ୍ୱର : ବାଲେଶ୍ୱର ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ଶବ ଚିହ୍ନଟ ଚାଲିଥିବାବେଳେ ଆଜି ଯାଜପୁରରୋଡ ଷ୍ଟେସନ ଠାରେ ଆଉ ଛଅ ଜଣ ଶ୍ରମିକ ଟ୍ରେନରେ କଟି ମୃତ୍ୟୁବରଣ କରିଛନ୍ତି । ତେବେ ଏହି ଶ୍ରମିକମାନେ ଝଡବର୍ଷାରୁ ରକ୍ଷା ପାଇବାପାଇଁ ଗୋଟିଏ ଇଞ୍ଜିନବୀହିନ ରେଳଡବା ତରେ ଆଶ୍ରୟ ନେଇଥିବାବେଳେ ଏଭଳି ଦୁଃଖଦାୟକ ଘଟଣା ଘଟିଛି ।
ଶ୍ରମିକମାନେ ରେଳ ଲାଇନ୍ରେ କାର୍ଯ୍ୟ କରୁଥିବାବେଳେ ହଠାତ୍ ଝଡବର୍ଷା ଆସିଥିଲା । ଶ୍ରମିକମାନେ ବର୍ଷା ମାଡରୁ ରକ୍ଷା ପାଇବାପାଇଁ ନିକଟରେ ଥିବା ରେଳଡବା ତଳକୁ ପଳାଇ ଯାଇଥିଲେ । ଏହି ରେଳଡବାଗୁଡିକ ଦୀର୍ଘଦିନ ଧରି ସେଠାରେ ଛିଡାହୋଇ ରହିଥିଲା ।
ତେବେ ଶ୍ରମିକମାନେ ରେଳଡବା ତଳେ ବସିଥିବାବେଳେ କୌଣସି କାରଣରୁ ହଠାତ ବଗିଗୁଡିକ ଗଡିବା ଆରମ୍ଭ କରିଥିଲା । ଫଳରେ ଏହା ତଳେ ଥିବା ଶ୍ରମିକମାନେ ଚାପିହୋଇ ହୋଇ ମୃତ୍ୟୁବରଣ କରିଥିଲେ ।
ଏଭଳି ମୃତ୍ୟୁକୁ ନେଇ ରେଳବାଇ ତଦନ୍ତ ଆରମ୍ଭ କରିଥିବାବେଳେ ଓଡିଶା ସରକାର ଦୁଃଖ ପ୍ରକାଶ କରିବା ସହିତ ତତ୍କାଳ ସହାୟତା ଘୋଷଣା କରିଛନ୍ତି । ପ୍ରତି ମୃତ ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ଲକ୍ଷ ଟଙ୍କାର ସହାୟତା ଦେବାକୁ ଘୋଷଣା କରିଛନ୍ତି ।