Home Health ରକ୍ତ ଭଣ୍ଡାର ସ୍ଥିତି ସୁଧୁରିଲା

ରକ୍ତ ଭଣ୍ଡାର ସ୍ଥିତି ସୁଧୁରିଲା

ଭୁବନେଶ୍ୱର : ବାଲେଶ୍ୱର ରେଳ ଦୁର୍ଘଟଣାରେ ଆହତ ଚିକିତ୍ସାଲାଗି ଲୋକେ ସ୍ୱତଃସ୍ପୁର୍ତ୍ତ ଭାବେ ରକ୍ତଦାନ ପାଇଁ ଆଗେଇ ଆସିବାରୁ ଏବେ ତିରୋଟ ସମୟରେ ରକ୍ତଭଣ୍ଡାର ସ୍ଥିତି ସୁଧୁରିବାରେ ଲାଗିଛି । ଖୋଦ କ୍ୟାପିଟାଲ ହସ୍ପିଟାଲରେ ଥିବା ରକ୍ତଭଣ୍ଡାରରେ ତିନି ଦିନରେ ୮୦୦ ୟୁନିଟ୍‍ ରକ୍ତ ପହଞ୍ଚିଛି ।

ଜାରି ରହିଥିବା ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ରକ୍ତଦାନ ଧିମେଇ ଯାଇଥିବାରୁ ରାଜ୍ୟର ପ୍ରମୁଖ ରକ୍ତଭଣ୍ଡାରଗୁଡିକରେ ରକ୍ତ ସଙ୍କଟ ପରିଲକ୍ଷିତ ହୋଇଥିଲା । ଅବସ୍ଥା ଏଭଳି ହୋଇଥିଲା ଯେ ଥାଲାସେମିଆ ଆକ୍ରାନ୍ତଙ୍କୁ ମଧ୍ୟ ରକ୍ତ ଯୋଗାଇବାରେ ସମସ୍ୟା ଉପୁଜିଥିଲା । କ୍ୟାପିଟାଲ ହସ୍ପିଟାଲରୁ ଦୈନିକ ୨୦ ରୁ ୨୫ଜଣ ଥାଲାସେମିଆ ଆକ୍ରାନ୍ତ ଶିଶୁ ରକ୍ତ ପାଉଥିବାବେଳେ ଖରାଦିନେ ରକ୍ତ ଅଭାବ ଯୋଗୁଁ ମାତ୍ର ୪/୫ ଜଣଙ୍କୁ ବହୁ କଷ୍ଟରେ ରକ୍ତ ଦିଆଯାଉଥିଲା । ଏପରିକି ହିମୋଗ୍ଲୋବିନ ସ୍ତର ୩ ରୁ ୪ ଖସୁଥିବା ଶିଶୁଙ୍କୁ ଅଗ୍ରାଧିକାର ଦିଆଯାଉଥିଲା ।

ତେବେ ବାଲେଶ୍ୱରରେ ମର୍ମନ୍ତୁଦ ରେଳ ଦୁର୍ଘଟଣା ପରେ ସ୍ଥିତି ବଦଳି ଯାଇଛି । ବାଲେଶ୍ୱରରୁ ଭୁବନେଶ୍ୱର ପର୍ଯ୍ୟନ୍ତ ରକ୍ତଦାନ ପାଇଁ ଶହ ଶହ ଲୋକେ ଆଗେଇ ଆସିବା ସହିତ ଧାଡିରେ ଛିଡାହୋଇ ରକ୍ତ ଦେବା ଫଳରେ ରକ୍ତଭଣ୍ଡାରରେ ଏବେ ରକ୍ତ ଭର୍ତ୍ତି ହେବାରେ ଲାଗିଛି । ମାତ୍ର ତିନି ଦିନରେ କ୍ୟାପିଟାଲ ରକ୍ତଭଣ୍ଡାରରେ ୮୦୦ ୟୁନିଟ୍‍ ରକ୍ତ ଆସି ପହଞ୍ଚିବା ପରେ ଗଚ୍ଛିତ ରକ୍ତ ୟୁନିଟ୍‍ ସଂଖ୍ୟା ୯୦୦ ଅତିକ୍ରମ କରିଛି ।

ତେଣୁ ଏବେ ଥାଲାସେମିଆ ଆକ୍ରାନ୍ତଙ୍କୁ ପୂର୍ବଭଳି ଚାହିଦା ମୁତାବକ ରକ୍ତ ଯୋଗାଯାରିବ ବୋଲି ରକ୍ତଭଣ୍ଡାର ପକ୍ଷରୁ ସୂଚନା ମିଳିଛି । ସେହିଭଳି ରକ୍ତ ସଙ୍କଟକୁ ଦେଖି ପୂର୍ବରୁ କିଛି ରକ୍ତଦାନ କ୍ୟାମ୍ପ ପାଇଁ ତାରିଖ ସ୍ଥିର ହୋଇଥିବାରୁ ଏଣିକି ସଂଗ୍ରହ ଅନୁପାତରେ ଅଧିକରୁ ଅଧିକ ରକ୍ତ ଯୋଗାଇ ଦିଆଯିବ ବୋଲି ରକ୍ତଭଣ୍ଡାର ପକ୍ଷରୁ ସୂଚନା ଦିଆଯାଇଛି । ଉଲ୍ଲେଖନୀୟ ଯେ କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାରରେ ଦେଢ ହଜାର ୟୁନିଟ୍‍ ପର୍ଯ୍ୟନ୍ତ ରକ୍ତ ଗଚ୍ଛିତ ରଖାଯାଇ ପାରିବ ।

କେବଳ କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାର ନୁହେଁ, ରେଡକ୍ରସ, କଟକ, ବାଲେଶ୍ୱର ଓ ଭୁବନେଶ୍ୱର ଏମ୍‍ସର ରକ୍ତଭଣ୍ଡାରରେ ମଧ୍ୟ ରେଳ ଦୁର୍ଘଟଣାରେ ଆହତମାନଙ୍କ ପାଇଁ ଲୋକେ ଆଗକୁ ଆସି ରକ୍ତ ଯୋଗାଇ ଦେଉଛନ୍ତି । ଦୁର୍ଘଟଣା ଘଟିବା ଦିନ ରାତି ଠାରୁ ଲଗାତାର ଭାବେ ବିଭିନ୍ନ ସ୍ଥାନରେ ଯୁବଗୋଷ୍ଠି, ଛାତ୍ରଛାତ୍ରୀମାନେ ଧାଡିରେ ଛିଡାହୋଇ ରକ୍ତଦାନ କରୁଥିବା ଦେଖିବାକୁ ମିଳୁଛି ।

ଉଲ୍ଲେଖନୀୟ ଯେ ଦୁଇ ତାରିଖ ରାତିରେ ବାଲେଶ୍ୱରର ବାହାନଗା ଠାରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ୨୮୮ ଜଣ ମୃତ୍ୟୁବରଣ କରିବା ସହିତ ହଜାରେରୁ ଅଧିକ ଲୋକେ ଆହତ ହୋଇଥିଲେ । ଆହତଙ୍କ ପାଇଁ ତୁରନ୍ତ ରକ୍ତ ଆବଶ୍ୟକ ଜାଣିବା ପରେ ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଆଡୁ ଲୋକେ ଆସି ବିଭିନ୍ନ ଡାକ୍ତରଖାନା ଓ ରକ୍ତଦାନ ଶିବିରରେ ରକ୍ତ ଦେବାରେ ଲାଗିଛନ୍ତି । (ତଥ୍ୟ)