ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ଥିବା ଆଇନଗତ ପ୍ରତିବନ୍ଧକ ହଟାଇବା ପାଇଁ ରାଜ୍ୟ ସରକାର ଖୁବ୍ଶୀଘ୍ର ଆଇନ୍ରେ ସଂଶୋଧନ ଆଣିବାକୁ ଯାଉଛନ୍ତି । ପୌରସଂସ୍ଥା ଲାଗି ଆଇନ୍ରେ ଥିବା ଜାତିଭିତ୍ତିକ ସ୍ଥାନ ସଂରକ୍ଷଣ ବ୍ୟବସ୍ଥାକୁ ଉଭୟ ହାଇକୋର୍ଟ ଓ ସୁପ୍ରିମ୍କୋର୍ଟ ନାକଚ କରିଦେବା ପରେ ରାଜ୍ୟ ସରକାର ଆଇନ୍ରେ ସଂଶୋଧନ ନ ଆଣିଲେ ପୌର ନିର୍ବାଚନ ହୋଇପାରିବ ନାହିଁ ।
ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟରେ ଥିବା ୧୧୪ଟି ନଗରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥା ମଧ୍ୟରୁ ଏବେ ମାତ୍ର ୪ଟିରେ ନିର୍ବାଚିତ ପରିଷଦ ଥିବା ବେଳେ ଆଉ ୧୧୦ଟିରେ ବର୍ଷ ବର୍ଷ ଧରି ନିର୍ବାଚିତ ପ୍ରତିନିଧି ନାହାନ୍ତି । ପୂର୍ବ ଆଇନ୍ରେ ସଂଶୋଧନ ଆଣି ରାଜ୍ୟ ସରକାର ନଗରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକ ଲାଗି ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ଲାଗି ପୂର୍ବରୁ ଥିବା ସଂରକ୍ଷଣ ବ୍ୟବସ୍ଥାକୁ କାଏମ୍ ରଖିବା ସହ ପଛୁଆବର୍ଗ ବା ଏସ୍ଇବିସିଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଥିଲେ ।
ଏହି ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ ନଗରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକର ୱାର୍ଡ ପୁନର୍ଗଠନ କରାଯିବା ସହ କେଉଁ ୱାର୍ଡ କେଉଁ ବର୍ଗଙ୍କ ପାଇଁ ଏବଂ କେଉଁ ପୌରସଂସ୍ଥାର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦବୀ କେଉଁ ବର୍ଗଙ୍କ ଲାଗି ସଂରକ୍ଷିତ ରହିବ ସେ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।
ରାଜ୍ୟ ସରକାରଙ୍କ ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ ସଂରକ୍ଷଣ ସୀମା ସୁପ୍ରିମ୍କୋର୍ଟଙ୍କ ଦ୍ୱାରା ନିର୍ଦ୍ଧାରିତ ୫୦ ପ୍ରତିଶତକୁ ଟପିଯିବାରେ ଏହାକୁ ବିରୋଧ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ହାଇକୋର୍ଟ ରାଜ୍ୟ ସରକାରଙ୍କ ସଂଶୋଧିତ ସଂରକ୍ଷଣ ବ୍ୟବସ୍ଥାକୁ ନାକଚ କରିଦେବା ପରେ ସରକାରଙ୍କ ପକ୍ଷରୁ ହାଇକୋର୍ଟଙ୍କ ରାୟ ବିରୁଦ୍ଧରେ ସୁପ୍ରିମ୍କୋର୍ଟରେ ଏସ୍ଏଲ୍ପି ରୁଜୁ ହୋଇଥିଲା । ଇତିମଧ୍ୟରେ ସୁପ୍ରିମ୍କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ତାଙ୍କ ପୂର୍ବ ନଜିର୍କୁ ଦୋହରାଇ ସଂରକ୍ଷଣ ସୀମା ୫୦ ପ୍ରତିଶତ ମଧ୍ୟରେ ରଖିବାକୁ କହିଥିଲେ ।
ଏହି ଆଇନ୍ଗତ ଝାମେଲା ଯୋଗୁ ଭୁବନେଶ୍ୱର ମହାନଗର ନିଗମ ସମେତ ରାଜ୍ୟର ୧୧୦ଟି ନଗରାଞ୍ଚଳ ସ୍ୱୟଂଶାସିତ ସଂସ୍ଥାରେ ପ୍ରାୟ ଦୁଇ ବର୍ଷରୁ ଅଧିକ ସମୟ ଧରି ନିର୍ବାଚିତ କାଉନ୍ସିଲ୍ ନାହିଁ ଏବଂ ପ୍ରଶାସନିକ ଅଧିକାରୀମାନେ ଏବେ ଏହି ଦାୟିତ୍ୱରେ ଥିବାରୁ ସାଧାରଣ ଲୋକେ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ।
ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ଯେ ରାଜ୍ୟ ସରକାର ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଧାରିତ ସୀମା ଆଧାରରେ ପୁଣିଥରେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥାର ସମୀକ୍ଷା କରିବେ । ଫଳରେ ଏସ୍ସି ଓ ଏସ୍ଟିଙ୍କ ପାଇଁ ସଂରକ୍ଷଣ ହାର ଅପରିବର୍ତ୍ତିତ ରଖାଯାଇ ଏସ୍ଇବିସିଙ୍କ ପାଇଁ ଥିବା ୨୭ ପ୍ରତିଶତ ସଂରକ୍ଷଣକୁ ୧୧.୨୫ ପ୍ରତିଶତକୁ ହ୍ରାସ କରାଯିବ ଏବଂ ତଦନୁଯାୟୀ କେଉଁ ସଂସ୍ଥାର କେଉଁ ୱାର୍ଡ ଏହି ବର୍ଗଙ୍କ ଲାଗି ସଂରକ୍ଷିତ ରହିବ ଏବଂ କେଉଁ କେଉଁ ସଂସ୍ଥାର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦବୀ ଏସ୍ଇବିସିଙ୍କୁ ଦିଆଯିବ ସେଥିଘେନି ଆଉଥରେ ତାଲିକା ପ୍ରସ୍ତୁତ ହେବ ।
ରାଜ୍ୟ ସରକାର ଚୂଡ଼ାନ୍ତ ତାଲିକା ଉପରେ ମୋହର ବସାଇବା ପରେ ରାଜ୍ୟ ନିର୍ବାଚନ କମିଶନ ପୌର ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିବେ । ତେବେ ଏହି ପ୍ରକ୍ରିୟା କେତେଦିନ ଲାଗିବ ସେଥିଘେନି ସ୍ପଷ୍ଟ ଭାବେ କେହି କିଛି କହିପାରୁନାହାନ୍ତି । ଏଠାରେ ଉଲ୍ଲେଖନୀୟ ଯେ ପୂର୍ବରୁ ଚାକିରି କ୍ଷେତ୍ରରେ ଏସ୍ଇବିସିଙ୍କ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣକୁ ବିରୋଧ କରି ଅମର ଛାଟୋଇ ନାମକ ଜଣେ ଚାକିରି ପ୍ରତ୍ୟାଶୀ ଯେଉଁ ମାମଲା ରୁଜୁ କରିଥିଲେ ସେଥିରେ ସ୍ୟାଟ୍ ଓ ହାଇକୋର୍ଟଙ୍କ ରାୟ ସରକାରଙ୍କୁ ଝଟ୍କା ଦେଇଥିଲା ।