Home General ଖର୍ଚ୍ଚ ହୋଇପାରୁନି ଆରଜିଏସଏ ଅର୍ଥ

ଖର୍ଚ୍ଚ ହୋଇପାରୁନି ଆରଜିଏସଏ ଅର୍ଥ

ଭୁବନେଶ୍ୱର : ପଞ୍ଚାୟତଗୁଡିକୁ ସଶକ୍ତ କରିବାପାଇଁ ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଭିଯାନ (ଆରଜିଏସଏ) ରେ କେନ୍ଦ୍ର ସରକାର ଯୋଗାଇ ଦେଇଥିବା ଅର୍ଥ ରାଜ୍ୟରେ ଖର୍ଚ୍ଚ ହୋଇପାରୁ ନାହିଁ । ଗତ ତିନି ବର୍ଷ ମଧ୍ୟରେ ଏହି ଯୋଜନାରେ କେନ୍ଦ୍ର ସରକାର ୧୫କୋଟିରୁ ଅଧିକ ଅର୍ଥ ଯୋଗାଇଥିବାବେଳେ ରାଜ୍ୟ ସରକାର ମାତ୍ର ୪କୋଟି ଟଙ୍କା ଖର୍ଚ୍ଚ କରିବାରେ ସକ୍ଷମ ହୋଇଛନ୍ତି ।

ପଞ୍ଚାୟତଗୁଡିକୁ ସଶକ୍ତ କରିବା ବିଶେଷକରି ଏଠାରେ କମ୍ପ୍ୟୁଟର ଲଗାଇବା, ମାନବ ସମ୍ବଳ ନିଯୁକ୍ତ କରିବା, ତାଲିମ ଆଦି ଦେବାପାଇଁ କେନ୍ଦ୍ର ସରକାର ୨୦୧୯-୨୦ ବର୍ଷରୁ ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଭିଯାନ ଆରମ୍ଭ କରିଛନ୍ତି । ତେବେ ପ୍ରଥମ ବର୍ଷରେ ଓଡିଶାକୁ ଏହି ଯୋଜନାରେ କୌଣସି ଅର୍ଥ ମିଳିନଥିବାବେଳେ ୨୦୨୦-୨୧ ବର୍ଷରେ ୨.୯୪ କୋଟି, ୨୦୨୧-୨୨ ବର୍ଷରେ ୧.୩୩ କୋଟି ଏବଂ ୨୦୨୨.-୨୩ ବର୍ଷରେ ୧୧.୪୦ କୋଟି ଟଙ୍କା ମିଳିଛି ।

ତେବେ ରାଜ୍ୟ ସରକାର ମିଳିଥିବା ମୋଟ୍‍ ୧୫.୬୭ କୋଟି ଟଙ୍କା ମଧ୍ୟରୁ ମାତ୍ର ୪.୫ କୋଟି ଟଙ୍କା ଖର୍ଚ୍ଚ କରିପାରିଛନ୍ତି । ଏବେ ବି ରାଜ୍ୟ ସରକାରଙ୍କ ନିକଟରେ ଏହି ଯୋଜନାରେ ମିଳିଥିବା ଅର୍ଥ ମଧ୍ୟରୁ ୧୧.୬୨ କୋଟି ଟଙ୍କା ବଳକା ରହିଛି । ଏହି ଅର୍ଥରେ ରାଜ୍ୟର ଅନେକ ପଞ୍ଚାୟତରେ କମ୍ପ୍ୟୁଟର ଲଗାଯିବା ସହିତ ଆବଶ୍ୟକ ମାନବ ସମ୍ବଳ ନିଯୁକ୍ତ ହୋଇପାରିଥାନ୍ତେି ।

ତେବେ ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ର ସରକାର ଲଗାତାର ଭାବେ ଏହି ଯୋଜନାରେ ଅଧିକରୁ ଅଧିକ ଅର୍ଥ ପ୍ରଦାନ କରୁଛନ୍ତି । ୨୦୧୯-୨୦ ବର୍ଷରେ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏହି ଯୋଜନାରେ ୪୩୨.୭୪ କୋଟି ଟଙ୍କା ମିଳିଥିବାବେଳେ ୨୦୨୦-୨୧ ରେ ୪୯୧.୩୪ କୋଟି, ୨୦୨୧-୨୨ ରେ ୬୪୧.୨୫ କୋଟି ଏବଂ ୨୦୨୨-୨୩ ରେ ପ୍ରାୟ ୬୭୩ କୋଟି ଟଙ୍କା ପ୍ରଦାନ କରାଯାଇଛି । ତେବେ ପଶ୍ଚିମବଙ୍ଗ, ଆସାମ, ବିହାର ଭଳି ରାଜ୍ୟ ଏହି କେନ୍ଦ୍ରୀୟ ଯୋଜନାରେ ପାଇଥିବା ଅର୍ଥର ସିଂହଭାଗ ବ୍ୟୟ କରିଥିବାବେଳେ ଆମ ରାଜ୍ୟ କିନ୍ତୁ ଏ କ୍ଷେତ୍ରରେ ପଛରେ ପଡିଥିବା ଦେଖିବାକୁ ମିଳିଛି ।

ଅନ୍ୟ ପକ୍ଷରେ ରାଜ୍ୟର ପଞ୍ଚାୟତଗୁଡିକୁ ଡିଜିଟାଲ କରିବା ଉପରେ ରାଜ୍ୟ ସରକାର ଜୋର ଦେଉଛନ୍ତି । ଇତି ମଧ୍ୟରେ ଭାରତ ନେଟ୍‍ ଯୋଜନାର ଦୁଇ ପର୍ଯ୍ୟାୟରେ ସଂଖ୍ୟାଧିକ ପଞ୍ଚାୟତରେ ବ୍ରଡବ୍ୟାଣ୍ଡ୍‍ ସଂଯୋଗ ପହଞ୍ଚି ସାରିଥିବାବେଳେ ଏଠାରେ କେବଳ କମ୍ପ୍ୟୁଟର ଓ ମାନବ ସମ୍ବଳ ଆବଶ୍ୟକ ରହିଛି । ଉଲ୍ଲେଖନୀୟ ଯେ ପଞ୍ଚାୟତ ଦପ୍ତରରୁ ରାଜ୍ୟ ସଚିବାଳୟ ମଧ୍ୟରେ ସିଧାସଳଖ ଭିଡିଓ କନଫରେନ୍ସି ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କର ଯୋଜନା ରହିଛି । ଏଭଳି ସ୍ଥିତିରେ କେନ୍ଦ୍ର ସରକାର ଯୋଗାଇଥିବା ଅର୍ଥ ଖର୍ଚ୍ଚ ହୋଇପାରିଲେ କେବଳ ପଞ୍ଚାୟତ ଦପ୍ତରରେ କମ୍ପ୍ୟୁଟର ଭିତ୍ତିଭୂମି ସୁଦୃଢ ହେବନାହିଁ, ମାନବ ସମ୍ବଳ ନିଯୁକ୍ତି ଓ ଦକ୍ଷତା ବିକାଶ ହୋଇପାରିବ । (ତଥ୍ୟ)