ଭୁବନେଶ୍ୱର : ମିଶନ ଶକ୍ତି କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ଓଡିଶାର ମହିଳାମାନେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ମିଶନ ଶକ୍ତି ମା’ମାନେ ରାଜ୍ୟ ପାଇଁ ହୋଇପାରିଛନ୍ତି ଏକ ବିରାଟ ସାମାଜିକ ପୁଞ୍ଜି । ଏସ୍ଏଚ୍ଜିରୁ ଉଦ୍ୟୋଗୀ ସୃଷ୍ଟି କରି ଆମ ରାଜ୍ୟର ମହିଳାମାନଙ୍କୁ ରାଜ୍ୟ ଅର୍ଥନୀତିର ପ୍ରମୁଖ ଅଂଶୀଦାର କରିବା ଆମର ଲକ୍ଷ୍ୟ ।
ଦୁଇଦିନଧରି ସଚିବାଳୟ ଲୋକସେବା ଭବନ, କନ୍ଭେନସନ ହଲରେ ମିଶନ ଶକ୍ତି ବିଭାଗ ଦ୍ୱାରା ବ୍ୟାଙ୍କ୍ ଋଣ ଏବଂ ସୁଧ ଫେରସ୍ତ ସମ୍ପର୍କିତ ବ୍ଲକ୍ ପ୍ରଶିକ୍ଷକଙ୍କ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ୍ ଉପରୋକ୍ତ ମର୍ମରେ ମତପ୍ରକାଶ କରିଛନ୍ତି ।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା ଆର୍ କାର୍ତ୍ତିକେୟନ୍ କହିଲେ, ଏସ୍ଏଚ୍ଜିମାନେ ହେଉଛନ୍ତି ସ୍ୱତଃପ୍ରବୃତ୍ତ ଲିଡର । ସେମାନଙ୍କ ମଧ୍ୟରେ ଅସାଧାରଣ ଦକ୍ଷତା, ସାମର୍ଥ୍ୟ ଏବଂ ଶକ୍ତି ରହିଛି । ଆମ ରାଜ୍ୟରେ ଏସ୍ଏଚ୍ଜି ଆନ୍ଦୋଳନ ସଫଳ ହୋଇଛି ସେଇମାନଙ୍କ ନେତୃତ୍ୱ ପାଇଁ । ଏହି ଲିଡରମାନେ ପ୍ରଶିକ୍ଷିତ ହେଲେ ସେମାନେ ତାଙ୍କ ଅଞ୍ଚଳରେ ବ୍ୟାପକ ସଚେତନତା ସୃଷ୍ଟି କରି ମହିଳା ସଶକ୍ତିକରଣର ପ୍ରମୁଖ ସୂତ୍ରଧର ସାଜିବେ ।
ଏହି କର୍ମଶାଳାରେ ଓଡ଼ିଶା ଜୀବିକା ମିଶନର ରାଜ୍ୟ ମିଶନ ନିର୍ଦ୍ଦେଶକ ଏନ୍. ଥିରୁମାଲା ନାୟକ, ବିଭାଗୀୟ ଯୁଗ୍ମ ଶାସନ ସଚିବ ଶ୍ରୀ ବିନୋଦ କୁମାର ଜେନା ଏବଂ ବିଶେଷଜ୍ଞମାନେ ଯୋଗଦେଇ କର୍ମଶାଳାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ନିକଟରେ ପ୍ରଥମ ଥର ପାଇଁ ଭୁବନେଶ୍ୱରରୁ ଦୁବାଇ ଅନ୍ତର୍ଜାତୀୟ ବିମାନ ଯାତ୍ରାରେ ଏସ୍ଏଚ୍ଜି ଲିଡରମାନଙ୍କ ପ୍ରତିନିଧି ଦଳରେ ସାମିଲ ହୋଇଥିବା ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାସ୍ତରୀୟ ମହାସଂଘର ସଭାପତି ବିଷ୍ଣୁପ୍ରିୟା ଦାସ ତାଙ୍କର ଦୁବାଇ ଯାତ୍ରାର ଅନୁଭୂତି ଓ ଅଭିଜ୍ଞତା ବର୍ଣ୍ଣନା କରିଥିଲେ ।
ଏହି ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ୨ଟି ପର୍ଯ୍ୟାୟରେ ୨୦ ଟି ଜିଲ୍ଲାର ପ୍ରାୟ ୭୦୦ ରୁ ଊଦ୍ଧ୍ୱର୍ ବ୍ଲକ ଓ ଜିଲ୍ଲା ମହାସଙ୍ଘର ସଦସ୍ୟା ତଥା ମିଶନ ଶକ୍ତି ବିଭାଗର କ୍ଷେତ୍ର କର୍ମଚାରୀମାନେ ଯୋଗଦାନ କରିଥିଲେ । ବ୍ୟାଙ୍କ ଋଣ ବ୍ୟବସ୍ଥାକୁ ପ୍ରତି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଖେ ପହଞ୍ଚାଇବା, ନିୟମତି ଋଣ ପରିଶୋଧ କରି ସୁଧ ରିହାତି ପାଇବା ସୁନିଶ୍ଚିତ କରିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ।
ବ୍ଲକ ଓ ଜିଲ୍ଲା ମହାସଙ୍ଘର ଲିଡରମାନଙ୍କୁ ଏହି ପ୍ରଶିକ୍ଷଣ ମାଧ୍ୟମରେ, ଏ ସମ୍ପର୍କିତ ତାଲିମ ଦିଆଯାଇଛି, ଯେଉଁମାନେ କି ବ୍ଲକ ସ୍ତରରେ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଅନ୍ୟ ମହାସଂଘର ସଦସ୍ୟାମାନଙ୍କୁ ସଚେତନ କରାଇବେ । ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ସୁଧ ଫେରସ୍ତ ବ୍ୟତୀତ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ବିଷୟରେ ଏହି ବ୍ଲକ ଓ ଜିଲ୍ଲା ମହାସଙ୍ଘର ଲିଡରମାନେ ସମସ୍ତ ଏସଏଚଜି ସଦସ୍ୟାମାନଙ୍କୁ ସଚେତନ କରାଇବେ । ମିଶନ ଶକ୍ତି ବିଭାଗର ଏହି ପ୍ରୟାସ ମାଧ୍ୟମରେ ରାଜ୍ୟର ୧୦୧୪ ଜଣ ବ୍ଲକ ଓ ଜିଲ୍ଲା ମହାସଙ୍ଘର ଲିଡରମାନେ ବିଭିନ୍ନ ତାଲିମ ଓ ସଚେତନ କାର୍ଯ୍ୟକ୍ରମ ନିମନ୍ତେ ବିଶେଷଜ୍ଞ ଗୋଷ୍ଠୀ (ରିସୋର୍ସ ଗୋଷ୍ଠୀ) ଭାବେ କାର୍ଯ୍ୟ କରିବେ ।
ରାଜ୍ୟରେ ବିଗତ ୮ ବର୍ଷ ମଧ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ବ୍ୟାଙ୍କ ମାଧ୍ୟମରେ ପ୍ରଦାନ କରାଯାଉଥିବା ଆର୍ଥିକ ସହାୟତା ରାଶିର ପରିମାଣ ୧୯ ଗୁଣ ବୃଦ୍ଧି ପାଇଛି । ୨୦୨୨-୨୩ ଆର୍ଥିକ ବର୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଦିଆଯାଉଥିବା ବ୍ୟାଙ୍କ ଋଣ ରାଶି ବୃଦ୍ଧିପାଇ ୧୧୦୦୦ କୋଟି ଟଙ୍କାରେ ପହଞ୍ଚିପାରିଛି । ଏ ବର୍ଷ ମିଶନ ଶକ୍ତି ମାଧ୍ୟମରେ ରାଜ୍ୟର ଏସଏଚଜିମାନଙ୍କୁ ୧୫,୦୦୦ କୋଟି ଟଙ୍କାର ଋଣ ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ତୃଣମୂଳ ସ୍ତରରେ ଏ ସମସ୍ତ ବିଷୟରେ ପ୍ରଶିକ୍ଷଣ ଓ ସଚେତନ କରାଇବାରେ ବ୍ଲକ ଓ ଜିଲ୍ଲାସ୍ତରୀୟ ଏହି ବିଶେଷଜ୍ଞ ଗୋଷ୍ଠୀ ଯଥେଷ୍ଟ ସହାୟକ ହେବେ ବୋଲି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା ।