ଭୁବନେଶ୍ୱର : ଗତ ପାଞ୍ଚବର୍ଷ ମଧ୍ୟରେ ଓଡିଶାରେ ୧୮୧୪ଟି ପ୍ରକଳ୍ପ ପାଇଁ ଦୈନିକ ୧୦ହଜାର ଲିଟରରୁ ଉର୍ଦ୍ଧ୍ୱ ଭୂତଳ ଜଳ ଉତ୍ତୋଳନ ଲାଗି କେନ୍ଦ୍ରୀୟ ଭୂତଳ ଜଳ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ନିଆଯାଇଛି । ତେବେ ବାସ୍ତବରେ ବିନାନୁମତିରେ ଏହାଠାରୁ ଢେର ଅଧିକ ସଂଖ୍ୟକ ପ୍ରକଳ୍ପ ବେଆଇନ୍ ଭାବେ ଭୂତଳ ଜଳ ଶୋଷୁଥିବା ଘେନି ପରିବେଶପ୍ରେମୀମାନେ ଅଭିଯୋଗ କରୁଛନ୍ତି ।
ବିଶେଷକରି ବଡ ବଡ ଶିଳ୍ପାନୁଷ୍ଠାନ ଓ ଆପାର୍ଟମେଣ୍ଟଗୁଡିକ ଲାଗି ଭୂତଳ ଜଳ ଉତ୍ତୋଳନ ପୂର୍ବରୁ କେନ୍ଦ୍ର ଭୂତଳ ଜଳ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମୋଦନ ନେବା ଆବଶ୍ୟକ । ତେବେ ଆଇନ୍କୁ ଆଖିମିଟିକା ମାରି ବିନାନୁମତିରେ ମାଳ ମାଳ ଆପାର୍ଟମେଣ୍ଟ ଓ ଶିଳ୍ପସଂସ୍ଥା ଯେଉଁ ହାରରେ ଭୂତଳ ଜଳ ଶୋଷୁଛନ୍ତି ତାହା ଅବ୍ୟାହତ ରହିଲେ ଆଗାମୀ କିଛିବର୍ଷ ମଧ୍ୟରେ ଜଳ ପାଇଁ ହା ହା କାର ପଡିଯିବ ଏବଂ ବହୁ ସହର ଏକ ପ୍ରକାର ପରିତ୍ୟକ୍ତ ଅଞ୍ଚଳରେ ପରିଣତ ହେବ ।
ଏଠାରେ ଉଲ୍ଲେଖନୀୟ ଯେ ରାଷ୍ଟ୍ରପତି ଥିବା ସମୟରେ ଓ ତାହା ପୂର୍ବରୁ ବିଶିଷ୍ଟ ବୈଜ୍ଞାନିକ ଡକ୍ଟର ଏପିଜେ ଅବୁଲକାଲାମ ବିଶ୍ୱବାସୀଙ୍କୁ ସତର୍କ କରାଇ ଦେଇଥିଲେ ଯେ ଆଗାମୀ ବିଶ୍ୱଯୁଦ୍ଧ ହୁଏତ ପାନୀୟଜଳ ପାଇଁ ହୋଇପାରେ ଏବଂ ରାଜ୍ୟ ରାଜ୍ୟ ଓ ପରିବାର ପରିବାର ମଧ୍ୟରେ ଜଳ ପାଇଁ ବିବାଦ ଉତ୍କଟତର ଅବସ୍ଥାକୁ ଯାଇପାରେ । ଏହା ସତ୍ୱେ ବି କାଲାମଙ୍କ ଚେତାବନୀକୁ ଆଖିବୁଜି ଦେଇ ଜଳ ସଂରକ୍ଷଣ ପରିବର୍ତ୍ତେ ଜଳ ସମ୍ପଦର ବ୍ୟାପକ ବରବାଦ ଚାଲିଛି ।
ଶିଳ୍ପାନୁଷ୍ଠାନ ନିଶାରେ ଅବସ୍ଥା ଏଭଳି ହୋଇଛି ଯେ ମହାନଦୀର ଶଯ୍ୟା ଖରାଦିନ ତ ଦୂରରକଥା ବହୁ ସମୟରେ ଶୀତ ଓ ବର୍ଷାଦିନେ ବି ଶୁଖିଲା ପଡୁଛି । ଦେଶର ବହୁ ନଦୀରେ ଏଭଳି ସମସ୍ୟା ଲାଗି ରହିଥିବାବେଳେ ସମସ୍ୟାର ସମାଧାନ ପାଇଁ ଗଢାଯାଇଥିବା ଟ୍ରିବ୍ୟୁନାଲଗୁଡିକ ବର୍ଷ ବର୍ଷ ଧରି ସମୟଗଡାଇ ଚାଲୁଛନ୍ତି ।
କେନ୍ଦ୍ର ଜଳ ଶକ୍ତି ବିଭାଗର ତଥ୍ୟ ମୁତାବକ ଗତ ୫ବର୍ଷ ମଧ୍ୟରେ ଦେଶର ୧୯ଟି ରାଜ୍ୟରେ ମାତ୍ର ୧୨,୬୫୦ଟି ଶିଳ୍ପାନୁଷ୍ଠାନ ଓ ପ୍ରକଳ୍ପ ଲାଗି ଭୂତଳଜଳ ଉତ୍ତୋଳନ ପାଇଁ ଅନୁମତି ମିଳିଛି । ତେବେ ବାସ୍ତବରେ ଏହି ସଂଖ୍ୟା ଢେର ଅଧିକ । ଇତି ମଧ୍ୟରେ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ ଭୂତଳ ଜଳର ଆଖିବୁଜା ଦୁରୂପଯୋଗ ବଡ ବଡ ଆପାର୍ଟମେଣ୍ଟଗୁଡିକରେ ହେଉଥିବା ଘେନି ଉଦ୍ବେଗପ୍ରକାଶ କରିଛନ୍ତି । କେବଳ ସେତିକି ନୁହେଁ ବ୍ୟବସାୟିକ ସଂସ୍ଥାମାନେ ଆପାର୍ଟମେଣ୍ଟ ବିକି ହଜାର ହଜାର କୋଟି ଟଙ୍କାର ମୁନାଫା ଉଠାଇଥିବାବେଳେ ମାର୍ଗନିର୍ଦ୍ଦେଶିକା ମୁତାବକ ସ୍ୱରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ବସାଉନଥିବାରୁ ଭୂତଳ ଜଳସ୍ତର ମଧ୍ୟ ପ୍ରଦୂଷିତ ହେଉଛି । ଗ୍ରିନ୍ ଟ୍ରିବ୍ୟୁନାଲଙ୍କ ଏଭଳି ମନ୍ତବ୍ୟ ପରେ ଓଡିଶାର ରାଜଧାନୀ ଭୁବନେଶ୍ୱର ଓ ତାହାର ଆଖପାଖ ଅଞ୍ଚଳରେ ଉନ୍ନୟନ କର୍ତ୍ତୃପକ୍ଷ ଓ ପୌରସଂସ୍ଥାଗୁଡିକର ଜ୍ଞାତସାରରେ ଶୋଷା ଯାଉଥିବା ଜଳସମ୍ପଦ ଘେନି ବିଭିନ୍ନ ମହଲ ପ୍ରଶ୍ନବାଚୀ ଉଠାଉଛନ୍ତି ।
ଏହି ବିଲଡର ସଂସ୍ଥାଗୁଡିକ ଆପାର୍ଟମେଣ୍ଟ ତିଆରି କରିବାବେଳେ ସେମାନଙ୍କ ପ୍ରକଳ୍ପର ଅନ୍ୟୁନ ଏକ ତୃତୀୟାଂଶ ସ୍ଥାନରେ ବୃକ୍ଷରୋପଣ କରିବାକଥା । କିନ୍ତୁ ବୃକ୍ଷରୋପଣ ତ ଦୂରରକଥା ଏମାନେ ଆଖିବୁଜା ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟ ଉଠାଇବାବେଳେ ପବନ ଓ ଆଲୋକର ସ୍ୱାଭାବିକ ଗତିପଥକୁ ମଧ୍ୟ ଅବରୋଧ କରିଦେଉଛନ୍ତି । ଏଥିଯୋଗୁଁ ଉତ୍ତାପ ବଢିବା ସହିତ ଭୂତଳଜଳସ୍ତର ଉଦବେଗଜନକ ହାରରେ ତଳକୁ ତଳକୁ ଖସୁଛି । ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ଦିଲ୍ଲୀ ନିକଟବର୍ତ୍ତୀ ନୋଇଡା ଅଞ୍ଚଳରେ ହଜାର ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ କେତେକ ଆପାର୍ଟମେଣ୍ଟକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି । ଏହି ଘଟଣାର ପୁନରାବୃତ୍ତି ଯେକୌଣସି ସମୟରେ ଭୁବନେଶ୍ୱର, ରାଉରକେଲା ସମେତ ଓଡିଶାର ବିଭିନ୍ନ ଅଞ୍ଚଳରେ ଘଟିପାରେ । (ତଥ୍ୟ)