ଭୁବନେଶ୍ୱର : ଆଜି ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷାଫଳ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡିଙ୍କ ଦ୍ୱାରା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ମୁଖ୍ୟ କାର୍ଯ୍ୟାଳୟଠାରେ ପ୍ରକାଶିତ ହୋଇଯାଇଛି ।
ଚଳିତ ବର୍ଷ ରାଜ୍ୟରେ ବିଜ୍ଞାନରେ ୯୨ ହଜାର ୯୫୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲାବେଳେ ୭୮ ହଜାର ୯୩୮ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏହି ପରୀକ୍ଷାରେ ପାସହାର ୮୪.୯୩ ପ୍ରତିଶତ ରହିଛି । ବିଜ୍ଞାନ ସ୍ରୋତରେ ପ୍ରଥମ ଶ୍ରେଣୀରେ ୩୯ ହଜାର ୫୭୩ ଜଣ, ଦ୍ୱିତୀୟ ଶ୍ରେଣୀରେ ୨୪ ହଜାର ୨୫୭ ଜଣ, ତୃତୀୟ ଶ୍ରେଣୀରେ ୧୪ ହଜାର ୮୫୨ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ରାଜ୍ୟରେ ୯୦ ପ୍ରତିଶତରୁ ଊଦ୍ଧ୍ୱର୍ ମାର୍କ ରଖି ୩୫୮ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ନୟାଗଡ଼ ଜିଲ୍ଲାରେ ପାସହାର ସର୍ବାଧିକ ୯୬.୪୧ ପ୍ରତିଶତ ହୋଇଛି ।
ସେହିପରି ଚଳିତବର୍ଷ ରାଜ୍ୟରେ ବାଣିଜ୍ୟ ପରୀକ୍ଷାରେ ୨୪ ହଜାର ୮୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୧୯ ଜହାର ୫୩୬ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏହି ପରୀକ୍ଷାରେ ପାସହାର ୮୧.୧୨ ପ୍ରତିଶତ ରହିଛି । ବାଣିଜ୍ୟ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ୭ ହଜାର ୪୧୦ ଜଣ, ଦ୍ୱିତୀୟ ଶ୍ରେଣୀରେ ୪ ହଜାର ୫୪୩ ଜଣ ଏବଂ ତୃତୀୟ ଶ୍ରେଣୀରେ ୭ ହଜାର ୪୯୨ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି ।
ରାଜ୍ୟରେ ନୟାଗଡ଼ ଜିଲ୍ଲାର ପାସହାର ୯୩.୯% ସର୍ବାଧିକ ହୋଇଛି । ରାଜ୍ୟରେ ୯୦ ପ୍ରତିଶତରୁ ଉଦ୍ଧ୍ୱର୍ ମାର୍କ ରଖି ୧୦୨ ଜଣ ବାଣିଜ୍ୟ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ରିଆଡିସନ୍ ଅଫ୍ ମାର୍କ ନିମନ୍ତେ କଳା ଓ ଧନ୍ଦାମୂଳକ ପାଠ୍ୟକ୍ରମର ଫଳ ବାହାରିବା ପରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦରୁ ସୂଚନା ଦିଆଯାଇଛି ।
ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅଶ୍ୱଥୀ. ଏସ୍., ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଶ୍ରୀ ଅଶ୍ୱିନୀ କୁମାର ମିଶ୍ର, ପରୀକ୍ଷା ନିୟନ୍ତ୍ରକ ଶ୍ରୀ ଅଶୋକ କୁମାର ନାୟକଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀବୃନ୍ଦ ଉପସ୍ଥିତ ଥିଲେ ।