ଭୁବନେଶ୍ୱର : ରାଜ୍ୟରେ କାଳ ବୈଶାଖୀ କଷ୍ଟକୁ ବଳି ଗଲାଣି ବିଜୁଳି କଷ୍ଟ । ଝଡ ପବନ କିଛି ସମୟ ପାଇଁ ଆସି ଚାଲି ଯାଉଥିବାବେଳେ ବିଜୁଳି ବ୍ୟବସ୍ଥା କିନ୍ତୁ ଦୀର୍ଘ ସମୟ ଧରି ଠପ୍ ହୋଇ ଯାଉଛି । ଗାଁ ଗହଳ ତ ଦୂରରକଥା କଥା ଖୋଦ ରାଜଧାନୀରେ ବି ବିଜୁଳି ଲୁଚକାଳି ଖେଳୁଛି ।
ଗତ ଦୁଇ ତିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ଦେଖିବାକୁ ମିଳୁଛି । ଅପରାହ୍ନ ସମୟରୁ ବିଜୁଳି ଘଡଘଡି ସହିତ ବର୍ଷା ପବନ ହେଉଛି । କେତେକ ସ୍ଥାନରେ ଗଛ ଉପୁଡିବା ସହିତ ବିଦ୍ୟୁତ୍ ଖୁଣ୍ଟ ବି ମୋଡିହୋଇ ଯାଉଛି । ତେବେ ଘଡଘଡି ମାରିବା କିମ୍ବା ଅଳ୍ପ ବେଗରେ ପବନ ବହିଲା ମାତ୍ରେ ଅଧିକାଂଶ ସ୍ଥାନରେ ଲାଇନ୍ କଟିଯାଉଛି । ସହରାଞ୍ଚଳରେ କୌଣସି ପ୍ରକାରେ ବିଳମ୍ବରେ ହେଲେ ବି ବିଦ୍ୟୁତ୍ ଆସିଯାଉଥିବାବେଳେ ଗାଁ ଗହଳରେ କିନ୍ତୁ ୮/୧୦ ଏପରିକି ସ୍ଥଳ ବିଶେଷରେ ଦିନ ଦିନ ବି ବିଜୁଳିର ଦେଖାଦର୍ଶନ ମିଳୁନି ।
ଅଭିଯୋଗ କଲେ ଗୋଟିଏ କଥା, କାଳବୈଶାଖୀରେ ବିଜୁଳି ବିଭ୍ରାଟ ହୋଇଛି । ମରାମତି ହେବାକୁ କିଛି ସମୟ ଲାଗିଯିବ । ଏଥିରେ ସହଯୋଗ କରନ୍ତୁ । ତେବେ କାଳ ବୈଶାଖୀ ଯୋଗୁଁ କେଉଁ ଠାରେ କି ପ୍ରକାର ସମସ୍ୟା ଦେଖା ଦେଇଛି ତାହାର ସୂଚନା ଉପଭୋକ୍ତାମାନେ ଠିକ୍ ସମୟରେ ଜାଣିପାରୁ ନାହାନ୍ତି ।
ଗାଁ ଗହଳ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଯେଉଁ ଉପଭୋକ୍ତାମାନେ ବିଜୁଳି ନଥିବାର ଅଭିଯୋଗ ଦାଖଲ କରୁଛନ୍ତି ସେମାନଙ୍କ ବିଜୁଳି କେତେବେଳେ ଆସିବ ଏବଂ ଆସିଲା କି ନାହିଁ ତାହା ବିତରଣ କମ୍ପାନୀର ଗ୍ରାହକସେବା କେନ୍ଦ୍ର ଜଣାଉ ନାହିଁ କି ପଚାରି ବୁଝୁନାହିଁ । ପୂର୍ବରୁ ସେସୁ ହାତରେ ବିତରଣ କମ୍ପାନୀ ଥିବାବେଳେ ଯଦି ଉପଭୋକ୍ତା ଥରୁଟିଏ ଲାଇନ୍ ନଥିବାର ଅଭିଯୋଗ କରୁଥିଲେ ତେବେ ଗ୍ରାହକସେବା କେନ୍ଦ୍ର ଲାଇନ୍ ଆସିବା ପର୍ଯ୍ୟନ୍ତ ଉପଭୋକ୍ତାଙ୍କୁ ଫୋନ୍ କରି ବୁଝିବା ସହିତ ସମ୍ପୃକ୍ତ ଅଞ୍ଚଳର ଯନ୍ତ୍ରୀ ଓ କର୍ମଚାରୀଙ୍କ ସହିତ ଯୋଗାଯୋଗରେ ରହୁଥିଲେ । ଲାଇନ୍ ଆସିବା ନିଶ୍ଚିତ ହେବାପରେ ଗ୍ରାହକଙ୍କ ଅଭିଯୋଗର ସମାଧାନ ହେଲାବୋଲି ବାର୍ତ୍ତା ଦେଉଥିଲେ ।
ହେଲେ ଟାଟା ପାୱାର ହାତକୁ ବିତରଣ ବ୍ୟବସ୍ଥା ଯିବାପରେ ଗ୍ରାହକ ସେବା କେନ୍ଦ୍ରର ସେବା ଏକ ପ୍ରକାର ରସାତଳକୁ ଯାଇଛି । ଅଭିଯୋଗଟିଏ କଲେ ଗ୍ରାହକସେବା କେନ୍ଦ୍ର ତ ଦୂରରକଥା ସମାଧାନ ଦାୟିତ୍ୱରେ ଥିବା ଅଧିକାରୀ କିମ୍ବା ସମ୍ପୃକ୍ତ ବିଦ୍ୟୁତ୍ ସେକ୍ସନର କେହି ଜଣେ ହେଲେ ଫୋନ୍ କରୁନାହାନ୍ତି ।
ବର୍ଷାଦିନ ପୂର୍ବରୁ ବିତରଣ କମ୍ପାନୀ ପକ୍ଷରୁ ଯେଭଳି ଗଛ କଟା ଅଭିଯାନ ଚାଲୁଛି ସେହି ଅନୁଯାୟୀ ଖୁଣ୍ଟ ଓ ତାର ଗୁଡିକର ସ୍ଥିତି ଯାଞ୍ଚ କରାଗଲେ ସାମାନ୍ୟ ପବନ କିମ୍ବା ଘଡଘଡିରେ ଲୋକେ ଘଣ୍ଟା ଘଣ୍ଟା ଧରି ଅନ୍ଧାରରେ ରୁହନ୍ତେ ନାହିଁ ବୋଲି ମତ ଦେଉଛନ୍ତି । ବିତରଣ କମ୍ପାନୀ ବିଲ୍ ଆଦାୟରେ ଯେତେ ତତ୍ପରତା ଦେଖାଉଛି ଓ ପ୍ରିପେଡ୍ ମିଟର ବସାଇବା ପାଇଁ ଯେତେଥର ଉପଭୋକ୍ତାଙ୍କ ମୋବାଇଲ୍କୁ ମେସେଜ୍ ପଠାଉଛି ସେହି ଅନୁଯାୟୀ ଲୋକଙ୍କ ଅଭିଯୋଗର ସମାଧାନ କରି ବାର୍ତ୍ତା ପଠାଇଲେ ଗାଁ ଠୁ ସହର ପର୍ଯ୍ୟନନ୍ତ ବିଦ୍ୟୁତ୍ ଉପଭୋକ୍ତାମାନେ ଏ ଗରମ ଓ ଗୁଳୁଗୁଳିରେ ହନ୍ତସନ୍ତ ହୁଅନ୍ତେ ନାହିଁ ବୋଲି କୁହାଯାଉଛି । (ତଥ୍ୟ)