Home General ତିନି ବର୍ଷରେ ତେରଶହ ଏମଏସଏମଇ ବନ୍ଦ

ତିନି ବର୍ଷରେ ତେରଶହ ଏମଏସଏମଇ ବନ୍ଦ

ଭୁବନେଶ୍ୱର : ଗତ ତିନିବର୍ଷ ମଧ୍ୟରେ ରାଜ୍ୟରେ ବିଭିନ୍ନ କାରଣ ଯୋଗୁଁ ୧୩୦୦ ରୁ ଅଧିକ ଅଣୁ, କ୍ଷୁଦ୍ର ଓ ମଧ୍ୟମ (ଏମଏସଏମଇ) ଶିଳ୍ପ ବନ୍ଦ ହୋଇଯାଇଛି । ଏହି ସମୟରେ ସମଗୟ ଦେଶରେ ୭୩ହଜାରରୁ ଅଧିକ ଏମଏସଏମଇ ବନ୍ଦ ହୋଇଥିବା ଜଣାଯାଇଛି ।

କେନ୍ଦ୍ର ଏମଏସଏମଇ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୨୦୨୦ ରୁ ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ମୋଟ୍‍ ୧୩୮୧ଟି ଏମଏସଏମଇ ବନ୍ଦହୋଇଯାଇଛି । ଏଥି ମଧ୍ୟରୁ ୫୦ଟି ଜାଲ୍‍ ସଂସ୍ଥା ଥିବା ଚିହ୍ନଟ ହାଇଛି । ସେହିଭଳି ୧୬୨ ସଂସ୍ଥାର ମାଲିକ ପରିବର୍ତ୍ତନ ପରେ ତାହା ମଧ୍ୟ ବନ୍ଦହୋଇ ଯାଇଛି । ତେବେ ୬୭୦ଟି ଶିଳ୍ପସଂସ୍ଥା ବନ୍ଦର କାରଣ ଦର୍ଶାଯାଇ ନାହିଁ ।

ତେବେ ଏହି ସମୟ ମଧ୍ୟରେ ସମଗ୍ର ଦେଶରେ ୭୩,୫୭୬ ଏମଏସଏମଇ ବନ୍ଦ ହୋଇ ଯାଇଥିବାବେଳେ ଏଥିରୁ ୨୬୭୯ ଟି ଜାଲ୍‍ ଥିବା ଜଣାଯାଇଛି । ସେହିଭଳି ମାଲିକ ପରିବର୍ତ୍ତନ ଯୋଗୁଁ ଦେଶରେ ମଧ୍ୟ ୮୪୮୪ ଟି ଏମଏସଏମଇରେ ତାଲା ପଡିଯାଇଛି । ତେବେ ୩୧ହଜାରରୁ ଅଧିକ ଏମଏସଏମଇ ବନ୍ଦହୋଇ ଯାଇଛି ।

ଏମଏସଏମଇ ବନ୍ଦ ପଡୋଶୀ ରାଜ୍ୟ ଗୁଡିକରେ ଅଧିକ ରହିଛି । ଏହି ସମୟରେ ଆନ୍ଧ୍ରପ୍ରଦେଶରେ ୧୮୪୯ଟି ଏମଏସଏମଇ ବନ୍ଦହୋଇ ଯାଇଥିବାବେଳେ ପଶ୍ଚିମବଙ୍ଗରେ ଏହି ସଂଖ୍ୟା ୨୫୧୭ ରହିଛି । ତେବେ ସବୁଠାରୁ ଅଧିକ ୧୭,୫୭୪ ଟି ଏମଏସଏମଇ ମହାରାଷ୍ଟ୍ରରେ ବନ୍ଦ ହୋଇଯାଇଥିବା କେନ୍ଦ୍ରୀୟ ସୂଚନାରୁ ଜଣାଯାଇଛି ।

କରୋନା ମାଡରେ ମେରୁଦଣ୍ଡ ଭାଙ୍ଗି ଯାଇଥିବା ଏମଏସଏମଇଗୁଡିକୁ ସହାୟତା ଲାଗି ଋଣ ସହାୟତା, ବୈଷୟିକ ସହାୟତା ଓ ଭିତ୍ତିଭୂମି ବିକାଶ ସହିତ ଦକ୍ଷତା ବିକାଶ ତାଲିମ ଉପରେ ଗୁରୁତ୍ୱ ଦିଆଯାଉଛି । ଏମଏସଏମଇଗୁଡିକ ୫ଲକ୍ଷ ଟଙ୍କାର ଋଣ ଗ୍ୟାରେଣ୍ଟି ସହିତ ସହଜ ବ୍ୟବସାୟ ପାଇଁ ଉଦ୍ୟମରେ ପଞ୍ଜିକରଣ ବ୍ୟବସ୍ଥା ହୋଇଛି । ସେହିଭଳି ଏମଏସଏମଇ ପାଇଁ ଚମ୍ପିଅନ ପୋର୍ଟାଲର ଶୁଭାରମ୍ଭ ହୋଇଥିବାବେଳେ ୨୦୨୧ ଜୁଲାଇରୁ ଏମଏସଏମଇକୁ ଉଭୟ ଖୁଚୁରା ଓ ପାଇକାରୀ ବ୍ୟବସାୟ ପାଇଁ ଅନୁମତି ମିଳିଛି ।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବା ଏମଏସଏମଇକୁ ଆଗକୁ ନେବାପାଇଁ ସମସ୍ତ ପ୍ରକାର ଉଦ୍ୟମ କରୁଥିବାବେଳେ ରାଜ୍ୟରୁ ଜାଲ୍‍ ଏମଏସଏମଇ ଚିହ୍ନଟ ହେବା ଓ ତେର ଶହରୁ ଅଧିକ ଏମଏସଏମଇ ବନ୍ଦ ହୋଇଯିବା ଏବେ ଉଦ୍ୟୋଗୀ ଓ ଏ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । (ତଥ୍ୟ)