Home General ସିଙ୍ଗାପୁର ଗସ୍ତରେ ଧର୍ମେନ୍ଦ୍ର

ସିଙ୍ଗାପୁର ଗସ୍ତରେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ପର୍କକୁ ମଜବୁତ କରିବା ତଥା ଶିକ୍ଷା ତଥା ଦକ୍ଷତା ବିକାଶରେ ଦ୍ୱିପାକ୍ଷିକ ଯୋଗଦାନର ପରିସର ବିସ୍ତାର କରିବାର ସମ୍ଭାବନା ଅନୁସନ୍ଧାନ ନିମନ୍ତେ ଆଜି ଠାରୁ ତିନି ଦିନିଆ ସିଙ୍ଗାପୁର ଗସ୍ତରେ ଯିବେ ।

ଏହି ଗସ୍ତ ସମୟରେ ଶ୍ରୀ ପ୍ରଧାନ ସିଙ୍ଗାପୁରର ଉପ-ପ୍ରଧାନମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ଶ୍ରୀ ଲରେନ୍ସ ୱଙ୍ଗ, ବରିଷ୍ଠ ମନ୍ତ୍ରୀ ଶ୍ରୀ ଥରମାନ ଶାନମୁଗରତ୍ନମ୍‌, ବୈଦେଶିକ ମନ୍ତ୍ରୀ ଡକ୍ଟର ଭିଭିଆନ୍ ବାଲାକ୍ରିଷ୍ଣନ୍‌, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ଗନ୍‍ କିମ୍‍ ୟଙ୍ଗ ଏବଂ ଶିକ୍ଷା ମନ୍ତ୍ରୀ ଶ୍ରୀ ଚାନ୍‍ ଚୁନ୍‍ ସିଙ୍ଗ୍‍ଙ୍କ ସମେତ ସିଙ୍ଗାପୁର ସରକାରଙ୍କ ବିଭିନ୍ନ ପ୍ରମୁଖ ମନ୍ତ୍ରୀଙ୍କ ସହିତ ବୈଠକ କରିବେ ।

ଶ୍ରୀ ପ୍ରଧାନ ସିଙ୍ଗାପୁର ସ୍ପେକ୍ଟ୍ରା ମାଧ୍ୟମିକ ବିଦ୍ୟାଳୟ, ନାନିଆଙ୍ଗ ଟେକ୍ନୋଲୋଜି ୟୁନିଭରସିଟି (ଏନଟିୟୁ), ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ଏଜୁକେସନାଲ୍ ସର୍ଭିସେସ୍ (ଆଇଟିଇଇଏସ୍‍), ସିଙ୍ଗାପୁର ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ଡିଜାଇନ (ଏସୟୁଟିଡି) ସହିତ ବିଭିନ୍ନ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବେ । ସେ ସ୍କିଲ୍ସ ଫ୍ୟୁଚର ସିଙ୍ଗାପୁର (ଏସଏସଜି), ସିଙ୍ଗାପୁର ସରକାରଙ୍କ ଅଧୀନରେ ଥିବା ନୋଡାଲ ଏଜେନ୍ସି ସହିତ ମଧ୍ୟ ଆଲୋଚନା କରିବେ ଯାହା ଭବିଷ୍ୟତର ଦକ୍ଷତା କାର୍ଯ୍ରକ୍ରମକୁ ଆଗେଇ ନେଇଥାଏ ।

ତାଙ୍କ ଗସ୍ତ ସମୟରେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରବାସୀ ଭାରତୀୟ ଏବଂ ଓଡିଆ ସଂଗଠନର ସଦସ୍ୟମାନଙ୍କୁ ଭେଟିବେ । ମନ୍ତ୍ରୀ ମଧ୍ୟ ସିଙ୍ଗାପୁରରେ ଥିବା ଆଇଆଇଟି ଏବଂ ଆଇଆଇଏମ୍‌ର ପୁରାତନ ଛାତ୍ରମାନଙ୍କ ସହ ଆଲୋଚନା କରିବେ ।

ଦକ୍ଷତା ବିକାଶ କ୍ଷେତ୍ରରେ ଭାରତ ଏବଂ ସିଙ୍ଗାପୁରର ଦୀର୍ଘ ଦିନର ସହଭାଗିତା ରହିଛି । ଆମର ଜି୨୦ ଅଧ୍ୟକ୍ଷତା ଅଧୀନରେ ଥିବା ଶିକ୍ଷା କାର୍ଯ୍ୟ ଗୋଷ୍ଠୀର ଏକ ଧ୍ୟାନ କ୍ଷେତ୍ର ହେଉଛି ଆଜୀବନ ଶିକ୍ଷା ଏବଂ କାର୍ଯ୍ୟର ଭବିଷ୍ୟତକୁ ପ୍ରୋତ୍ସାହିତ କରିବା । ୨୫ ଏପ୍ରିଲ ୨୦୨୩ ରେ, ସିଙ୍ଗାପୁରର ଶିକ୍ଷା ମନ୍ତ୍ରଣାଳୟ ଏବଂ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ମିଳିତ ସହଯୋଗରେ ଓଡ଼ିଶାର ଭୁବନେଶ୍ୱରରେ ଅନୁଷ୍ଠିତ ତୃତୀୟ ଶିକ୍ଷା କାର୍ଯ୍ୟ ଗୋଷ୍ଠି ବୈଠକ ଅବସରରେ ଭବିଷ୍ୟତ କାର୍ଯ୍ୟପନ୍ଥା: ଭାରତ ଏବଂ ସିଙ୍ଗାପୁରର ଦକ୍ଷତା ସ୍ଥାପତ୍ୟ ଏବଂ ଶାସନ ମଡେଲ ଉପରେ ମିଳିତ କର୍ମଶାଳା ଆୟୋଜିତ ହୋଇଥିଲା । କର୍ମଶାଳା ସମୟରେ ଅନୁଷ୍ଠିତ ଆଲୋଚନା ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ଭବିଷ୍ୟତରେ ଦକ୍ଷତା ସହଯୋଗ ପାଇଁ ଏକ ରୋଡ୍ ମ୍ୟାପ୍ ର୍ନିମାଣରେ ସହାୟକ ହେବ ।