ଭୁବନେଶ୍ୱର : ସମଗ୍ର ଦେଶରେ ୮୫ ହଜାରରୁ ଅଧିକ ପେଟ୍ରୋଲ ପମ୍ପ ଥିବାବେଳେ ଓଡିଶାରେ ଏହି ସଂଖ୍ୟା ୨୩୦୯ ରହିଛି । ଏଥି ମଧ୍ୟରେ ସର୍ବାଧିକ ପେଟ୍ରୋଲ ପମ୍ପ ରାଷ୍ଟ୍ରାୟତ ସଂସ୍ଥାର ଥିବାବେଳେ ଘରୋଇ ଉଦ୍ୟମରେ ବି ଅଳ୍ପ କିଛି ପେଟ୍ରୋଲ ପମ୍ପ ପ୍ରତିଷ୍ଠା କରାଯାଇଛି ।
କେନ୍ଦ୍ର ତୈଳ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଦେଶରେ ଉଭୟ ରାଷ୍ଟ୍ରାୟତ ସଂସ୍ଥା ଓ ଘରୋଇ ସଂସ୍ଥା ସେମାନଙ୍କର ଖୁଚୁରା ବିକ୍ରୟ କେନ୍ଦ୍ର ଖୋଲିଛନ୍ତି । ତେବେ ରାଷ୍ଟ୍ରାୟତ କମ୍ପାନୀ ଗୁଡିକ ଦେଶରେ ୭୭,୧୫୮ ପେଟ୍ରୋଲପମ୍ପ ଖୋଲିଥିବାବେଳେ ଘରୋଇ ଉଦ୍ୟମରେ ମାତ୍ର ୮୩୭୧ଟି ପ୍ରତିଷ୍ଠା କରାଯାଇଛି ।
ସେହିଭଳି ଓଡିଶାରେ ଥିବା ୨୩୦୯ଟି ପ୍ରେଟ୍ରୋଲପମ୍ପ ମଧ୍ୟରୁ ୧୪୪ଟି ଘରୋଇ ସଂସ୍ଥାମାନେ ପ୍ରତିଷ୍ଠା କରିଛନ୍ତି । ରାଷ୍ଟ୍ରାୟତ କମ୍ପାନୀଗୁଡିକର ୨୧୬୫ ଟି ପେଟ୍ରୋଲ ପମ୍ପ ରହିଛି । ତେବେ ଏହି ରାଷ୍ଟ୍ରାୟତ କମ୍ପାନୀଗୁଡିକ ସବୁଠାରୁ ଅଧିକ ୯୮୦୩ ପେଟ୍ରୋଲପମ୍ପ ଉତ୍ତରପ୍ରଦେଶରେ ପ୍ରତିଷ୍ଠା କରିଥିବାବେଳେ ଘରୋଇ କମ୍ପାନୀଗୁଡିକ ସର୍ବାଧିକ ୧୪୧୫ଟି ପ୍ରେଟ୍ରୋଲ ପମ୍ପ ଗୁଜୁରାଟରେ ବସାଇଛନ୍ତି । ଚଣ୍ଡିଗଡ, ଗୋଆ, ଲଦାଖ ଓ ଲକ୍ଷାଦ୍ୱୀପରେ ଗୋଟିଏ ହେଲେ ଘରୋଇ ପେଟ୍ରୋଲପମ୍ପ ନାହିଁ ।
ସେହିଭଳି ଏହି ସୂଚନା ଅନୁଯାୟୀ ରାଷ୍ଟ୍ରାୟତ ତୈଳ କମ୍ପାନୀଗୁଡିକ ବିଜ୍ଞାପନ ବାବଦରେ ବ୍ୟୟକୁ ହ୍ରାସ କରି ଚାଲିଛନ୍ତି । ୨୦୧୭-୧୮ ବର୍ଷରେ ଏହି କମ୍ପାନୀଗୁଡିକ ବର୍ଷକୁ ପ୍ରାୟ ୪୨୮ କୋଟି ଟଙ୍କା ବିଜ୍ଞାପନ ବାବଦରେ ବ୍ୟୟ କରିଥିବାବେଳେ ୨୦୨୧-୨୨ରେ ଏହା ୧୫୦ କୋଟି ଟଙ୍କା ତଳକୁ ହ୍ରାସ ପାଇଛି । ତେବେ କମ୍ପାନୀଗୁଡିକ ସେମାନଙ୍କର ସିଏସଆର ବାବଦୀୟ ବ୍ୟୟଭାର ବଢାଇ ଚାଲିଛନ୍ତି । ୨୦୧୭-୧୮ ବର୍ଷରେ ସିଏସଆର ବାବଦରେ ୧୪୩୪ କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ୨୦୧୯-୨୦ବର୍ଷରେ ତାହା ୨୧୦୦ କୋଟି ଟଙ୍କାକୁ ଟପିଯାଇଥିଲା । ୨୦୨୧-୨୨ ବର୍ଷରେ ଏହି ବ୍ୟୟ ୧୫୫୦ କୋଟିରୁ ସାମାନ୍ୟ ଅଧିକ ରହିଛି ।
ଆମ ରାଜ୍ୟରେ ୨୩ଶହରୁ ଅଧିକ ପେଟ୍ରୋଲପମ୍ପ ରହିଥିଲେ ମଧ୍ୟ ଦୂର ଦୂରାନ୍ତରେ ଥିବା ଗାଁ ଗହଳର ଲୋକେ ଏବେ ବି ନିଜ ନିଜ ଗାଡିରେ ପେଟ୍ରୋଲ/ଡିଜେଲ ଆଦି ପକାଇବାପାଇଁ ସହରକୁ ଆସିଥାନ୍ତି । ଏଥି ସହିତ ବିନା ଅନୁମତିରେ ଅନେକ ଦୋକାନୀ ବିପଦଜନକ ଭାବେ ଏହି ଦହନଶୀଳ ପଦାର୍ଥକୁ ଖୋଲାଖୋଲି ବିକ୍ରି କରିଥାନ୍ତି । ପେଟ୍ରୋଲ ଭଳି ସାମଗ୍ରୀର ବିପଦଜନକ ପରିବହନ ଉପରେ କଡା କଟକଣା ଥିଲେ ମଧ୍ୟ ପେଟ୍ରୋଲପମ୍ପ ଠାରୁ ଦୂରରେ ରହୁଥିବା ଲୋକେ ଦୈନିକ ବ୍ୟାରେଲ ବ୍ୟାରେଲ ପେଟ୍ରୋଲ ନେଇ ଖୋଲାରେ ବିକ୍ରି କରିଥାନ୍ତି ଓ ଅନେକ ସମୟରେ ଏଥିରେ ଅପମିଶ୍ରଣର ଅଭିଯୋଗ ଆସିଥାଏ । (ତଥ୍ୟ)