ଭୁବନେଶ୍ୱର : ଗୋଟିଏ ପଟେ ରାଜ୍ୟରେ ଭୂତଳ ଜଳସ୍ତର ତଳକୁ ତଳକୁ ଯାଉଥିବାବେଳେ ଅନ୍ୟ ପଟେ ବିଭିନ୍ନ ଜିଲ୍ଲାରେ ଜଳରେ ବିଷାକ୍ତ ପଦାର୍ଥ ପରିଲକ୍ଷିତ ହେଉଛି । ଏପରିକି ରାଜ୍ୟର କେତେକ ସ୍ଥାନରେ ଜଳରେ ୟୁରାନିୟମ, କ୍ରୋମିୟମ ଓ ସୀସା ଭଳି ସାମଗ୍ରୀ ମଧ୍ୟ ମିଳିଛି ।
କେନ୍ଦ୍ରୀୟ ଜଳ ଆୟୋଗ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ ଜଳସ୍ତରର ଆକଳନ କରାଯାଇଥିଲା । ଏଥିରେ ଓଡିଶାର ୧୨୧୨ଟି କୂପ ସାମିଲ ହୋଇଥିଲା । ଏଥିରୁ ୪୯୧ଟି କୂପରେ ଜଳସ୍ତର ୪୦.୫ ମିଟର ତଳେ ଥିବାବେଳେ ୬୦୧ଟିରେ ଜଳସ୍ତର ୪୯.୬ ମିଟର ତଳେ ଥିବା ଜଣାପଡିଥିଲା । ୧୧୬ଟି କୂପର ଜଳସ୍ତର ୯.୬ ମିଟର ତଳେ ଥିବା ଜଣାପଡିଥିଲା । ଏହି ସମୟରେ ସମଗ୍ର ଦେଶରେ ୧୪,୫୭୭ଟି କୂପର ଜଳସ୍ତର ଯାଞ୍ଚ ହୋଇଥିବାବେଳେ ସେଥିରୁ ୩୬୯୭ଟି କୂପର ଜଳସ୍ତର ୨୫.୪ ମିଟର ଥିବାବେଳେ ୨୦୫ଟି କୂପର ଜଳସ୍ତର ୧.୪ ମିଟର ତଳେ ଥିଲା ।
ଅନ୍ୟ ପକ୍ଷରେ ରାଜ୍ୟର ୧୮ଟି ଜିଲ୍ଲାର କେତେକ ଅଞ୍ଚଳରେ ଜଳରେ ଲବଣାଂଶ ମିଳିଥିବାବେଳେ ୨୬ଟି ଜିଲ୍ଲାରେ କେତେକ ସ୍ଥାନରେ ଫ୍ଲୋରାଇଡ୍ ମିଳିଛି । ସେହିଭଳି ୫ଟି ଜିଲ୍ଲାରେ ପାନୀୟଜଳରେ ଆର୍ସେନିକ, ପ୍ରାୟ ସମସ୍ତ ଜିଲ୍ଲାରେ ଲୌହ, ୪ଟି ଜିଲ୍ଲାରେ ସୀସା ଠାବ ହୋଇଛି । ସେହିଭଳି ୨ଟି ଜିଲ୍ଲାରେ କେତେକ ଜଳ ନମୂନାରେ କ୍ରୋମିୟମ ମିଳିଥିବାବେଳେ ୫ଟି ଜିଲ୍ଲାରେ ୟୁରାନିୟମ ଭଳି ରସାୟନିକ ପଦାର୍ଥ ଠାବ ହୋଇଛି ।
ଏହି ସୂଚନା ଅନୁଯାୟୀ ସମଗ୍ର ଦେଶର ୧୮ଟି ରାଜ୍ୟର ୧୮୭ଟି ଜିଲ୍ଲାର କେତେକ ସ୍ଥାନରେ ୟୁରାନିୟମ ଭଳି ବିଷାକ୍ତ ପଦାର୍ଥ ଠାବ ହୋଇଥିବାବେଳେ ସମାନ ସଂଖ୍ୟକ ରାଜ୍ୟର ୭୧ଟି ଜିଲ୍ଲାରେ ଜଳରେ କ୍ରୋମିୟମର ମାତ୍ରା ମିଳିଛି । ସେହିଭଳି ୨୧ଟି ରାଜ୍ୟର ୧୯୧ ଜିଲ୍ଲାରେ ଜଳରେ ସୀସା ମିଳିଥିବାବେଳେ ସମଗ୍ର ଦେଶର ୫୧୫ ଜିଲ୍ଲାରେ ଜଳରେ ଲୌହ ଅଂଶ ଠାବ କରାଯାଇଛି ।
ଜଳରେ ବିଷାକ୍ତ ସାମଗ୍ରୀ ମିଶିଥିବା ଯୋଗୁଁ ବହୁ ସ୍ଥାନରେ ଲୋକେ କିଡ୍ନ ରୋଗ ସହିତ ଅନ୍ୟାନ୍ୟ ମାରାତ୍ମକ ରୋଗରେ ପୀଡିତ ହେଉଛନ୍ତି । ଓଡିଶାର କେତେକ ସ୍ଥାନରେ କିଡ୍ନୀ ରୋଗୀ ପ୍ରାଣଘାତୀ ହୋଇଥିବାବେଳେ ଜଳରୁ ଫ୍ଲୋରାଇଡ୍ ଦୂର ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ସେହିଭଳି ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ଜଳଉତ୍ସରେ ଲବଣାଂଶ ଥିବାରୁ ସେଠାରେ ଲୋକଙ୍କୁ ଟ୍ୟାପ୍ ଯୋଗେ ପାନୀୟଜଳ ବିଶୁଦ୍ଧ ପାନୀୟ ଯୋଗାଣ ପାଇଁ ଉଦ୍ୟ ଜାରି ରହିଛି । (ତଥ୍ୟ)