ଭୁବନେଶ୍ୱର : ଚାଷୀଙ୍କ ଫସଲ ବୀମା ପ୍ରିମିୟମ ଅର୍ଥ ଚଳିତ ବର୍ଷ ଠାରୁ ରାଜ୍ୟ ସରକାର ବହନ କରିବେ । ଆଜି ରାଜ୍ୟ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏହି ସୂଚନା ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଭାଗର ସମୀକ୍ଷା କରିବାପରେ ସାମ୍ବାଦିକମାନଙ୍କୁ ମନ୍ତ୍ରୀ ଶ୍ରୀ ନାୟକ ଏହି ଏହି ନିଷ୍ପତ୍ତି ଜଣାଇଛନ୍ତିମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଫସଲବୀମା ପରିସରକୁ ଅଧିକ ସଂଖ୍ୟକ ଚାଷୀଙ୍କୁ ଆଣିବାପାଇଁ ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଥିପାଇଁ ଚଳିତ ବର୍ଷ ଠାରୁ ଚାଷୀମାନଙ୍କର ବୀମା ପ୍ରିମିଅମ ଅର୍ଥ ସରକାର ବହନ କରିବେ ।
ବର୍ତ୍ତମାନ ରାଜ୍ୟରେ ୧୦ ରୁ ୧୨ ଲକ୍ଷ ଚାଷୀ ଫସଲବୀମାରେ ଅର୍ନ୍ତଭୁକ୍ତ ହେଉଛନ୍ତି । ଅନେକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ବୀମା ଅର୍ଥ ଦେବାକୁ ସମର୍ଥ ହେଉନଥିବାରୁ ସେମାନେ ଚାହିଁଲେ ମଧ୍ୟ ଏହା ପରିସରକୁ ଆସିପାରୁ ନାହାନ୍ତି । ତେଣୁ ତାହାକୁ ବିଚାର କରି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ବର୍ତ୍ତମାନ ଫସଲବୀମାରେ ଯେକୌଣସି ଚାଷୀ ନିଜକୁ ପଞ୍ଜିକୃତ କରିପାରିବେ । ତେଣୁ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ଫଳରେ ଅଧିକରୁ ଅଧିକ ଚାଷୀ ଏବେ ଫସଲବୀମା କରିପାରିବେ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ।
ସମବାୟ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ କୁମାର ଚଢା କହିଥିଲେ ଯେ ରାଜ୍ୟରେ ଫସଲବୀମା କାର୍ଯ୍ୟକାରୀ ପାଇଁ ଯେଉଁ ତିନିଟି କମ୍ପାନୀ ସହିତ ରାଜିନାମା ହୋଇଥିଲା ତାହାର ଅବଧି ଚଳିତ ବର୍ଷ ପୂରଣ ସରିଯାଇଛି । ତେଣୁ ଟେଣ୍ଡର ଜରିଆରେ ଆଗାମୀ ତିନିବର୍ଷ ପାଇଁ ନୂଆ କମ୍ପାନୀ ଚିହ୍ନଟ କରାଯିବ ।
ଚାଷୀମାନଙ୍କୁ ଫସଲବୀମା ଅର୍ଥ ପ୍ରଦାନ ନେଇ ପୂର୍ବରୁ ଯେଉଁ ସମସ୍ୟା ରହିଥିଲା ତାହା ଆଉ ରହିବ ନାହିଁ । କାରଣ ଫସଲ କ୍ଷତି ଆକଳନ ପାଇଁ ଏବେ ସାଟେଲାଇଟ୍ ଜ୍ଞାନକୌଶଳ ଉପଯୋଗ କରାଯାଉଛି । ଆସନ୍ତାବର୍ଷ ଏହା ଜରିଆରେ ୪୦% ଫସଲ କ୍ଷତି ଆକଳନ କରାଯିବାର ଥିବାବେଳେ ଏହା ପର ବର୍ଷ ୫୦% କରାଯିବ ।
ଏଥି ସହିତ ଚଳିତ ଖରିଫ ଋତୁରୁ ସରକାର ବୀମା ଅର୍ଥ ପ୍ରଦାନ କରିବାକୁ ଥିବାରୁ ଅଧିକରୁ ଅଧିକ ଚାଷୀ କିଭଳି ଫସଲବୀମା ପରିସରକୁ ଆସିବେ ସେଥିପାଇଁ ସମଗ୍ର ରାଜ୍ୟରେ ଆଇଇସି କାର୍ଯ୍ୟକ୍ରମ ଚଳାଯିବ ବୋଲି ଶ୍ରୀ ଚଢା ସୂଚନା ଦେଇଥିଲେ ।