ଭୁବନେଶ୍ୱର : ଖାଇବା ତେଲ ପାଇଁ ବର୍ଷ ସାରା ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିବା ଓଡିଶାରେ ତୈଳବୀଜ ଉତ୍ପାଦନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ବିଶେଷକରି ସୋରିଷ, ସୂର୍ଯ୍ୟମୁଖୀ ଉତ୍ପାଦନ କ୍ଷେତ୍ରରେ ରାଜ୍ୟ ଢେର ପଛରେ ପଡିଛି ।
ଦେଶର ବିଭିନ୍ନ ରାଜ୍ୟରେ ଉତ୍ପାଦିତ ହୋଇଥିବା ତୈଳବୀଜର ସୂଚନା ଅନୁଯାୟୀ ଓଡିଶାରେ ୨୦୧୭-୧୮ ବର୍ଷରେ ମାତ୍ର ୩ହଜାର ମେଟ୍ରିକ ଟନ୍ ସୋରିଷ ଉତ୍ପାଦିତ ହୋଇଥିବାବେବେଳେ ସେହିବର୍ଷ ରାଜ୍ୟରେ ଏକ ହଜାର ମେଟ୍ରିକ ଟନ୍ ସୋରିଷ ତେଲ ମିଳିଥିଲା । ଉକ୍ତ ବର୍ଷରେ ସମଗ୍ର ଦେଶରେ ୮୪.୩୦ ଲକ୍ଷ ମେଟ୍ରିକ ଟନ୍ ସୋରିଷ ଓ ୨୬.୧୫ଲକ୍ଷ ଟନ୍ ସୋରିଷ ତେଲ ଉତ୍ପାଦିତ ହୋଇଥିଲା । ରାଜସ୍ଥାନରେ ସେହିବର୍ଷ ସର୍ବାଧିକ ୩୫.୪୧ଲକ୍ଷ ଟନ୍ ସୋରିଷ ଉତ୍ପାଦିତ ହୋଇଥିଲା ।
ତେବେ ଓଡିଶାରେ ୨୦୧୮-୧୯ ବର୍ଷରେ ସୋରିଷ ଉତ୍ପାଦନ ୨ହଜାର ଟନ୍କୁ ହ୍ରାସ ପାଇଥିବାବେଳେ ୨୦୨୦-୨୧ ବର୍ଷ ପର୍ଯ୍ୟନ୍ତ ଏହି ପରିମାଣ ଅପରିବର୍ତ୍ତିତ ରହିଥିଲା । ୨୦୨୧-୨୨ ବର୍ଷରେ ରାଜ୍ୟରେ ୬ହଜାର ମେଟ୍ରିକ ଟନ୍ ସୋରିଷ ଫଳିଥିଲା । ସେହିବର୍ଷ ସମଗ୍ର ଦେଶରେ ୧୧୯.୬୩ଲକ୍ଷ ଟନ୍ ସୋରିଷ ଉତ୍ପାଦନ ହୋଇଥିବାବେଳେ ରାଜସ୍ଥାନର ସୋରିଷ ଉତ୍ପାଦନ ୫୭ଲକ୍ଷ ମେଟ୍ରିକ ଟନ୍କୁ ଟପିଯାଇଥିଲା । ତେବେ ୨୦୨୨-୨୩ ବର୍ଷରେ ସୋରିଷ ଉତ୍ପାଦନ ପୁଣିଥରେ ହ୍ରାସ ପାଇ ୫ହଜାର ମେଟ୍ରିକ ଟନ୍କୁ ହ୍ରାସ ପାଇଥିବା ଜଣାଯାଇଛି ।
ଏହି ସମୟ ମଧ୍ୟରେ ସମଗ୍ର ଦେଶରେ ସୋରିଷ ଉତ୍ପାଦନ ଲଗାତାର ଭାବେ ବୃଦ୍ଧି ପାଇ ୧୨୮ଲକ୍ଷ ମେଟ୍ରିକ ଟନ୍କୁ ଟପିଥିବାବେଳେ ଓଡିଶାରେ କିନ୍ତୁ ବାର୍ଷିକ ୧୦ହଜାର ଟନ୍ ଛୁଇଁ ପାରୁନାହିଁ । ଏଥିଯୋଗୁଁ ବର୍ଷ ସାରା ସୋରିଷ ଓ ସୋରିଷ ତେଲ ପାଇଁ ଓଡିଶା ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଛି ।
କେବଳ ସୋରିଷ ନୁହେଁ ଅନ୍ୟତମ ବହୁଳ ଖାଇବା ତେଲ ସୂର୍ଯ୍ୟମୁଖୀ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଓଡିଶା ପଛରେ ରହିଛି । ୨୦୧୭-୧୮ ବର୍ଷରେ ରାଜ୍ୟରେ ୧୫ହଜାର ମେଟ୍ରିକ ଟନ୍ ସୂର୍ଯ୍ୟମୁଖୀ ଉତ୍ପାଦନ ହୋଇଥିବାବେଳେ ୨୦୨୨-୨୩ରେ ତାହା ମାତ୍ର ୧୯ହଜାର ଟନ୍ରେ ପହଞ୍ଚିଛି । ସୂର୍ଯ୍ୟମୁଖୀ ଚାଷ ପାଇଁ ରାଜ୍ୟରେ ଚାଷୀମାନଙ୍କୁ ଯେତେ ପ୍ରୋତ୍ସାହନ ଯୋଗାଇଲେ ବି ସମସ୍ତ ପ୍ରକାର ଅନୁକୂଳ ପାଣିପାଗ ସତ୍ୱେ ଉତ୍ପାଦନ ଆଶାଜନକ ହୋଇପାରୁ ନାହିଁ । ସେହିଭଳି ଓଡିଶାରେ ସୋୟାବିନ୍ ଉତ୍ପାଦନ ଶୂନ ରହିଛି ।
ଆମ ଦେଶରେ ଚାହିଦା ତୁଳନାରେ ଖାଇବା ତେଲ ଉତ୍ପାଦନ କମ୍ ହେଉଥିବାରୁ ଆବଶ୍ୟକତାର ଅଧାରୁ ଅଧିକ ତେଲ ବିଦେଶରୁ ଆମଦାନୀ କରିବାକୁ ପଡୁଛି । ୨୦୧୭-୧୮ବର୍ଷରେ ଭାରତ ବିଦେଶରୁ ପ୍ରାୟ ୧୪୬ଲକ୍ଷ ମେଟ୍ରିକ ଟନ୍ ଖାଇବା ତେଲ ଆମଦାନୀ କରିଥିବାବେଳେ ୨୦୨୧-୨୨ରେ ଏହି ପରିମାଣ ୧୪୨ଲକ୍ଷ ମେଟ୍ରିକ ଟନ୍ ରହିଛି । ତେବେ ଏହି ସମସୟରେ ଖାଇବା ତେଲର ଚାହିଦା ୨୫୦ଲକ୍ଷ ମେଟ୍ରିକ ଟନ୍ରୁ ବୃଦ୍ଧି ପାଇ ୨୫୮ଲକ୍ଷ ମେଟ୍ରିକ ଟନ୍କୁ ଟପିଯାଇଛି ।
ରାଜ୍ୟରେ ତୈଳବୀଜ ଉତ୍ପାଦନ ବୃଦ୍ଧି ପାଉନଥିବାରୁ ବର୍ଷସାରା ଓଡିଶା ଲୋକେ ଅନ୍ୟ ରାଜ୍ୟର ତେଲ ଉପରେ ନିର୍ଭରଶୀଳ ହେଉଛନ୍ତି ଓ ଏହି ମଉକାରେ ରାଜ୍ୟ ବାହାରର ବ୍ୟବସାୟୀମାନେ ମନଇଚ୍ଛା ଦର କଷୁଛନ୍ତି । ଓଡିଶାର ଖାଇବା ତେଲ ବଜାରକୁ ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ନିୟନ୍ତ୍ରଣ କରୁଛନ୍ତି । (ତଥ୍ୟ)