Home Education ଦ୍ୱିତୀୟ କ୍ୟାମ୍ପସ କେବେ ?

ଦ୍ୱିତୀୟ କ୍ୟାମ୍ପସ କେବେ ?

ଭୁବନେଶ୍ୱର : ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ୍‍ ନିର୍ମାଣ ଲାଗି ସରକାରୀ ଘୋଷଣାର ୭ ବର୍ଷ ବିତିଯାଇଥିଲେ ବି କ୍ୟାମ୍ପସ୍‍ ନିର୍ମାଣ ତ ଦୂରର କଥା ଏଯାବତ୍‍ ଜମି ଚିହ୍ନଟ ହୋଇନାହିଁ । ଏଠାରେ ଉଲ୍ଲେଖନୀୟ ଯେ ୧୯୬୬ ମସିହାରେ ରମାଦେବୀ ମହିଳା କଲେଜ ଲାଗି ରାଜଧାନୀର ରୂପାଲି ଛକ ନିକଟରେ ୨୮ଏକର ଜମି ଚିହ୍ନଟ କରାଯାଇ ନିର୍ମାଣ କାର୍ଯ୍ୟ ୧୯୬୮ ଶେଷ ସୁଦ୍ଧା ସମାପ୍ତ ହୋଇଥିଲା ଏବଂ ୧୯୬୯ର ନୂଆବର୍ଷରେ କଲେଜ ଅଧ୍ୟକ୍ଷାଙ୍କୁ ନବନିର୍ମିତ ଶୌଧ ହସ୍ତାନ୍ତର କରାଯାଇଥିଲା ।

ଏଠାରେ ଉଲ୍ଲେଖନୀୟ ଯେ ବିଜୁ ପଟ୍ଟନାୟକଙ୍କ ପ୍ରଥମପାଳି ମୁଖ୍ୟମନ୍ତ୍ରୀତ୍ୱ କାଳରେ ଭୁବନେଶ୍ୱରରେ ଏକ ମହିଳା କଲେଜ ଲାଗି ଥିବା ପ୍ରସ୍ତାବ ୧୯୬୪ ମସିହାରେ ବିରେନ୍‍ ମିତ୍ରଙ୍କ ସରକାର ସମୟରେ କାର୍ଯ୍ୟକ୍ଷମ ହୋଇଥିଲା । ସେତେବେଳେ ବର୍ତ୍ତମାନର ଶ୍ରୀୟା ଟକିଜ୍‍ ନିକଟରେ ଥିବା ଶ୍ରମବିଭାଗ ଦପ୍ତରର ଏକ ଟିଣଘରେ ଆରମ୍ଭ ହୋଇଥିଲା ରାଜଧାନୀର ଏହି ପ୍ରଥମ ମହିଳା କଲେଜ ।

ପରବର୍ତ୍ତୀ ସମୟରେ ୧୯୬୬ରେ ସଦାଶିବ ତ୍ରିପାଠୀଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ଏହି ମହିଳା କଲେଜ ୟୁନିଟ୍‍-୧ ସ୍ଥିତ ଏକ ପୁରୁଣା ବିଦ୍ୟାଳୟ କୋଠାଘରକୁ ସ୍ଥାନାନ୍ତରିତ ହୋଇଥିଲା । ୧୯୬୯ରେ ଭୁବନେଶ୍ୱରର ଏହି ପ୍ରଥମ ସରକାରୀ ମହିଳା କଲେଜର ନାମ ଗାନ୍ଧୀ ଶତବାର୍ଷିକୀ ଅବସରରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜସେବୀ ମା’ ରମାଦେବୀଙ୍କ ନାମରେ ନାମିତ ହୋଇଥିଲା । ଏହି ମହିଳା କଲେଜ ୨୦୦୪ ଓ ୨୦୧୫ରେ ନ୍ୟାକ୍‍ର ‘ଏ’ଗ୍ରେଡ୍‍ ମାନ୍ୟତା ପାଇଥିଲା ଓ ୨୦୧୦ରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ରମାଦେବୀ ମହିଳା କଲେଜକୁ ସିପିଇ ଷ୍ଟାଷ୍ଟସ୍‍ ଦେଇଥିଲା ।

୨୦୧୫ରେ ରୁଷା ଯୋଜନାରେ ଏହି ଶିକ୍ଷାନୁଷ୍ଠାନ ରାଜ୍ୟର ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟ ଭାବେ ରୂପାନ୍ତରିତ ହୋଇଥିଲା ଏବଂ ସେହିବର୍ଷ ଡିସେମ୍ବର ୩ ତାରିଖ ମା’ ରମାଦେବୀଙ୍କ ଜନ୍ମତିଥି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଉଦ୍‍ଘାଟନ କରିଥିଲେ । ଏହି ଶିକ୍ଷାନୁଷ୍ଠାନ ସେଣ୍ଟର ଅଫ୍‍ ଏକ୍ସଲେନ୍ସ ମର୍ଯ୍ୟାଦା ପାଇଛି । ୬୦ ଦଶକରେ ମାତ୍ର ୨ବର୍ଷ ସମୟ ମଧ୍ୟରେ ରମାଦେବୀ ମହିଳା କଲେଜ ପାଇଁ ଜମି ଚିହ୍ନଟ ସହ ନିର୍ମାଣ କାର୍ଯ୍ୟ ସରିଥିବାବେଳେ ଅତ୍ୟାଧୁନିକ ଜ୍ଞାନକୌଶଳର ଯୁଗରେ ସରକାର ୭ବର୍ଷ ଧରି କାହିଁକି ଏହି ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ୍‍ ପାଇଁ ଜମି ଯୋଗାଇ ନିର୍ମାଣ କାର୍ଯ୍ୟ ସାରୁନାହାଁନ୍ତି ତାହା ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ରମାଦେବୀ ବିଶ୍ୱବିଦ୍ୟାଳୟରେ ଏବେ ୨୮ଟି ବିଷୟରେ ସ୍ନାତନ, ୨୧ଟିରେ ସ୍ନାତକୋତ୍ତର ଓ ୧୩ଟିରେ ପିଏଚ୍‍ଡି ପାଠ୍ୟକ୍ରମ ରହିଛି । ଏହି ବିଶ୍ୱବିଦ୍ୟାଳୟ ପରିସରରେ ଏବେ ଯୁକ୍ତ ୨ରୁ ପିଏଚ୍‍ଡି ପର୍ଯ୍ୟନ୍ତ ପାଠ୍ୟକ୍ରମ ଚାଲୁଛି ଏବଂ ଏଠାରେ ୪ହଜାରରୁ ଅଧିକ ଛାତ୍ରୀ ଅଧ୍ୟୟନ କରୁଛନ୍ତି । ରାଜ୍ୟର ୯ଟି ଜିଲ୍ଲାର ଅନ୍ୟୁନ ୪୮ଟି ମହିଳା କଲେଜ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ । ପୂର୍ବରୁ କଲେଜ ଥିବାବେଳେ ଏହି ଶିକ୍ଷାନୁଷ୍ଠାନକୁ ସ୍ୱୟଂଶାସିତ ମର୍ଯ୍ୟାଦା ମିଳିଥିଲା ।

ବିଶ୍ୱବିଦ୍ୟାଳୟ ଘୋଷଣାର ୮ବର୍ଷ ପରେ ଏବେ ଏହା ନ୍ୟାକ୍‍ ମାନ୍ୟତା ପାଇଁ ପ୍ରସ୍ତୁତ ହେଉଛି । ତେବେ ଯେଉଁ କାରଣ ଲାଗି ଉତ୍କଳ ବିଶ୍ୱବିଦ୍ୟାଳୟର ନ୍ୟାକ୍‍ ମାନ୍ୟତା ତଳକୁ ଖସିଲା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପାଇଁ ସେହିସବୁ କାରଣ କାଳ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟର ଏହି ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟ ମାତ୍ର ୫ଟି ପ୍ରଫେସରରେ ଚାଲିଛି । ଏଥିପାଇଁ ୧୩୮ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ଥିବାବେଳେ ସେଥିରୁ ପ୍ରାୟ ୮୦ଟି ଖାଲି ପଡିଛି । ସେହିଭଳି ଏହି ମହିଳା ବିଶ୍ୱବିଦ୍ୟାଳୟ ଲାଗି ୧୦୧ଟି ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦବୀ ଥିବାବେଳେ ସେଥିରୁ ବି ୮୮ଟି ଖାଲି । ଅତୀତରେ ରମାଦେବୀ ସ୍ୱୟଂଶାସିତ ମହିଳା କଲେଜ ବହୁ କ୍ଷେତ୍ରରେ ପାରଦର୍ଶିତା ଦେଖାଇଛି ।

ଏହାର ପୂର୍ବତନ ଛାତ୍ରୀ ଏବେ ଦେଶର ରାଷ୍ଟ୍ରପତି । ଏହି ଶିକ୍ଷାନୁଷ୍ଠାନ ସମ୍ମୁଖରେ ବାରମ୍ବାର ସଡ଼କ ଦୁର୍ଘଟଣା ଘଟୁଥିବାରୁ ଏକ ଫୁଟ୍‍ ଓଭରବ୍ରିଜ୍‍ ନିର୍ମାଣ ପାଇଁ ୨୦୧୧ ମସିହାରେ ମନ୍ତ୍ରୀ, ସାଂସଦ, ବିଧାୟକଙ୍କ ସମେତ ପ୍ରାୟ ୧୨ଜଣ ନେତାଙ୍କ ଉପସ୍ଥିତିରେ ଶିଳାନ୍ୟାସ କରାଯାଇଥିବାବେଳେ ଏହି ଫଳକଟି କେବଳ କର୍ତ୍ତୃପକ୍ଷଙ୍କୁ ଲୋକହସା କରୁଛି । ଏଯାବତ୍‍ ଫୁଟ୍‍ ଓଭରବ୍ରିଜ୍‍ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ । ଏ ପରିପ୍ରେକ୍ଷୀରେ ରାଜ୍ୟର ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ୍‍ ପାଇଁ ସରକାର କେବେ ଜମି ଯୋଗାଇବେ ଓ ସେଠି କେବେ ନିର୍ମାଣ କାର୍ଯ୍ୟ ସରିବ ତାହା ଏକ ପ୍ରଶ୍ନବାଚୀ । ଏଠାରେ ଉଲ୍ଲେଖନୀୟ ଯେ ୨୦୬୪ ମସିହାରେ ଜନ୍ମ ନେଇଥିବା ଏହି ଶିକ୍ଷାନୁଷ୍ଠାନ ଏବେ ତାହାର ହୀରକ ଜୟନ୍ତୀ ପାଳନ କରିବାକୁ ଯାଉଛି । (ତଥ୍ୟ)