ଭୁବନେଶ୍ୱର : ରଥଯାତ୍ରା ସମୟରେ ବିଦ୍ୟୁତ୍ କାଟ୍ ହେବ ନାହିଁ । ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ଆଜି ରଥଯାତ୍ରା ସମୟରେ ବିଦ୍ୟୁତ୍ ଯୋଗାଣ ନେଇ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ଏହି ସମୟରେ ବିଦ୍ୟୁତ୍ କାଟ୍ ନକରିବାପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ରଥଯାତ୍ରା ସମୟକୁ ମୌସୁମୀ ଆଗମନ ହୋଇଥିଲେ ବି ପିକ୍ ଆୱାର ମେଗାୱାଟ୍ ବିଦ୍ୟୁତ୍ ଯୋଗାଣ କରାଯିବ । ଆବଶ୍ୟକ ପଡ଼ିଲେ ଅଧିକ ପାୱାର କିଣାଯାଇ ଡିଷ୍ଟି୍ରବୁ୍ୟସନ୍ କମ୍ପାନୀମାନେ ଅଧିକ ପାୱାର ମଧ୍ୟ ଯୋଗାଣ କରିବେ । ପାୱାର ଗ୍ରୀଡ଼୍ ମଧ୍ୟରେ ସମନ୍ୱୟ ରହିବ । ଏହା ବ୍ୟତୀତ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଚେକିଂ, ଲୋଡ଼ିଂ ଓ ଲାଇନ୍ ଚେକିଂ କରାଯିବ ।
ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡର ବିଦ୍ୟୁତ୍ ସରବରାହ ପାଇଁ ସତର୍କତାମୂଳକ ପଦକ୍ଷେପ ନିଆଯିବ । ଯେହେତୁ ରାଜ୍ୟ ସାରା ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳିତ ହେଉଛି, ତେଣୁ ଡିଷ୍ଟ୍ରିବୁ୍ୟସନ୍ କମ୍ପାନୀ ଯଥା ଟିପିସିଓଡିଏଲ୍, ଟିପିଏସ୍ଓଡିଏଲ୍, ଟିପିଏନ୍ଓଡିଏଲ୍, ଟିପିଡବ୍ଳୁ୍ୟଡିଏଲ୍ ପାୱାର ଯୋଗାଣ ଉପରେ ସଜାଗ ରହିବେ । ପୁରୀ ରଥଯାତ୍ରା ପାଇଁ ଟିପିସିଓଡିଏଲ୍ ଅଧିକ ଯନିବାନ ହେବାକୁ ବୈଠକରେ କୁହାଯାଇଛି ।
ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରିପ୍ରେକ୍ଷୀରେ ଶକ୍ତି ଓ ଶିଳ୍ପ ବିଭାଗର ସମୀକ୍ଷା ବୈଠକ ମନ୍ତ୍ରୀ ଶ୍ରୀ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଧାର୍ଯ୍ୟ ସମୟ ମଧ୍ୟରେ ଉଭୟ ବିଭାଗର ପ୍ରକଳ୍ପଗୁଡ଼ିକୁ ଶେଷ କରିବା ପାଇଁ ଶ୍ରୀ ଦେବ ପରାମର୍ଶ ଦେଇଥିଲେ ।
ଏହି ବୈଠକରେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା, ଇପିକଲ୍ର ପରିଚାଳନା ନିର୍ଦ୍ଦେଶକ ଏବଂ ଶକ୍ତି ବିଭାଗ ପକ୍ଷରୁ ଗ୍ରୀଡ଼୍କୋର ପରିଚାଳନା ନିର୍ଦ୍ଦେଶକ, ଓପିଟିସିଏଲ୍ର ନିର୍ଦ୍ଦେଶକ (ଅପରେସନ୍) ଓ ଟିପିଡିଓସିଏଲ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଏବଂ ଉଭୟ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।