Home Finance ଚାରି ଜିଲ୍ଲାରେ ଅଧିକ ମିଶନ ଶକ୍ତି ଋଣ

ଚାରି ଜିଲ୍ଲାରେ ଅଧିକ ମିଶନ ଶକ୍ତି ଋଣ

ଭୁବନେଶ୍ୱର : ମିଶନ ଶକ୍ତିର ମହିଳା ଗୋଷ୍ଠିଙ୍କୁ ଅଧିକରୁ ଅଧିକ ଋଣ ପ୍ରଦାନ ଲାଗି ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବାବେଳେ ୪ଟି ଜିଲ୍ଲାର ମହିଳା ଗୋଷ୍ଠି ଶତ ପ୍ରତିଶତରୁ ଅଧିକ ଋଣ ଉଠାଣ କରିଛନ୍ତି । ଏହି ୪ଟି ଜିଲ୍ଲା ହେଲା ଅନୁଗୁଳ, କଳାହାଣ୍ଡି, କେନ୍ଦ୍ରାପଡା ଓ କେନ୍ଦୁଝର ।

ଏହି ଚାରି ଜିଲ୍ଲାର ମହିଳା ସ୍ୱୟଂ ସହାୟିକ ଗୋଷ୍ଠିକୁ ଋଣ ପ୍ରଦାନ ପାଇଁ ଯେଉଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା ତାହାଠାରୁ ଅଧିକ ଋଣ ସେମାନେ ନେଇଛନ୍ତି । ଗତବର୍ଷ ଡିସେମ୍ବର ଶେଷ ସୁଦ୍ଧା ଅନୁଗୁଳ ଜିଲ୍ଲାର ମିଶନଶକ୍ତିକୁ ୪୫୦ କୋଟି ଟଙ୍କାର ଋଣ ଯୋଗାଣର ଲକ୍ଷ୍ୟ ଥିବାବେଳେ ସେମାନେ ୪୬୬ କୋଟି ଟଙ୍କା ପାଇଛନ୍ତି । ସେହିଭଳି କଳାହାଣ୍ଡି ଜିଲ୍ଲାରେ ୧୫୯ ସ୍ଥାନରେ ୧୮୧ କୋଟି, କେନ୍ଦ୍ରାପଡାରେ ୨୬୯ କୋଟି ସ୍ଥାନରେ ୩୦୮ କୋଟି ଏବଂ କେନ୍ଦୁଝର ଜିଲ୍ଲାରେ ୩୧୧ କୋଟି ସ୍ଥାନର ୩୬୫ କୋଟି ଟଙ୍କାର ଋଣ ନେଇଛନ୍ତି ।

ତେବେ ଋଣ ପାଇବା ତାଲିକାରେ ସବୁଠାରୁ ଆଗରେ ରହିଛି ବାଲେଶ୍ୱର ଜିଲ୍ଲା । ଏହି ଜିଲ୍ଲାର ମିଶନଶକ୍ତିଗୁଡିକ ୬୪୦ କୋଟି ଟଙ୍କାର ଋଣ ପାଇଛନ୍ତି । ତେବେ ଜିଲ୍ଲାପାଇଁ ୭୦୨ କୋଟି ଟଙ୍କାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ଅନୁରୂପ ଭାବେ ମୟୁରଭଞ୍ଜ ଜିଲ୍ଲାର ମିଶନଶକ୍ତିକୁ ୬୩୬କୋଟି, ଗଞ୍ଜାମ ଜିଲ୍ଲାର ମିଶନ ଶକ୍ତି ୫୭୨ କୋଟିର ଋଣ ପାଇଥିବାବେଳେ, ପୁରୀ ୫୧୦ କୋଟି, କଟକ ଜିଲ୍ଲାର ମିଶନ ଶକ୍ତି ୪୯୩ କୋଟି ଟଙ୍କା, ଯାଜପୁର ୪୬୬ କୋଟି, ଖୋରଧା ୩୮୬ କୋଟି, ଭଦ୍ରକ ୩୭୪ କୋଟି ଟଙ୍କାର ଋଣ ପାଇଛନ୍ତି । ଏହି ସମୟ ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲାରେ ଥିବା ମିଶନ ଶକ୍ତିର ଗୋଷ୍ଠିଗୁଡିକୁ ୭୮୬୪ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି । ତେବେ ଏମାନଙ୍କୁ ୮୭୫୦ କୋଟି ଟଙ୍କାର ଋଣ ଦେବାପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା ।

ତେବେ ସବୁଠାରୁ କମ୍‍ ୭୦ କୋଟି ଟଙ୍କାର ଋଣ ନୂଆପଡାର ମିଶନ ଶକ୍ତି ଗୋଷ୍ଠିଗୁଡିକ ନେଇଥିବାବେଳେ ମାଲକାନଗିରିର ମିଶନ ଶକ୍ତିମାନେ ୭୧ କୋଟି ଟଙ୍କାର ଋଣ ନେଇଛନ୍ତି । ସେହିଭଳି ଦେବଗଡ ଜିଲ୍ଲାର ମିଶନଶକ୍ତି ଗୋଷ୍ଠିଗୁଡିକ ୭୨ କୋଟି ଟଙ୍କାର ଋଣ ନେଇଥିବାବେଳେ ବୌଦ ୮୩ କୋଟି, ଗଜପତି ୮୫ ଓ ଝାରସୁଗୁଡାର ମିଶନଶକ୍ତି ୮୬ କୋଟି ଟଙ୍କାର ଋଣ ନେଇଛନ୍ତି ।

ଉଲ୍ଲେଖନୀୟ ଯେ ରାଜ୍ୟରେ ମିଶନ ଶକ୍ତି ଅଧିନରେ ୬.୨ଲକ୍ଷ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଥିବାବେଳେ ଏଥିରେ ପ୍ରାୟ ୭୦ଲକ୍ଷ ମହିଳା ସଦସ୍ୟା ରହିଛନ୍ତି । ଏଥି ମଧ୍ୟରୁ ୨.୭୬ଲକ୍ଷ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଋଣ ଉଠାଣ କରିଥିବାବେଳେ ସେମାନଙ୍କୁ ୭୮୬୩.୬୪ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି । ତେବେ ରାଜ୍ୟ ସରକାର ମହିଳା ଗୋଷ୍ଠିଗୁଡିକୁ ବିନା ସୁଧରେ ଋଣ ଯୋଗାଣ ପାଇଁ ଘୋଷଣା କରିଥିବାରୁ ପ୍ରଦାନ କରାଯାଇଥିବା ଋଣର ସୁଧ ବାବଦରେ ରାଜ୍ୟ ସରକାର ବିଭିନ୍ନ ବ୍ୟାଙ୍କ୍‍ଗୁଡିକୁ ୧୬୫.୮୦ କୋଟି ଟଙ୍କାର ସୁଧ ବାବଦୀୟ ଅର୍ଥ ପ୍ରଦାନ କରିଥିବା ଜଣାଯ।।ଇଛି । (ତଥ୍ୟ)