ଭୁବନେଶ୍ୱର : ଓଡିଶା ହାଇକୋର୍ଟରେ ବର୍ଷକୁ ବର୍ଷ ଅଧିକରୁ ଅଧିକ ମାମଲା ରୁଜୁ ହେଉଥିବାବେଳେ ଏବେ ମାମଲା ଫଏସଲା ହାର ବଢୁଛି । ଏହା ସତ୍ୱେ ବି ହାଇକୋର୍ଟ ଉପରେ ଦେଢ ଲକ୍ଷରୁ ଅଧିକ ମାମଲାର ଚାପା ରହିଛି ।
୨୦୧୮ ବର୍ଷରେ ଓଡିଶା ହାଇକୋର୍ଟରେ ୬୨,୫୬୬ଟି ମାମଲା ରୁଜୁ ହୋଇଥିବାବେଳେ ୨୦୧୯ରେ ୮୧,୧୨୧ଟି ମାମଲା ରୁଜୁ ହୋଇଥିଲା । ୨୦୨୦ରେ ଏଠାେ ରୁଜୁ ହୋଇଥିବା ମାମଲା ସଂଖ୍ୟା ୮୩,୪୯୯ ଥିବାବେଳେ ୨୦୨୧ରେ କରୋନା ସତ୍ୱେ ଓଡିଶା ହାଇକୋର୍ଟରେ ୧,୨୮,୭୮୬ ଟି ମାମଲା ରୁଜୁ ହୋଇଥିଲା । ତେବେ ୨୦୨୨ ବର୍ଷର ଶୀତ ଅବକାଶ ପୂର୍ବରୁ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲା ସଂଖ୍ୟା ୧,୦୨,୨୪୭ ଥିବା ଜଣାପଡିଛି ।
ଅନ୍ୟ ପକ୍ଷରେ ୨୦୧୮ ବର୍ଷରେ ଓଡିଶା ହାଇକୋର୍ଟରେ ୬୩,୨୩୬ ଟି ମାମଲାର ଫଏସଲା ହୋଇଥିବାବେଳେ ୨୦୧୯ ବର୍ଷରେ ଏହି ସଂଖ୍ୟା ଥିଲା ୯୩,୨୨୪ ଓ ୨୦୨୦ ରେ ଏହା ୬୧,୩୩୫ରେ ସୀମିତ ଥିଲା । ୨୦୨୧ରେ ଓଡିଶା ହାଇକୋର୍ଟ ୧,୦୫,୧୨୮ଟିମାମଲା ଫଏସଲା କରିବାକୁ ସମର୍ଥ ହୋଇଥିବାବେଳେ ୨୦୨୨ର ଶୀତ ଅବକାଶ ସୁଦ୍ଧା ଫଏସଲା ହୋଇଥିବା ମାମଲା ସଂଖ୍ୟା ୧,୩୬,୫୯୯ରେ ପହଞ୍ଚିଥିଲା ।
ମୋଟାମୋଟି ଭାବେ ଗତବର୍ଷ ଓଡିଶା ହାଇକୋର୍ଟରେ ଯେତେ ମାମଲା ରୁଜୁ ହୋଇଥିଲା ଫଏସଲା ହୋଇଥିବା ମାମଲା ସଂଖ୍ୟା ତାହାର ୧୩୩ ପ୍ରତିଶତ ବୋଲି ଆକଳନ କରାଯାଇଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ମାମଲା ଶୁଣାଣିକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଉଛି । ଏହାଛଡା ବିନା କାଗଜପତ୍ରରେ ହାଇକୋର୍ଟରେ ମାମଲା ରୁଜୁ କରିବାପାଇଁ ଯେଉଁ ବ୍ୟବସ୍ଥା ହୋଇଛି ତାହା ବି ବେଶ୍ ଲାଭଦାୟକ ହେଉଛି । ଏହା ଫଳରେ ରାଜ୍ୟର ଯେକୌଣସି ଅଞ୍ଚଳରେ ରହି ଜଣେ ହାଇକୋର୍ଟରେ ଅନ୍ଲାଇନ୍ ମାଧ୍ୟମରେ ମାମଲା ରୁଜୁ କରିପାରିବେ ଏବଂ ଭିଡିଓ କନଫରେନ୍ସିଂରେ ସମ୍ପୃକ୍ତ ପକ୍ଷ କିମ୍ବା ତାଙ୍କ ଓକିଲ ମଧ୍ୟ ମାମଲା ପରିଚାଳନା କରିପାରୁଛନ୍ତି । ଏହାଛଡା ଆଉ କେତେକ କ୍ଷେତ୍ରରେ ସରକାରୀ ଅଧିକାରୀମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର ହେଉଥିବାରୁ ଅନେକ ସମୟ, ସମ୍ବଳ ଓ ଶକ୍ତି ସଞ୍ଚୟ ହୋଇପାରୁଛି ।
ଓଡିଶା ପ୍ରଶାସନିକ ନ୍ୟୟାଧିକରଣ (ସ୍ୟାଟ୍)କୁ ସରକାର ଉଚ୍ଛେଦ କରିବାପରେ ଏଠାରେ ଥିବା ପ୍ରାୟ ୭୨ହଜାର ମୂଳ ଓ ବିବିଧ ମାମଲାର ଚାପ ହାଇକୋର୍ଟ ଉପରେ ପଡିଛି । ଅବଶ୍ୟ ଇତି ମଧ୍ୟରେ ହାଇକୋର୍ଟଙ୍କ ବିଭିନ୍ନ ବେଞ୍ଚ ସ୍ୟାଟ୍ର ବହୁ ପୁରୁଣା ମାମଲାର ଫଏସଲା କରିବାରେ ସମର୍ଥ ହୋଇଛନ୍ତି । ତେବେ ଓଡିଶା ହାଇକୋର୍ଟ ଉପରେ ଯେତେ ମାମଲାର ଚାପା ରହୁଛି ଏବଂ ବର୍ଷକୁ ବର୍ଷ ନୂଆ ମାମଲା ସଂଖ୍ୟା ବଢୁଛି ତାହାକୁ ଆଖିଆଗରେ ରଖି ହାଇକୋର୍ଟର ମଞ୍ଜୁରୀପ୍ରାପ୍ତ ବିଚାରପତି ସଂଖ୍ୟା ଅନ୍ୟୁନ ୪୨କୁ ବୃଦ୍ଧି କରିବା ସହିତ ଖାଲି ପଡିଥିବା ସମସ୍ତ ବିଚାରପତି ପଦବୀ ତୁରନ୍ତ ପୂରଣ କରାଯିବା ଉପରେ ଅଭିଜ୍ଞ ଆଇନ୍ଜୀବୀମାନେ ଗୁରୁତ୍ୱଆରୋପ କରୁଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ ବିଚାରପତିମାନଙ୍କ ଉଦ୍ୟମ ସତ୍ୱେ ଏବେ ବି ହାଇକୋର୍ଟରେ ୫ରୁ ୩୦ବର୍ଷ ଓ ତଦୁର୍ଦ୍ଧ ସମୟର ବହୁ ପୁରୁଣା ମାମଲା ଗଡୁଛି । ଏମିତିକି ନିଯୁକ୍ତି, ପଦୋନ୍ନତି, ପେନ୍ସନ ଆଦି ଚାକିରି ସଂକ୍ରାନ୍ତୀୟ ମାମଲା ବର୍ଷ ବର୍ଷ ଧରି ଗଡିବା ଫଳରେ ନ୍ୟାୟପାଇଁ ମାମଲା ରୁଜୁ କରିଥିବା ବ୍ୟକ୍ତି ଓ ସେମାନଙ୍କ ପରିବାର ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଦେଶର ଅନ୍ୟ ବହୁ ହାଇକୋର୍ଟ ତୁଳନାରେ ଓଡିଶା ହାଇକୋର୍ଟର ମାମଳା ଫଏସଲା ହାର ତୁଳନାତ୍ମକ ଭାବେ ବେଶ୍ ଭଲ ରହିଥିବା କୁହାଯାଉଛି । (ତଥ୍ୟ)