ଭୁବନେଶ୍ୱର : ଖୋଲା ବଜାରରୁ ଯେଉଁ ହାରରେ ରାଜ୍ୟ ସରକାର ଋଣ କରୁଛନ୍ତି ତାହା ଜାରି ରହିଲେ ଚଳିତ ଆର୍ଥିକ ବର୍ଷ ଶେଷବେଳକୁ ଏହା ୨୭ହଜାର କୋଟି ଟଙ୍କାକୁ ଟପିଯିବାର ଆଶଙ୍କା ଉପୁଜିଛି । କେନ୍ଦ୍ରରୁ ମିଳୁଥିବା ଅନୁଦାନ ଓ ଟିକସ ଅଂଶ ପରିମାଣ ହ୍ରାସ ଯୋଗୁଁ ରାଜ୍ୟ ସରକାର ଖୋଲାବଜାର ଋଣ ପାଇଁ ବାଧ୍ୟ ହେଉଥିବାବେଳେ ଆର୍ଥିକ ବର୍ଷଶେଷ ସୁଦ୍ଧା ମୋଟ୍ ଋଣ ପରିମାଣ ଏକ ଲକ୍ଷ ୧୩ହଜାର କକୋଟି ଟଙ୍କାକୁ ଟପିଯିବାର ସମ୍ଭାବନା ରହିଛି ।
୨୦୨୦ ଏପ୍ରିଲ୍ରୁ ଡିସେମ୍ବର ମଧ୍ୟରେ ରାଜ୍ୟ ସରକାର ଖୋଲା ବଜାରରୁ ୧୯ହଜାର କୋଟି ଟଙ୍କାର ଋଣ ଉଠାଣ କରିଥିବାବେଳେ ଅର୍ଥନୀତିକୁ ଏହା ସୁଧାରିବା ସହିତ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିଲା । ରାଜ୍ୟ ସରକାର ଖୋଲା ବଜାରରୁ ଏବେ ଅଧିକ ଋଣ ଉଠାଇବାକୁ ଯାଉଛନ୍ତି । କରୋନା ମହାମାରୀ ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରିଥିବାବେଳେ କେନ୍ଦ୍ର ସରକାର ମଧ୍ୟ ରାଜସ୍ୱ ସଂଗ୍ରହପାଇଁ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଏଥିଯୋଗୁଁ କେନ୍ଦ୍ରରୁ ମିଳୁଥିବା ଅନୁଦାନ ଓ ଅଂଶଧନ ହ୍ରାସପାଇଛି ।
୨୦୨୦ ଡିସେମ୍ବର ଶେଷସୁଦ୍ଧା ରାଜ୍ୟର ଋଣ ପରିମାଣ ୧,୦୪,୫୧୬ କୋଟି ଟଙ୍କାରେ ପହଞ୍ଚିଛି ଯାହା ୨୦୧୯ ଡିସେମ୍ବର ୩୧ସୁଦ୍ଧା ୮୫,୩୩୭କୋଟି ଟଙ୍କା ଥିଲା । ଗତ ନଅମାସ ମଧ୍ୟରେ ରାଜ୍ୟ ସରକାର ୧୯,୧୭୯କୋଟି ଟଙ୍କାର ଋଣ କରିଛନ୍ତି । ତେବେ ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟର ଋଣ ପରିମାଣ ୧,୧୩,୦୦୦ କୋଟି ଟଙ୍କାରେ ପହଞ୍ଚିବାର ଆକଳନ କରାଯାଉଥିବାବେଳେ ଚଳିତ ଆର୍ଥକ ବର୍ଷରେ ଖୋଲା ବଜାର ଋଣ ପରିମାଣ ୨୭ହଜାର କୋଟିକୁ ଟପିଯିବାର ସମ୍ଭାବନା ରହିଛି ।
୨୦୨୦ ଡିସେମ୍ବର ୩୧ ତାରିଖ ସୁଦ୍ଧା ଓଡିଶା କେନ୍ଦ୍ରୀୟ ଟିକସ ଅଂଶଧନ ବାବଦରେ ୧୭,୨୦୩ କୋଟି ଟଙ୍କା ପାଇଛନ୍ତି ଯାହାକି ୨୦୧୯ ଡିସେମ୍ବର ୩୧ ସୁଦ୍ଧା ମିଳିଥିବା ଅର୍ଥ ତୁଳନାରେ ୨୨.୫ ପ୍ରତିଶତ କମ୍ । ଅନୁରୂପ ଭାବେ ଅନୁଦାନ ବାବଦରେ ୧୬,୬୭୧କୋଟି ଟଙ୍କା ମିଳିଛି ଯାହାକି ଗତବର୍ଷ ତୁଳନାରେ ୧୬.୨ ପ୍ରତିଶତ କମ୍ ରହିଛି । ରାଜ୍ୟ ସରକାର ଏକ ଲକ୍ଷ ୬୦ହଜାର କୋଟି ଟଙ୍କାର ବଜେଟ୍ ଯୋଜନା କରିଥିବାବେଳେ କେନ୍ଦ୍ରରୁ ଟିକସ ଅଂଶଧନ ଓ ଅନୁଦାନ ବାବଦରେ ୬୮,୩୦୦ କୋଟି ଟଙ୍କା ପାଇବାର ହିସାବ କରିଥିଲେ । ତେବେ ମାର୍ଚ୍ଚ ୩୧ ସୁଦ୍ଧା ଏହା ମିଳିବାର ସମ୍ଭାବନା ନାହିଁ । ୨୦୨୦ ଡିସେମ୍ବର ୩୧ ସୁଦ୍ଧା ମାତ୍ର ୩୩,୮୭୪କୋଟି ଟଙ୍କାର କେନ୍ଦ୍ରରୁ ମିଳିଥିବାରୁ ଅଧିକାରୀମାନେ ଚିନ୍ତାରେ ଅଛନ୍ତି ।
୨୦୨୦ ଡିସେମ୍ବର ୩୧ ସୁଦ୍ଧା ମୋଟ୍ ରାଜସ୍ୱ ସଂଗ୍ରହ ୬୭,୯୮୩କୋଟି ଟଙ୍କା ରହିଛି ଯାହାକି ୨୦୧୯ ତୁଳନାରେ ୮.୪ ପ୍ରତିଶତ କମ୍ । ଗୋଟିଏ ପଟେ ରାଜସ୍ୱ ସଂଗ୍ରହ ୮.୪ ପ୍ରତିଶତ କମିଥିବାବେଳେ ଅନ୍ୟପଟେ କିନ୍ତୁ ମୋଟ୍ ବ୍ୟୟ ପରିମାଣ ୨୦୨୦ ଏପ୍ରିଲ୍ରୁ ଡିସେମ୍ବର ମଧ୍ୟରେ ୬୮,୯୮୫କୋଟି ଟଙ୍କା ହୋଇଛି ଯାହାକି ୧୭.୩ ପ୍ରତିଶତ କମ୍ ରହିଛି । ସୁଧ ପରିଶୋଧ ପରିମାଣ ବଢି ଚାଲିଥିବାରୁ ଖୋଲା ବଜାରରୁ ଋଣ ଉଠାଣ ପାଇଁ ଏହା ସରକାରଙ୍କୁ ବାଧ୍ୟ କରୁଛି । ୨୦୧୯ ତୁଳନାରେ ଋଣ ଅନୁପାତ ବଢୁଥିବାରୁ ଖୋଲା ବଜାର ଋଣ ମଧ୍ୟ ବଢିଚାଲିଛି । (ତଥ୍ୟ)