ଭୁବନେଶ୍ୱର : ଶିକ୍ଷାଦାନ ଓ ଗବେଷଣା ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ସହିତ ବିଭିନ୍ନ ବିଭାଗରେ ୧୧ଟି ଉତ୍କର୍ଷ କେନ୍ଦ୍ର ଥିବା ସତ୍ତ୍ୱେ ଉତ୍କଳ ବିଶ୍ୱବିଦ୍ୟାଳୟ ପସନ୍ଦ ମୁତାବକ ନ୍ୟାକ୍ ମାନ୍ୟତା କାହିଁକି ପାଇଲା ନାହିଁ ସେଥିଘେନି ମାନସ ମନ୍ଥନ ଚାଲିଛି । ତେବେ ବିଶ୍ୱବିଦ୍ୟାଳୟରେ ୫୦ ପ୍ରତିଶତରୁ ଅଧିକ ଶିକ୍ଷକ ପଦବୀ ସମେତ ୬୫ ପ୍ରତିଶତରୁ ଅଧିକ ଅଣଶିକ୍ଷକ ପଦବୀ ଦୀର୍ଘଦିନ ଧରି ଖାଲି ରହିବା ଏହାର ଅନ୍ୟତମ କାରଣ ବୋଲି ଛାତ୍ରଛାତ୍ରୀ ଓ ଶିକ୍ଷାବିତ୍ମାନେ ମତ ଦେଉଛନ୍ତି ।
ପୂର୍ବରୁ ୨୦୧୬ରେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ନ୍ୟାକ୍ର ଏ-ପ୍ଲସ୍ ଗ୍ରେଡ୍ ମାନ୍ୟତା ମିଳିଥିଲା । ଏହାର ସମୟସୀମା ପୂରିବା ଆଗରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନୂଆ ନ୍ୟାକ୍ ଗ୍ରେଡ୍ ମାନ୍ୟତା ପାଇଁ ଆବେଦନ କରିବାକୁ ସାହାସ କରିନଥିଲେ । ବହୁ ବିଳମ୍ବରେ ଏଥିପାଇଁ ଆବେଦନ କରାଗଲା । ନ୍ୟାକ୍ର ଯାଞ୍ଚକାରୀ ଦଳ ଉତ୍କଳ ବିଶ୍ୱବିଦ୍ୟାଳୟ ପରିଦର୍ଶନରେ ଆସିବା ପୂର୍ବରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ବିଶ୍ୱବିଦ୍ୟାଳୟ ପରିସରରେ ନୂତନ ଶୌଧ ନିର୍ମାଣ ସହ ପୁରୁଣା ଘର ଗୁଡିକୁ ରଙ୍ଗ ଦିଆଯାଇଥିଲା ଏବଂ ସୌନ୍ଦର୍ଯ୍ୟକରଣ ଲାଗି ମଧ୍ୟ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ଅଥଚ ଖାଲି ପଡିଥିବା ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଗୁଡିକୁ ପୂରଣ କରାଯାଇପାରିଲା ନାହିଁ । ଏଥିଲାଗି ଆଇନଗତ ବିବାଦକୁ ମୁଖ୍ୟତଃ ଦାୟୀ କରାଯାଉଛି ।
ଗତ ମାର୍ଚ୍ଚ ମାସରେ ରାଜ୍ୟ ବିଧାନସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଦେଇଥିବା ତଥ୍ୟରେ ଉଲ୍ଲେଖ କରିଥିଲେ ଯେ ଓଡ଼ିଶାରେ ଏବେ ୧୮ଟି ସରକାରୀ ବିଶ୍ୱ ବିଦ୍ୟାଳୟ ଓ ୬ଟି ବେସରକାରୀ ବିଶ୍ୱବିଦ୍ୟାଳୟ ରହିଛି । ଅବଶ୍ୟ ଇତିମଧ୍ୟରେ ଏହି ସଂଖ୍ୟା ଅଧିକ ବଢିଛି । ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସ୍ୱୀକାରୋକ୍ତି ଅନୁଯାୟୀ ଉତ୍କଳ ବିଶ୍ୱବିଦ୍ୟାଳୟ ଲାଗିଥିବା ୨୫୭ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ମଧ୍ୟରୁ ୧୨୯ ଖାଲି ପଡିଥିବାବେଳେ ୯୮୦ଟି ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦବୀରୁ ଏଠାରେ ୬୬୭ଟି ଖାଲି ରହିଛି ।
ସରକାରୀ ହିସାବ ମୁତାବକ ପ୍ରାୟ ୮୦ବର୍ଷ ତଳେ ଓଡ଼ିଶାର ପ୍ରଥମ ବିଶ୍ୱବିଦ୍ୟାଳୟ ଭାବେ ଜନ୍ମ ଦେଇଥିବା ଉତ୍କଳ ବିଶ୍ୱବିଦ୍ୟାଳୟ ମାତ୍ର ୧୦ଜଣ ପ୍ରଫେସରଙ୍କୁ ନେଇ ଚାଲୁଛି । ଏହି ବିଶ୍ୱବିଦ୍ୟାଳୟ ଲାଗି ୪୭ଟି ମଞ୍ଜୁରୀପ୍ରାପ୍ତ ପ୍ରଫେସର ପଦବୀ ଥିବାବେଳେ ସେଥିରୁ ୩୭ଟି ଖାଲି । ସେହିପରି ଉତ୍କଳ ବିଶ୍ୱବିଦ୍ୟାଳୟର ୭୬ଟି ମଞ୍ଜୁରୀପ୍ରାପ୍ତ ସହଯୋଗୀ ପ୍ରଫେସର ପଦବୀରୁ ବି ୪୫ଟି ଖାଲି ପଡିଛି । ଏହାଛଡ଼ା ଓଡ଼ିଶାର ଏହି ସର୍ବପୁରାତନ ବିଶ୍ୱବିଦ୍ୟାଳୟ ଲାଗି ୧୩୪ଟି ମଞ୍ଜୁରୀପ୍ରାପ୍ତ ସହକାରୀ ପ୍ରଫେସର ପଦବୀ ଥିବାବେଳେ ସେଥିରୁ ୪୭ଟି ଫାଙ୍କା ପଡିଛି ।
ନ୍ୟାକ୍ ଯାଞ୍ଚକାରୀ ଦଳର ପରିଦର୍ଶନବେଳେ ବହୁ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟର ବିଭିନ୍ନ ସମସ୍ୟା ପ୍ରସଙ୍ଗ ଉଠାଇ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପୂରଣ, କ୍ୟାମ୍ପସ ଭିତରେ ଅଣଛାତ୍ରଙ୍କ ଦାଦାଗିରି ବନ୍ଦ କରିବା, କ୍ୟାମ୍ପସ୍କୁ ୨୪ଘଣ୍ଟିଆ ଜଳ ଓ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ରଖିବା, ବିଶ୍ୱବିଦ୍ୟାଳୟର କ୍ରୀଡା ଭିତ୍ତିଭୂମିର ବିକାଶ ସହ ଏହାର ଷ୍ଟାଡିୟମ୍କୁ କାର୍ଯ୍ୟକ୍ଷମ କରିବା ଏବଂ ବିଶ୍ୱବିଦ୍ୟାଳୟ ପରିସର ମଧ୍ୟରେ ଥିବା କ୍ୱାର୍ଟର୍ସଗୁଡ଼ିକୁ ଧ୍ୱଂସ ମୁଖରୁ ରକ୍ଷା କରିବା ଆଦି ଦିଗପ୍ରତି ଧ୍ୟାନ ଆକର୍ଷଣ କରିଥିଲେ । ଏମିତିକି ରାଜ୍ୟ ବିଧାନସଭାରେ ରାଜ୍ୟ ସରକାରଙ୍କ ପକ୍ଷରୁ ପଦବୀ ଖାଲି ପଡିଥିବା ତଥ୍ୟର ପ୍ରତିଲିପି ମଧ୍ୟ ପ୍ରଦାନ କରିଥିଲେ ।
ଏକଦା ଉଚ୍ଚତର ଗବେଷଣା ଏବଂ ଉତ୍କୃଷ୍ଟମାନର ଶିକ୍ଷା ପାଇଁ ଦେଶ ବିଦେଶରେ ପ୍ରସିଦ୍ଧି ଅର୍ଜନ କରିଥିବା ଉତ୍କଳ ବିଶ୍ୱବିଦ୍ୟାଳୟର ଗୁଣାତ୍ମକ ବିକାଶ ପାଇଁ ସର୍ବପ୍ରଥମେ ଖାଲି ପଡିଥିବା ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପୂରଣ ସଙ୍ଗେ ସଙ୍ଗେ ନୂଆ ବିଭାଗ ଖୋଲିବା ଓ ନୂଆ ଗବେଷଣା ପ୍ରତି ଧ୍ୟାନ ଦେବାକୁ ବାରମ୍ବାର ବିଭିନ୍ନ ମହଲରୁ ଦାବି ହୋଇଆସୁଛି । ଗୋଟିଏ ସମୟରେ ମିତବ୍ୟୟିତା ଅବଲମ୍ବନ ପାଇଁ ବ୍ୟାପକ ପଦପଦବୀ ଉଚ୍ଛେଦ ସହିତ ନିୟମିତ ନିଯୁକ୍ତି ଉପରେ ପ୍ରତିବନ୍ଧକ ଲଗା ଯାଇଥିଲା । ଏଥିଯୋଗୁ ବହୁବର୍ଷ ଧରି ଉତ୍କଳ ବିଶ୍ୱବିଦ୍ୟାଳୟ ସମେତ ରାଜ୍ୟର ପ୍ରାୟ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଦ୍ୟାଳୟ ଗୁଡିକରେ ବ୍ୟାପକ ସଂଖ୍ୟକ ପଦପଦବୀ ଖାଲି ପଡିଥିବାବେଳେ ମଝିରେ ମଝିରେ କିଛି ପଦବୀ ପୂରଣ ପାଇଁ ସରକାର ମଞ୍ଜୁର ଦେଉଛନ୍ତି ।
ଏବେ ବିଶ୍ୱ ବିଦ୍ୟାଳୟ ଆଇନର ପରିବର୍ତ୍ତନ କରାଯାଇ ଶିକ୍ଷକ ନିଯୁକ୍ତି ଦାୟିତ୍ୱ ବିଶ୍ୱବିଦ୍ୟାଳୟ ଗୁଡିକ ଠାରୁ କାଢିନେଇ ଲୋକସେବା ଆୟୋଗକୁ ଦିଆଯାଇଥିବାବେଳେ ଏପ୍ରସଙ୍ଗରେ ମାମଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଛି । ଉତ୍କଳ ବିଶ୍ୱବିଦ୍ୟାଳୟ ଯେଉଁ କାରଣରୁ ଉଚ୍ଚ ନ୍ୟାକ୍ ଗ୍ରେଡ୍ ପାଇବାରୁ ବଞ୍ôଚତ ହେଲା ସେହି କାରଣରୁ ରାଜ୍ୟର ଅନ୍ୟ ବିଶ୍ୱବିଦ୍ୟାଳୟ ଓ କଲେଜ ଗୁଡିକ ମଧ୍ୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ନ୍ୟାକ୍ ଗ୍ରେଡ୍ କମିଲେ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଇବାର ଆଶଙ୍କା ରହିଛି । (ତଥ୍ୟ)