Home Education ବିଦ୍ୟାଳୟରେ ବିଜୁଳି ସଂଯୋଗରେ ପଛୁଆ

ବିଦ୍ୟାଳୟରେ ବିଜୁଳି ସଂଯୋଗରେ ପଛୁଆ

ଭୁବନେଶ୍ୱର : ରାଜ୍ୟରେ ଥିବା ସରକାରୀ ବିଦ୍ୟାଳୟ ମଧ୍ୟରୁ ପାଖାପାଖି ୫୭ ପ୍ରତିଶତରେ ଖେଳପଡିଆ ଥିବାବେଳେ ୮୩ ପ୍ରତିଶତ ବିଦ୍ୟାଳୟରେ ବିଦ୍ୟୁତ୍‍ ସଂଯୋଗ ରହିଛି । ନିକଟରେ କେନ୍ଦ୍ର ସରକାର ସଂସଦରେ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି ।

ସମଗ୍ର ଦେଶରେ ସରକାରୀ ବିଦ୍ୟାଳୟରେ ଖେଳପଡିଆ ଓ ବିଦ୍ୟୁତ୍‍ ସଂଯୋଗ ସଂକ୍ରାନ୍ତରେ କେନ୍ଦ୍ର ସରକାର ୨୦୨୧-୨୨ ତଥ୍ୟ ଆଧାରରେ କେନ୍ଦ୍ର ସରକାର ଉପସ୍ଥାପନ କରିଥିବା ତଥ୍ୟରୁ ଜଣାଯାଇଛି ଯେ ଓଡିଶାରେ ଥିବା ୪୯,୦୭୨ ସରକାରୀ ବିଦ୍ୟାଳୟ ମଧ୍ୟରୁ ୨୭,୮୮୪ରେ ଖେଳପଡିଆ ଥିବାବେଳେ ୪୦,୮୩୨ ବିଦ୍ୟାଳୟରେ ବିଦ୍ୟୁତ୍‍ ସଂଯୋଗ ରହିଛି । ତେବେ ପଡୋଶୀ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ ଏ କ୍ଷେତ୍ରରେ ଓଡିଶା ଠାରୁ ଢେର ଆଗରେ ରହିଥିବା ଜଣାଯାଇଛି ।

ଏହି ସୂଚନା ଅନୁଯାୟୀ ଆନ୍ଧ୍ରପ୍ରଦେଶରେ ୭୩ ପ୍ରତିଶତରୁ ଅଧିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଲାଗି ଖେଳପଡିଆ ଥିବାବେଳେ ୯୮ ପ୍ରତିଶତରୁ ଅଧିକ ବିଦ୍ୟାଳୟରେ ବିଦ୍ୟୁତ ସଂଯୋଗ ରହିଛି । ସେହିଭଳି ଛତିଶଗଡରେ ୭୬ ପ୍ରତିଶତରୁ ଅଧିକ ବିଦ୍ୟାଳୟରେ ଖେଳପଡିଆ ଥିବାବେଳେ ୯୫ ପ୍ରତିଶତରୁ ଅଧିକ ବିଦ୍ୟାଳୟରେ ବିଦ୍ୟୁତ୍‍ ସଂଯୋଗ ରହିଛି । ଝାଡଖଣ୍ଡର ସରକାରୀ ବିଦ୍ୟାଳୟଗୁଡିକରେ ଏହି ହାର ଯଥାକ୍ରମେ ୬୮ ପ୍ରତିଶତ ଓ ୯୬ ପ୍ରତିଶତ ରହିଛି । ତେବେ ପଶ୍ଚିମବଙ୍ଗରେ ପ୍ରାୟ ୬୬ ପ୍ରତିଶତ ବିଦ୍ୟାଳୟରେ ଖେଳପଡିଆ ଥିବାବେଳେ ୯୮ ପ୍ରତିଶତରୁ ଅଧିକ ବିଦ୍ୟାଳୟରେ ବିଦ୍ୟୁତ୍‍ ସଂଯୋଗ ରହିଛି ।

ଇତି ମଧ୍ୟରେ କେନ୍ଦ୍ର ସରକାର ସମଗ୍ର ଶିକ୍ଷା ଯୋଜନା ଅଧିନରେ ଦେଶରେ ଥିବା ପ୍ରାୟ ୧.୨୦ ଲକ୍ଷ ବିଦ୍ୟାଳୟରେ ଖେଳପଡିଆ ଓ ବିଦ୍ୟୁତ ସଂଯୋଗ ଯୋଗାଇବା ଲାଗି ୪୫୯୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଏହି ଅର୍ଥରେ ଆଗାମୀ ଦିନଗୁଡିକରେ ଓଡିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ବିଦ୍ୟାଳୟ ଭିତ୍ତିଭୂମିରେ ଉନ୍ନତି ପରିଲକ୍ଷିତ ହେବ ।

ତେବେ ଓଡିଶାରେ ଏବେ ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ଆଧାର କରି କେତେକ ସଂଖ୍ୟକ ବିଦ୍ୟାଳୟକୁ କର୍ତ୍ତୃପକ୍ଷ ବନ୍ଦ କରିବାରେ ଲାଗିଛନ୍ତି । ଖୋଦ ରାଜଧାନୀରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ରୂପାନ୍ତରଣ ହୋଇଥିବା ବିଦ୍ୟାଳୟ ବି ଏହି ତାଲିକାରେ ସାମିଲ ହୋଇଛି । ଗାଁ ଗହଳର ଅନେକ ବିଦ୍ୟାଳୟ ଆସ୍ତେ ଆସ୍ତେ ଏହି ମାନଦଣ୍ଡ ଆଧାରରେ ବନ୍ଦ ହେବାରେ ଲାଗିଛି । ତେଣୁ ଏହିଭଳି ବିଦ୍ୟାଳୟଗୁଡିକରେ ଖେଳପଡିଆ ନିର୍ମାଣ କିମ୍ବା ବିଦ୍ୟୁତ୍‍ ସଂଯୋଗ ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ କିମ୍ବା ପରିଚାଳନା ସମିତି ଆଗ୍ରହ ପ୍ରକାଶ କରୁନଥିବା ପରିଲକ୍ଷିତ ହେଉଛି ।

ତେବେ ତାମିଲନାଡୁ, ଦିଲ୍ଲୀ, ଗୋଆ ଓ ଲକ୍ଷାଦ୍ୱୀପର ୧୦୦ ପ୍ରତିଶତ ବିଦ୍ୟାଳୟରେ ବିଦ୍ୟୁତ୍‍ ସଂଯୋଗ ହୋଇଥିବାବେଳେ କର୍ଣ୍ଣାଟକ, ସିକିମ ଓ ଗୁଜୁରାଟ ଭଳି ରାଜ୍ୟରେ ୯୯ ପ୍ରତିଶତରୁ ଅଧିକ ବିଦ୍ୟାଳୟରେ ବିଦ୍ୟୁତ୍‍ ସଂଯୋଗ ହୋଇସାରିଛି । ଏଭଳି ସ୍ଥଳେ ବିଦ୍ୟୁତ୍‍ ବଳକା ରାଜ୍ୟର ମାନ୍ୟତା ପାଇଥିବା ଓଡିଶାର ବିଦ୍ୟାଳୟଗୁଡିକରେ ବିଜୁଳି ଅପହଞ୍ଚ ହେବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । (ତଥ୍ୟ)