ଭୁବନେଶ୍ୱର : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ସଂକ୍ରାନ୍ତରେ ଲୋକଙ୍କୁ ଭଲ ଭାବେ ଅବଗତ କରିବାପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପେଶାଦାର ସଂସ୍ଥାର ସହାୟତା ନେବ । ଏଥିପାଇଁ ବିଭାଗ ପକ୍ଷରୁ ଖୋଲା ଟେଣ୍ଡର ଆହ୍ୱାନ କରାଯାଇଛି ।
୨୦୧୮ ମସିହାରେ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ ହୋଇଥିବାବେଳେ ବର୍ତ୍ତମାନ ଏଥିରେ ଲୋକଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଉଛି । ମହିଳାମାନଙ୍କ କ୍ଷେତ୍ରରେ ଏହା ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିଭଳି ରାଜ୍ୟ ବାହାରେ ଯେଭଳି ଲୋକେ ଏହି ଯୋଜନାରେ ସୁଫଳ ପାଇପାରିବେ ସେଥିପାଇଁ ବିଭିନ୍ନ ବେସରକାରୀ ଚିକିତ୍ସାଳୟ ସହିତ ରାଜ୍ୟ ସରକାର ରାଜିନାମା କରିଛନ୍ତି ।
ବିଏସ୍କେୱାଇର ସଫଳତା ଯୋଗୁଁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟବୀମା ଯୋଜନା ଆୟୁଷ୍କାନ ଭାରତକୁ ରାଜ୍ୟ ସରକାର ଲାଗୁ କରୁ ନାହାନ୍ତି । କେନ୍ଦ୍ର ସରକାରଙ୍କ ଯୋଜନାରେ ବୀମା ରାଶି ୫ଲକ୍ଷ ଟଙ୍କା ଥିବାବେଳେ ରାଜ୍ୟ ସରକାର ନିଜର ସ୍ୱାସ୍ଥ୍ୟଖର୍ଚ୍ଚ ସୀମା ୧୦ଲକ୍ଷ ଦର୍ଶାଇ ଆୟୁଷ୍ମାନ ଭାରତକୁ ନାଁ କହିଛନ୍ତି ।
ବିଏସକେୱାଇରୁ ରାଜ୍ୟବାସୀ ସୁଫଳ ପାଉଥିଲେ ମଧ୍ୟ କେତେକ ସ୍ଥାନରେ ଲୋକଙ୍କ ଅଜ୍ଞତାରୁ ଘରୋଇ ଡାକ୍ତରଖାନାଗୁଡିକ ଏହି ଯୋଜନାରୁ ଫାଇଦା ଉଠାଇବାରେ ଲାଗିଛନ୍ତି । ଏପରିକି ଲୋକଙ୍କୁ କାଗଜପତ୍ରରେ ରୋଗୀ ଦେଖାଇବା ସହିତ ସେମାନଙ୍କ ଚିକିତ୍ସା କାଗଜପତ୍ରରେ କରି ସରକାରୀ ଟଙ୍କା ହଡପ କରୁଛନ୍ତି । ଏଥିପାଇଁ ଖୋଦ୍ କଟକର କେତେକ ଡାକ୍ତରଖାନାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଳା ତାଲିକାଭୁକ୍ତ କରାଯାଇଛି ।
ସେହିଭଳି ଆଉ କିଛି ଲୋକ ଯୋଜନା ସଂକ୍ରାନ୍ତରେ ଭଲଭାବେ ଅବଗତ ହେଉନଥିବାରୁ ଏଥିରୁ ଲାଭ ଉଠାଇ ପାରୁନାହାନ୍ତି । ଚିକିତ୍ସାଳୟଗୁଡିକ ମଧ୍ୟ ଅର୍ଥ ଲୋଭରେ ଲୋକଙ୍କୁ ଠିକଣା ସୂଚନା ଦେଉନାହାନ୍ତି । ରୋଗୀମାନଙ୍କ ବିଏସକେୱାଇ କାର୍ଡରୁ ଅର୍ଥ ସରିବା ମାତ୍ରେ ଡାକ୍ତରଖାନାରୁ ବିଭିନ୍ନ ଆଳ ଦେଖାଇ ବିଦାକରି ଦେଉଛନ୍ତି । ତେଣୁ କେଉଁଠାରେ କିଭଳି ବିଏସ୍କେୱାଇ କାର୍ଡ ବ୍ୟବହାର ହେବ ସେ ସଂକ୍ରାନ୍ତରେ ଲୋକଙ୍କ ବିସ୍ତୃତ ସୂଚନା ଦିଆଯିବା ଆବଶ୍ୟକ ହୋଇପଡିଛି ।
ସେହିଭଳି ରାଜ୍ୟରେ ପିଲା ଜନ୍ମ କ୍ଷେତ୍ରରେ ଅସ୍ତ୍ରୋପଚାର ହାର ବୃଦ୍ଧି ପାଇବାପାଇଁ ମଧ୍ୟ ବିଏସକେୱାଇ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ ହେଉଛି । ଏହି କାର୍ଡ ଥିବା ପ୍ରସୂତୀମାନଙ୍କୁ ଘରୋଇ ଡାକ୍ତରଖାନାଗୁଡିକ ଫୁସୁଲାଇ ନେଇ ଅସ୍ତ୍ରେପାଚାର କରୁଛନ୍ତି । ଅର୍ଥ ଦେବାକୁ ପଡୁନଥିବାରୁ ପ୍ରସୂତୀଙ୍କ ପରିବାର ବି ସେଠାକୁ ଯାଉଛନ୍ତି । ଏଥିରେ ଚିକିତ୍ସକମାନଙ୍କର ବି ହାତ ରହୁଥିବା କୁହାଯାଉଛି ।
ତେଣୁ ରାଜ୍ୟରେ ସରକାରଙ୍କର ଏହି ଅଗ୍ରଗାମୀ ଯୋଜନାଟି କିଭଳି ସଫଳଭାବେ କାର୍ଯ୍ୟକାରୀ ହେବ ଓ ଲୋକେ ଏଥିରୁ ସୁଫଳ ପାଇବେ ସେଥିପାଇଁ ଏବେ ପେଶାଦାର ବେସରକାରୀ ସଂସ୍ଥାଙ୍କୁ ନିୟୋଜିତ କରାଯିବା ଲାଗି ସ୍ଥିର ହୋଇଛି । ଏହି ସଂସ୍ଥା ରାଜ୍ୟରେ ୩୬୦ ଡିଗ୍ରୀ ଆଇଇସି କାର୍ଯ୍ୟକ୍ରମ ଚଳାଇବ ବୋଲି ସୂଚନା ମିଳିଛି । (ତଥ୍ୟ)