Home Education ଓଡିଆରେ ପଢାଇବାକୁ ଅଧ୍ୟାପକ ଅରାଜି

ଓଡିଆରେ ପଢାଇବାକୁ ଅଧ୍ୟାପକ ଅରାଜି

ଭୁବନେଶ୍ୱର : ଓଡିଆ ଭାଷାରେ ପ୍ରବେଶିକା ଓ ଅନ୍ୟାନ୍ୟ ନିଯୁକ୍ତି ଭିତ୍ତିକ ପାଇଁ ଘୋଷଣା କରାଯାଉଥିବାବେଳେ ଉଚ୍ଚଶିକ୍ଷାନୁଷ୍ଠାଗୁଡିକରେ କିନ୍ତୁ ଓଡିଆ ପଢାଇବାପାଇଁ ଅଧ୍ୟାପକ ଅଧ୍ୟାପିକାମାନେ ରାଜି ହେଉନାହାନ୍ତି । ବିଶେଷକରି ନୂତନ ଭାବେ ନିଯୁକ୍ତି ପାଉଥିବା ଯୁବ ଅଧ୍ୟାପକମାନେ ପିଲାଙ୍କୁ ଓଡିଆ ପରିବର୍ତ୍ତେ ଇଂରାଜୀରେ ପଢିବା ଓ ପଢାଇବାକୁ ଗୁରୁତ୍ୱ ଦେଉଛନ୍ତି । ଏହାକୁ ନେଇ ଅନେକ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।

ସେନା ନିଯୁକ୍ତି ପରୀକ୍ଷା ଠାରୁ ଆରମ୍ଭ କରି ରାଜ୍ୟ ସ୍ତରରେ ବିଭିନ୍ନ ନିଯୁକ୍ତି ପରୀକ୍ଷା ଓଡିଆରେ ହେଉଛି । ସେହିଭଳି ଯୁକ୍ତ ତିନି ସ୍ତରରେ ବର୍ତ୍ତମାନ ସମଗ୍ର ରାଜ୍ୟରେ ଚାଲିଥିବା ପରୀକ୍ଷା ଲାଗି ଯେଉଁ ପ୍ରଶ୍ନପତ୍ର ପ୍ରସ୍ତୁତ ହେଉଛି ତାହା ଉଭୟ ଇଂରାଜୀ ଓ ଓଡିଆ ଭାଷାରେ ରହିଛି । କେନ୍ଦ୍ର ସରକାର ଆଞ୍ଚଳିକ ଭାଷାରେ ପାଠ ପଢା ଉପରେ ଗୁରୁତ୍ୱ ଦେବାପରେ ପ୍ରଥମରୁ ମାଟ୍ରିକ ପର୍ଯ୍ୟନ୍ତ ଓଡିଆ ଭାଷାରେ ପାଠ ପଢିଥିବା ଛାତ୍ରଛାତ୍ରୀମାନେ ଯୁକ୍ତ ଦୁଇ ଓ ଯୁକ୍ତ ତିନିରେ ଓଡିଆ ଭାଷାରେ ପଢିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ।

ବିଶେଷକରି କଳା ଓ ବାଣିଜ୍ୟର ଛାତ୍ରଛାତ୍ରୀମାନେ ଓଡିଆ ଭାଷାକୁ ଗୁରୁତ୍ୱ ଦେଉଛନ୍ତି । ଏହି ଦୁଇ ପାଠ୍ୟକ୍ରମର ବିଭିନ୍ନ ବିଷୟର ପୁସ୍ତକ ଓଡିଆ ଭାଷାରେ ଉପଲବ୍ଧ ହେଉଛି । ତେବେ ଅଧ୍ୟାପକ ଅଧ୍ୟାପିକାମାନେ କିନ୍ତୁ ଓଡିଆ ଭାଷାରେ ଶ୍ରେଣୀରେ ପଢାଇବାକୁ ନାରାଜ । ଅନେକ ଖୋଲାଖୋଲି ଭାବେ ଓଡିଆ ଜାଣିନଥିବା ପିଲାଙ୍କୁ ଶୁଣାଇ ଦେଉଛନ୍ତି । ନୂଆକରି ଯୁକ୍ତ ତିନି ଶ୍ରେଣୀର ପିଲାଙ୍କୁ ପଢାଇବାକୁ ନିୟମିତ କିମ୍ବା ଠିକାରେ ନିଯୁକ୍ତ ହୋଇଥିବା ଶିକ୍ଷକମାନେ ଓଡିଆ କହିପାରିବେ ନାହିଁ ବୋଲି କହିବା ସହିତ ଯିଏ ଓଡିଆରେ ପରୀକ୍ଷା ଦେବ ତାକୁ ଭଲ ନମ୍ବର ମିଳିବ ନାହିଁ ବୋଲି ବୁଝାଉଛନ୍ତି । ଏପରିକି କେତେକ ଅଧ୍ୟାପକ ଓଡିଆ ଭାଷାରେ ପରୀକ୍ଷାଦେଲେ କିମ୍ବା ପଢିଲେ ପିଲାମାନେ କୌଣସି ଠାରେ ଚାକିରି ପାଇବେ ନାହିଁ ବୋଲି ଗୁଜବ ସୃଷ୍ଟି କରିବାରେ ଲାଗିଛନ୍ତି ।

ତେବେ ଓଡିଆ ଭାଷାରେ ପ୍ରଶ୍ନପତ୍ର ପ୍ରସ୍ତୁତ କରୁଥିବା ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ସ୍ୱୟଂଶାସିତ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ସେମାନଙ୍କ ଛାତ୍ରଛାତ୍ରୀମାନେ କିଭଳି ଓଡିଆରେ ପଢୁଛନ୍ତି ଓ ଅଧ୍ୟାପକ ଅଧ୍ୟାପିମାନେ କିଭଳି ସେମାନଙ୍କୁ ଓଡିଆରେ ପଢାଉଛନ୍ତି ତାହାର ତଦାରଖ କରୁନାହାନ୍ତି । ଏହାର ସୁଯୋଗ ନେଇ କେତେକ ଅଧ୍ୟାପକ ଅଧ୍ୟାପିକା ଓଡିଆ ଭାଷାରେ ଯେଭଳି ଛାତ୍ରଛାତ୍ରୀମାନେ ନପଢିବେ ଓ ପରୀକ୍ଷା ନଦେବେ ସେଥିପାଇଁ ମିଳିତ ଭାବେ ଉଦ୍ୟମ ଚଳାଉଛନ୍ତି ।

ରାଜ୍ୟ ରାଜଧାନୀରେ ଥିବା ଆଗଧାଡିର ମହାବିଦ୍ୟାଳୟଗୁଡିକରେ ଏଭଳି ଅବସ୍ଥା ସୃଷ୍ଟି ହୋଇଛି । ଅଧ୍ୟାପକ ଅଧ୍ୟାପିକାଙ୍କ ଓଡିଆ ଭାଷାକୁ ନେଇ ନାଲିଆଖି ପରେ ଛାତ୍ରଛାତ୍ରୀମାନେ ଇଂରାଜୀରେ କି ଓଡିଆ ଭାଷାରେ ପରୀକ୍ଷା ଦେବେ ତାହା ଜାଣିପାରୁ ନାହାନ୍ତି । ବର୍ତ୍ତମାନ ଅଧିକାଂଶ ମହାବିଦ୍ୟାଳୟର ଅଧ୍ୟକ୍ଷ ଛାତ୍ରଛାତ୍ରୀଙ୍କ ପାଠପଢାର ଦେଖାଶୁଣା କରିବା ପରିବର୍ତ୍ତେ ପ୍ରଶାସନିକ ଓ ଭିତ୍ତିଭୂମି ବିକାଶ କାର୍ଯ୍ୟରେ ସମୟ ଅତିବାହିତ କରୁଥିବାରୁ ଓଡିଆ ଭାଷାକୁ ନେଇ ଓଡିଆ ମାଧ୍ୟମ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଯେଉଁ ଉତ୍ସାହ ପରିଲକ୍ଷିତ ହୋଇଥିବା ତାହା ଧିରେ ଧିରେ ମଉଳିବାରେ ଲାଗିଲାଣି । (ତଥ୍ୟ)