Home News in Odia ଆଉ ୧୦ବର୍ଷ ହକିର ପ୍ରାୟୋଜକ

ଆଉ ୧୦ବର୍ଷ ହକିର ପ୍ରାୟୋଜକ

ଭୁବନେଶ୍ୱର : ଓଡିଶା ସରକାର ଆଉ ୧୦ବର୍ଷ ପାଇଁ ଅର୍ଥାତ୍‍ ୨୦୩୩ ମସିହା ପର୍ଯ୍ୟନ୍ତ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ରହିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍‍ ବୈଠକ ଆଜି ଏହି ପ୍ରସ୍ତାବକୁ ସବୁଜ ସଙ୍କେତ ଦେଇଛି ।

କ୍ୟାବିନେଟ୍‍ ନିଷ୍ପତ୍ତି ସଂକ୍ରାନ୍ତରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି ଯେ ଓଡିଶା ସରକାର ୨୦୧୮ ମସିହାରୁ ଉଭୟ ପୁରୁଷ ଓ ମହିଳା ଜାତୀୟ ହକି ଦଳର ସରକାରୀ ପ୍ରାୟୋଜକ ରହିଛନ୍ତି ।

ଏହା ପୂର୍ବରୁ ଓଡିଶା ଖଣି ନିଗମ (ଓଏମ୍‍ସି) ସରକାରଙ୍‍କ ଅନୁମୋଦନ କ୍ରମେ ୨୦୧୮ରୁ ୨୦୨୩ ପର୍ଯ୍ୟନ୍ତ ୫ବର୍ଷ ପାଇଁ ଭାରତୀୟ ହକି ଦଳର ପ୍ରାୟୋଜକତା ପାଇଁ ହକି ଇଣ୍ଡିଆ ସହିତ ଚୁକ୍ତି କରିଥିଲା । ଚୁକ୍ତିକୁ ବୃଦ୍ଧି କରିବାପାଇଁ ହକି ଇଣ୍ଡିଆଙ୍କ ଅଧ୍ୟକ୍ଷଙ୍କ ଅନୁରୋଧ କ୍ରମେ ଓଏମ୍‍ସି ସରକାରଙ୍କ ଅନୁମୋଦ ଲୋଡିଥିଲା ଯାହାକୁ ଆଜି ରାଜ୍ୟ କ୍ୟାବିନେଟ୍‍ ସବୁଜ ସଙ୍କେତ ଦେଇଛି ।

ଫଳରେ ଓଏମ୍‍ସି ବର୍ତ୍ତମାନ ଆଉ ୧୦ବର୍ଷ ପାଇଁ ଅର୍ଥାତ୍‍ ୨୦୨୩ ଫେବୃୟାରୀ ୧ ତାରିଖରୁ ୩୧ ଜାନୁୟାରୀ ୨୦୩୩ ପର୍ଯ୍ୟନ୍ତ ପ୍ରାୟୋଜକ ହେବାକୁ ପ୍ରତିଶ୍ରୁତି ଦେଇଛି । ଏହି ସମୟ ମଧ୍ୟରେ ଓଏମ୍‍ସି ପକ୍ଷରୁ ହକି ଇଣ୍ଡିଆକୁ ୪୩୪.୧୨ କୋଟି ଟଙ୍କାର ଟିକସ ରହିତ ଅର୍ଥ ପ୍ରଦାନ କରାଯିବ ।

ଓଡିଶାର ଯୁବବର୍ଗଙ୍କ ମଧ୍ୟରେ ହକି ଏକ ଲୋକପ୍ରିୟ କିୀଡା ହୋଇଥିବାରୁ ଏହି ନିଷ୍ପତ୍ତି ଦ୍ୱାରା କ୍ରୀଡାକୁ ଅଧିକ ପ୍ରୋତ୍ସାହନ ଦେବା ସହିତ ଅଧିକରୁ ଅଧିକ ଯୁବ ଖେଳାଳିଙ୍କୁ କ୍ରୀଡା ପ୍ରତି ଆକୃଷ୍ଟ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ଯାହା ରାଜ୍ୟରେ ପ୍ରତିଭାର ଏକ ମଜବୁତ ସ୍ତର ସୃଷ୍ଟିରେ ସହାୟକ ହେବ ।