ଭୁବନେଶ୍ୱର : ରାଜ୍ୟରେ ବିଦ୍ୟୁତ୍ କାଟ୍ ବା ପାୱାର କଟ୍ ହେଉନାହିଁ । ଅଧିକ ଚାପ ଯୋଗୁଁ ବିଭିନ୍ନ ସ୍ଥାନରେ ପାୱାର ଟ୍ରିପ୍ ହୋଇଯାଉଛି । ଖୋଦ୍ ଭୁବନେଶ୍ୱରରେ ଏହାକୁ ସଜାଡିବାପାଇଁ ୬/୭ ଘଣ୍ଟା ସମୟ ଲାଗିଯାଉଥିବାବେଳେ ଗାଁ ଗହଳରେ ଅଧିକ ସମୟ ଲାଗୁଥିବା କହିଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ।
ବିଦ୍ୟୁତ୍ କାଟ ହେବନାହିଁ ବୋଲି ମନ୍ତ୍ରୀଙ୍କ ଘୋଷଣା ପରେ ରାଜ୍ୟର ବିଭନ୍ନ ସ୍ଥାନରେ ବିଜୁଳି କାଟ୍ ନେଇ ଆସୁଥିବା ଅଭିଯୋଗ ଉପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଦେବ ଏଭଳି ଯୁକ୍ତି ରଖିବା ସହିତ ଖରାଦିନେ ବିଦ୍ୟୁତ୍ ବଣ୍ଟନ ଉପରେ ଅଧିକ ଚାପ ରହୁଥିବା କହିଛନ୍ତି ।
ମନ୍ତ୍ରୀ କହିଛନ୍ତି ଯେ ଚଳିତ ଏପ୍ରିଲ୍ ୨୦ ତାରିଖରେ ପିକ୍ ସମୟରେ ଯେତିକି ବିଦ୍ୟୁତ୍ ଆବଶ୍ୟକ ଦେଖା ଦେଇଥିଲା ତାହା ସ୍ୱାଧୀନତା ପରେ କୌଣସି ଗୋଟିଏ ଦିନରେ ସର୍ବାଧିକ ଚାହିଦା । ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁଁ ଅଧିକ ବିଦ୍ୟୁତ୍ ଆବଶ୍ୟକ ହେଉଥିବାବେଳେ ପାୱାର ଟ୍ରିପ୍ ସଂଖ୍ୟା ବଢିବାରେ ଲାଗିଛି ।
ଯେଉଁଠାରେ ପାୱାର ଟ୍ରିପ୍ ହେଉଛି ସେଠାରେ ତାହାକୁ ମରାମତି ପାଇଁ କର୍ମଚାରୀ ତୁରନ୍ତ ଯାଉଛନ୍ତି । ଯଦି କେଉଁଠାରେ ଅଭିଯୋଗ ପରେ ବି ବିଦ୍ୟୁତ୍ କର୍ମଚାରୀ ଯାଉନାହାନ୍ତି କିମ୍ବା କାର୍ଯ୍ୟରେ ଅବହେଳା କରୁଛନ୍ତି ସେଠାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।
ଗତବର୍ଷ ଏହି ସମୟରେ ବିଦ୍ୟୁତ୍ ଚାହିଦା ୫୫୦୦ ମେଗାୱାଟ ଥିବାବେଳେ ଚଳିତବର୍ଷ ତାହା ୫୬୦୦ ମେଗାୱାଟକୁ ବୃଦ୍ଧି ପାଇଛି । ପ୍ରବଳ ଗରମ ଓ ଗୁଳୁଗୁଳିରୁ ରକ୍ଷାପାଇଁ ଶୀତତାପ ନିୟନ୍ତ୍ରିତ ଯନ୍ତ୍ରଠାରୁ ଆରମ୍ଭକରି କୁଲର ଓ ବିଦ୍ୟୁତ୍ ପଙ୍ଖା ଅଧିକ ଭାବେ ବ୍ୟବହୃତ ହେଉଛି ।
ଉଲ୍ଲେଖନୀୟ ଯେ ଚଳିତବର୍ଷ ଖରାଦିନରେ ବିଦ୍ୟୁତ୍ କାଟ୍ ହେବନାହିଁ ବୋଲି ମନ୍ତ୍ରୀ ଶ୍ରୀ ଦେବ ଦୃଢ ଭାବେ ଘୋଷଣା କରିବାପରେ ରାଜ୍ୟର ବିିଭିନ୍ନ ସ୍ଥାନରେ ବିଦ୍ୟୁତ୍ କାଟ୍ରେ ସନ୍ତୁଳି ହେଉଥିବା ଲୋକେ ବିଜୁଳି ବିଭାଗ ଠାରୁ ଆରମ୍ଭକରି ଖୋଦ୍ ମନ୍ତ୍ରୀଙ୍କୁ ବି ଫୋନ୍ କରି ଅସନ୍ତୋଷ ପ୍ରକଟ କରୁଛନ୍ତି । ତେବେ ବିଦ୍ୟୁତ୍ର ଅଭାବ ନଥିବାବେଳେ ଅଧିକ ଚାପ ଯୋଗୁଁ ଏଭଳି ଘଟୁଥିବା ମନ୍ତ୍ରୀ ସ୍ୱୀକାର କରିଛନ୍ତି ।
ତେବେ ଦୁର୍ବଳ ଭିତ୍ତିଭୂମି ଯୋଗୁଁ ଏଭଳି ଘଟୁଥିବା ବିଶେଷଜ୍ଞମାନେ ମତ ଦେଉଥିବାବେଳେ କାପେକ୍ସ ଓ ଅନ୍ୟାନ୍ୟ ଯୋଜନାରେ ଦୀର୍ଘଦିନ ଧରି ଚାଲିଥିବା ଭିତ୍ତିଭୂମି ବିକାଶର ଅସଲ ଚିତ୍ର ପଦାରେ ପଡିଛି ବୋଲି ଖାଉଟିମାନେ ମତ ଦେଉଛନ୍ତି ।