Home News in Odia ନେତାଙ୍କ ନିରାପତ୍ତା ଚିନ୍ତା

ନେତାଙ୍କ ନିରାପତ୍ତା ଚିନ୍ତା

ଭୁବନେଶ୍ୱର : ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ପରେ ହେଉଥିବା ଝାରସଗୁଡା ବିଧାନସଭା କ୍ଷେତ୍ର ଉପନିର୍ବାଚନ ପାଇଁ ବିଭିନ୍ନ ଦଳର ତାରକା ପ୍ରଚାରକ ତାଲିକା ଘୋଷଣା କରାଯିବା ପରେ ଏବେ ଏମାନଙ୍କ ନିରାପତ୍ତା ସହ ନିର୍ବାଚନ ମଣ୍ଡଳୀରେ ଆଇନଶୃଙ୍ଖଳା ରକ୍ଷା ବ୍ୟବସ୍ଥା ପାଇଁ ବଡ଼ ଆହ୍ୱାନ ହୋଇଛି ।

ଏହି ନିର୍ବାଚନରେ ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ, ସାଂସଦ, ରାଜ୍ୟର ମନ୍ତ୍ରୀ, ବିଧାୟକ, ପୂର୍ବତନ ମନ୍ତ୍ରୀଙ୍କ ସମେତ ବହୁ ଓଜନଦାର ନେତା ମଇଦାନକୁ ଓହ୍ଲାଉଛନ୍ତି । ଇତିମଧ୍ୟରେ ବିଜେଡି, ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ସମଗ୍ର ନିର୍ବାଚନ ମଣ୍ଡଳୀରେ ମତଦାତାଙ୍କ ସହ ପ୍ରତ୍ୟେକ୍ଷ ସମ୍ପର୍କ ଅଭିଯାନ ବିଭନ୍ନ ଦଳ ଓ ପ୍ରାର୍ଥୀମାନଙ୍କ ପକ୍ଷରୁ ଆରମ୍ଭ ହୋଇଛି ।

ଗୋଟିଏ ପଟେ ପୁଲିସ ଗୁଳିରେ ମନ୍ତ୍ରୀ ନବକିଶୋରଙ୍କ ହତ୍ୟାକାଣ୍ଡ ଘଟିଥିବାବେଳେ ଅନ୍ୟପଟେ ପଡୋଶୀ ସମ୍ବଲପୁରରେ ସୃଷ୍ଟି ହୋଇଥିବା ଆଇନଶୃଙ୍ଖଳା ପରିସ୍ଥିତି ଏବଂ ଝାରସୁଗୁଡା ଓ ପଡୋଶୀ ଜିଲ୍ଲାମାନଙ୍କରେ ରହିଥିବା ମାଫିଆମାନଙ୍କ ପୂର୍ବ ରେକର୍ଡ ଅନୁଯାୟୀ ପୁଲିସକୁ ଆଗତୁରା ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ହେଉଛି । ଏଥିଲାଗି ଜିଲ୍ଲା ପୁଲିସ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ସଶସ୍ତ୍ର ପୁଲିସ ଝାରସୁଗୁଡା ଆସୁଛନ୍ତି । ଏହାଛଡା କେନ୍ଦ୍ରୀୟ ସୁରକ୍ଷାବଳ ମଧ୍ୟ ଝାରସୁଗୁଡା ଉପନିର୍ବାଚନ ପାଇଁ ମୁତୟନ ରହିବେ ।

ଇତିମଧ୍ୟରେ ଝାରସୁଗୁଡାର ନୂଆ ଜିଲ୍ଲାପାଳ କାର୍ଯ୍ୟରେ ଯୋଗଦେବା ସଙ୍ଗେ ସଙ୍ଗେ ପରିସ୍ଥିତିର ଆକଳନ କରି ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ୍‍ ଗୁଡିକ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରୁଥିବା ଜଣାପଡିଛି । ବୈଶାଖର ରୌଦ୍ରତାପ ଝାରସୁଗୁଡାରେ ଅଧିକ ଅନୁଭୂତ ହୁଏ । ଏବଂ ଦିନେ ଦିନେ କେବଳ ଓଡ଼ିଶାରେ କାହିଁକି ଝାରସୁଗୁଡା ଦେଶର ସବୁଠାରୁ ଅଧିକ ଉତପ୍ତ ସହରର ମାନ୍ୟତା ଲାଭକରେ । ଏ ପରିପ୍ରେକ୍ଷୀରେ ମଇ ୧୦ ତାରିଖ ପର୍ଯ୍ୟନ୍ତ ପାଣିପାଗରେ ସୁଧାର ନଆସିଲେ ଦିନ ୧୦ଟାରୁ ୪ଟା ପର୍ଯ୍ୟନ୍ତ ଖରାରେ ନିର୍ବାଚନ ପ୍ରଚାର କରିବା ଅସମ୍ଭବ ହୋଇପଡିବ । ଏଥିଲାଗି ବିଭିନ୍ନ ଦଳ ଓ ପ୍ରାର୍ଥୀମାନଙ୍କ ଲାଗି ସଭାସମିତି ଅପେକ୍ଷାକୃତ ଥଣ୍ଡା ସମୟରେ ସକାଳେ ଓ ସଞ୍ଜରେ ହେବ ।

ଉପନିର୍ବାଚନ ପ୍ରଚାରକୁ ସରଗରମ କରିବା ପାଇଁ ଝାରସୁଗୁଡା ବାହାରୁ ବିଭିନ୍ନ ଦଳର ତାରକା ତାଲିକାରେ ଯେତେ ରାଜନେତା ଅଛନ୍ତି ସେମାନଙ୍କୁ ଛାଡି ଆଉ ଅନେକ ନେତା ଏବେ ଝାରସୁଗୁଡା ମୁହାଁ । ଅତୀତର ଅଭିଜ୍ଞତା ଏବଂ ରାଜନୈତିକ କ୍ଷେତ୍ରରେ ବୁଡ଼ି ଯାଉଥିବା ଶିଷ୍ଟାଚାର ଓ ସହନଶୀଳତା ଯୋଗୁ ରାଜନୈତିକ ହିଂସାକାଣ୍ଡ ଉପୁଯିବା ସମ୍ଭାବନାକୁ ମଧ୍ୟ ଏଠାରେ ଏଡ଼ାଇ ଦେଇ ହେବନାହିଁ । ବିଶେଷକରି ଉପନିର୍ବାଚନ ପରିପ୍ରେକ୍ଷୀରେ କଳାଟଙ୍କା ଓ ନିଶା ସାମଗ୍ରୀ ବଣ୍ଟନର ଆଶଙ୍କା ଥିବା ପରିପ୍ରେକ୍ଷୀରେ ଏହାକୁ ପ୍ରତିହତ କରିବା ପ୍ରଶାସନ ପାଇଁ ବଡ ଆହ୍ୱାନ ହେବ ବୋଲି କୁହାଯାଉଛି ।

ଏବେ ଝାରସୁଗୁଡା ଉପନିର୍ବାଚନ ପରିପ୍ରେକ୍ଷୀରେ ରାଜଧାନୀ ଭୁବନେଶ୍ୱର ସମେତ ସମ୍ବଲପୁର, ଝାରସୁଗୁଡା ଆଦିରେ ବିଭିନ୍ନ ଦଳ ପକ୍ଷରୁ ଆରୋପ ଓ ପ୍ରତ୍ୟାରୋପର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଏମିତିକି ଶାଳୀନତାର ସୀମା ସରହଦ ଡେଇଁ କେତେକ ନେତାନେତ୍ରୀଙ୍କ ନାମରେ ପ୍ରାୟ ପ୍ରତିଦିନ ବିବୃତି ଜାରି ଚାଲିଛି ।

ନିର୍ବାଚନ କମିଶନଙ୍କ ସମେତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଝାରସୁଗୁଡା ଉପନିର୍ବାଚନ ଉପରେ ତୀକ୍ଷ୍ଣ ନଜର ରଖିଥିବା ପରିପ୍ରେକ୍ଷୀରେ ଜିଲ୍ଲା ନିର୍ବାଚନ ଅଧିକାରୀ ମଧ୍ୟ ଉପନିର୍ବାଚନର ସଠିକ୍‍ ପରିଚାଳନା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରୁଛନ୍ତି ।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବିଭିନ୍ନ ଦଳର ଯେତେ ସଂଖ୍ୟକ ନେତା ଏହି ଉପନିର୍ବାଚନରେ ସାମିଲ ହେଉଛନ୍ତି ସେମାନଙ୍କ ପାଇଁ ବ୍ୟବସ୍ଥା ମୁତାବକ ଯାହା ନିରାପତ୍ତା ଗ୍ରହଣ କରାଯିବା କଥା ତାହା ନିଆଯାଉଛି । ବିଶେଷକରି ରାଜ୍ୟ ଓ କେନ୍ଦ୍ରର ମନ୍ତ୍ରୀମାନଙ୍କ ପାଇଁ ଯେଉଁ ସ୍ୱତନ୍ତ୍ର ନିରାପତ୍ତା ବ୍ୟବସ୍ଥା ରହିଛି ତାହାକୁ ବି ଏ କ୍ଷେତ୍ରରେ ଆଖି ଆଗରେ ରଖାଯାଉଛି । ଏବେ ଝାରସୁଗୁଡା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବ୍ଲକ ଓ ପୌରାଞ୍ଚଳରେ ପୁଲିସ ପଇଁତରା ବଢିଥିବାବେଳେ ଆଗାମୀ ଦିନରେ ଅବସ୍ଥାକୁ ଦେଖି ଅଧିକ କଡ଼ା ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳୁଛି । (ତଥ୍ୟ)