ଓଡିଶା ବିଧାନସଭାରେ ଆଜି ଦଳମତ ନିର୍ବିଶେଷରେ ସଦ୍ୟମାନେ ଝୁରି ହୋଇଥିଲେ ବିଧାୟକ ପ୍ରଦୀପ ମହାରଥୀଙ୍କୁ । ମହାରଥୀଙ୍କ ପରଲୋକରେ ଆସିଥିବା ଶୋକ ପ୍ରସ୍ତାବ ଆଲୋଚନାରୁ ସଦସ୍ୟମାନେ ଯେ ତାଙ୍କୁ କେତେ ହରାଇଛନ୍ତି ତାହା ଜଳ ଜଳ ହୋଇ ଦିଶୁଥିଲା । ସ୍ମୃତି ଚାରଣ ବେଳେ କିଏ ଗୃହରେ କାନ୍ଦି ପକାଉଥିଲା ତ ଆଉ କାହାର କଣ୍ଠ ବାଷ୍ପରୁଦ୍ଧ ହୋଇ ଉଠିଥିଲା ।
ଆଜି ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କ ଶୋକ ପ୍ରସ୍ତାବରେ କହିଥିଲେ ଯେ ୧୯୫୫ ମସିହା ଜୁଲାଇ ୪ ତାରିଖରେ ପୁରୀ ଜିଲ୍ଲାର ଖୋରପଡା ଗାଁରେ ସ୍ୱର୍ଗତ ମହାରଥୀ ଜନ୍ମ ଗ୍ରହଣ କରିଥିଲେ । ସାତଥର ପାଇଁ ସେ ପିପିଲି ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ । ଗୃହରେ ଉପମୁଖ୍ୟ ସଚେତକ, ମୁଖ୍ୟ ସଚେତକ ସମେତ ପଞ୍ଚାୟତିରାଜ ସମେତ କୃଷି ଓ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ମନ୍ତ୍ରୀ ଭାବେ ସେ ଦାୟିତ୍ୱ ତୁଲାଇଥିଲେ । ଶ୍ରୀ ମହାରଥୀଙ୍କର ଅକାଳ ବିୟୋଗ ବିଧାନସଭା ଓ ରାଜ୍ୟ ପାଇଁ ଅପୂରଣୀୟ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଶ୍ରୀ ମହାରଥୀଙ୍କ ବିୟୋଗରେ ଆଜି ଗୃହରେ ଦୀର୍ଘ ସମୟ ଧରି ଶୋକପ୍ରସ୍ତାବ ଉପରେ ଆଲୋଚନା ଚାଲିଥିଲା । ଦଳମତ ନିର୍ବିଶେଷରେ ସଦସ୍ୟମାନେ ଶ୍ରୀ ମହାରଥୀଙ୍କ ସହିତ ଥିବା ତାଙ୍କର ସ୍ମୃତିକୁ ବଖାଣିଥିଲେ । ବିଜେପି ବିଧାୟିକା କୁସୁମ ଟେଟେ ଶୋକପ୍ରସ୍ତାବ ଉପରେ ନିଜର ବକ୍ତବ୍ୟ ରଖୁଥିବାବେଳେ କୋହ ସମ୍ଭାଳି ପାରିନଥିଲେ । ଗୃହ ମଧ୍ୟରେ କାନ୍ଦି ପକାଇଥିଲେ । ବିଜେପି ବିଧାୟକ ମୋହନ ମାଝି କହିଥିଲେ ଯେ ମହାରଥୀ ତାଙ୍କୁ କେନ୍ଦୁଝରରୁ ଫୁଲବଡି ଆଣିବାକୁ କହିଥିଲେ । ସେ ଏ ସଂକ୍ରାନ୍ତରେ ପଚାରିବାରୁ ଏହି ବଡି ତାଙ୍କ ଝିଅ ଶାଶୁ ଘରକୁ ନେଇ ଯିବ ବୋଲି କହିଥିଲେ । ମହାରଥୀଙ୍କ ଭଳି ଜଣେ ଅମାୟିକ ଲୋକଙ୍କୁ ସେ କେବେ ଭୁଲି ପାରିବେ ନାହିଁ ।
କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନିପତି ମହାରଥୀଙ୍କ ସହିତ ଥିବା ତାଙ୍କର ପୁରୁଣା ସ୍ମୃତିଚାରଣ କରିଥିଲେ । ଉଭୟ ସମାନ ସମୟରେ ବିଧାନସଭାକୁ ନିର୍ବାଚିତ ହୋଇ ଆସିଥିଲେ । ତେବେ ଅଧିକାଂଶ ସମୟରେ ମହାରଥୀଙ୍କ ପ୍ରତି ଗୃହ ଭିତରେ ବନ୍ଧୁତାର ଶବ୍ଦ ପ୍ରୟୋଗ କରୁଥିବା ତାରା ଶୋକ ପ୍ରସ୍ତାବ ଉପରେ ମତ ରଖୁଥିବାବେଳେ ତାଙ୍କ କଣ୍ଠ ବାଷ୍ପରୁଦ୍ଧ ହୋଇ ଯାଇଥିଲା । କଂଗ୍ରେସ ସଦସ୍ୟ ସୁରେଶ କୁମାର ରାଉତରାୟ ମହାରଥୀଙ୍କୁ ନିଜର ସାନଭାଇ ବୋଡି କହିବା ସହିତ ତାଙ୍କ ସହ ଥିବା ସମ୍ପର୍କର ସ୍ମୃତିଚାରଣ କରିଥିଲେ । କଂଗ୍ରେସ ସଦସ୍ୟ ସନ୍ତୋଷ ସିଂହ ସାଲୁଜା କହିଥିଲେ ମହାରଥୀଙ୍କ ସେହି ବକ୍ତବ୍ୟ ଶହେ ଘୋଡାକୁ ଶହେ ହାତୀ – ଏକା ଲଢିବ ମହରଥୀ ଆଜି ବି ଜନମାନସରେ ଉଜ୍ଜିବୀତ ହୋଇ ରହିଛି । ଶ୍ରୀ ମହାରଥୀଙ୍କ ଭଳି ନେତାଙ୍କ ପାଇଁ ଏହା ବେଶ୍ ପ୍ରଯୁଜ୍ୟ । କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ମହାରଥୀ ଥିଲେ ଜଣେ ହୃଦୟବାନ ବ୍ୟକ୍ତିତ୍ୱ । ବିଜୁ ପଟ୍ଟନାୟକଙ୍କ ସରକାର ସମୟରୁ ସେ ମହାରଥୀଙ୍କୁ ବେଶ୍ ଭଲ ଭାବେ ଜାଣିଛନ୍ତି ।
ବିଜେଡି ସଦସ୍ୟ ଦେବୀ ପ୍ରସାଦ ମିଶ୍ର ଶୋକ ପ୍ରସ୍ତାବ ଉପରେ ମତ ରଖି ଥିଲେ ଯେ ରାଜନୀତି କ୍ଷେତ୍ରରେ ଶ୍ରୀ ମହାରଥୀଙ୍କର ରହିଥିଲା ଭିନ୍ନ ଚମକ । ତାଙ୍କର ଉପସ୍ଥିତି ସବୁଠାରୋ ସ୍ପଷ୍ଟ ବାରିହୋଇ ପଡୁଥିଲା । ଶ୍ରୀ ମହାରଥୀଙ୍କ ଅନୁପସ୍ଥିତ ଏ ଗୃହରେ ସମସ୍ତେ ଅନୁଭବ କରିବେ ବୋଲି ଶ୍ରୀ ମିଶ୍ର କହିଥିଲେ । ବିଜେଡି ସଦସ୍ୟ ଅମର ପ୍ରସାଦ ଶତପଥୀ ମହାରଥୀଙ୍କ ପାଇଁ ଆଗତ ଶୋକ ପ୍ରସ୍ତାବରେ ଭାଗ ନେଇ ତାଙ୍କର ଯାତ୍ରା ଡାଇଲଗ ଗୁଡିକୁ ମନେ ପକାଇ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେଡି ସଦସ୍ୟ ପ୍ରୀତି ରଞ୍ଜନ ଘଡାଇ ମନ୍ତ୍ରୀ ସୁଶାନ୍ତ ସିଂହ ଓ ବିକ୍ରମ କେଶରୀ ଆରୁଖ ଶୋକ ପ୍ରସ୍ତାବ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ ।
ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସ୍ମୃତିଚାରଣ କରି କହିଥିଲେ ଯେ ୨୦୦୦ ମସିହାରେ ମହାରଥୀ ତାଙ୍କୁ ଯାତ୍ରା ଦେଖିବାକୁ ନିମନ୍ତ୍ରଣ କରିଥିଲେ । ସେ ମଧ୍ୟ ଯାଇଥିଲେ । ନାଟକଟି ଥିଲା ଲାଲୁ ରାଜ୍ୟରେ ଭାଲୁ ରାଜା । ସେହିଭଳି ମହାରଥୀଙ୍କ ଅନୁରୋଧ କ୍ରମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କିଛି ସମୟ ପାଇଁ ଯାତ୍ରା ଦେଖିବାପାଇଁ ଯାଇଥିବା ବାଚସ୍ପତି ସୂଚନା ଦେଇଥିଲେ । ଶ୍ରୀ ପାତ୍ର କହିଥିଲେ ଯେ କୌଣସି ସଭାସମିତିକୁ ଗଲେ ଲୋକେ ମହାରଥୀଙ୍କ ଭାଷଣ ଶୁଣିବାପାଇଁ ଅପେକ୍ଷା କରିଥାନ୍ତି । ବାଚସ୍ପତିଙ୍କ ଶ୍ରଦ୍ଧାଞ୍ଜଳି ପରେ ଗୃହରେ ଏକ ମିନିଟ୍ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା ।