Home Education ରାଜଧାନୀ କଲେଜରେ ଗଣ୍ଡଗୋଳ ଆଶଙ୍କା

ରାଜଧାନୀ କଲେଜରେ ଗଣ୍ଡଗୋଳ ଆଶଙ୍କା

ଭୁବନେଶ୍ୱର : ରାଜଧାନୀର ଗୋଟିଏ ପରେ ଗୋଟିଏ କଲେଜରେ ଅଣଛାତ୍ରମାନେ ଗଣ୍ଡଗୋଳ କରୁଥିବାବେଳେ ଆଗାମୀ ଦିନରେ ରାଜଧାନୀ କଲେଜର ପାଳି ପଡିପାରେ । ଏହି କଲେଜରେ ଯେଭଳି ଅଣଛାତ୍ରମାନେ ଅବାଧରେ ପ୍ରବେଶ କରି ପଇଁତରା ମାରୁଛନ୍ତି ସେଥିପାଇଁ ଛାତ୍ରଛାତ୍ରୀମାନେ ଏଭଳି ଆଶଙ୍କା କରୁଛନ୍ତି ।

ରାଜଧାନୀର ଦୁଇ ଆଗଧାଡିର କଲେଜ ବିଜେବି ଓ ମହର୍ଷିରେ ଅଣଛାତ୍ରମାନେ ଗଣ୍ଡଗୋଳ କରିଛନ୍ତି । ନିକଟରେ ମହର୍ଷିକ କଲେଜରେ ଅଣଛାତ୍ରଙ୍କ ସଂଘବଦ୍ଧ ଆକ୍ରମଣରେ କିଛି ଛାତ୍ର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏହି ଅଣଛାତ୍ରମାନେ ନିୟମିତଭାବେ କଲେଜରେ ଆସି ଛାତ୍ରୀଙ୍କୁ କମେଣ୍ଟ ମାରିବା ସହିତ ଛାତ୍ରମାନଙ୍କୁ ନାଲିଆଖି ଦେଖାଉଥିଲେ । ଏହା ପୂର୍ବରୁ ବିଜେବି କଲେଜରେ ମଧ୍ୟ ଅଣଛାତ୍ରଙ୍କ ଆକ୍ରମଣ ଘଟଣା ଥାନାରେ ପହଞ୍ଚିଥିଲା ।

ତେବେ ରାଜଧାନୀ କଲେଜରେ ଏବେ ଅଣଛାତ୍ରମାନେ ଯେଭଳି ଅବାଧ ପ୍ରବେଶ କରୁଛନ୍ତି ସେଥିନେଇ କଲେଜରେ କେତେବେଳେ ଯେ ଅଘଟଣ ନଘଟିବ ତାହା କହିହେବ ନାହିଁ । କଲେଜ ଆଖପାଖରେ ଥିବା ଅଣଛାତ୍ରମାନେ ପାଠପଢା ସମୟରେ ଆସି କଲେଜ ପରିସରରେ ଖୋଲାଖୋଲି ଭାବେ ପଇଁତରା ମାରୁଛନ୍ତି । ଏପରିକି ନିଜକୁ ପୂର୍ବତନ ଛାତ୍ରର ପରିଚୟ ଦେଇ ଶ୍ରେଣୀଗୃହରେ ବି ପ୍ରବେଶ କରିବାକୁ ପଛାଉ ନାହାନ୍ତି ।

ତେବେ ସବୁଠାରୁ ବଡକଥା ହେଉଛି ଅଣଛାତ୍ରଙ୍କୁ ଅଟକାଇବାପାଇଁ କଲେଜ କର୍ତ୍ତୃପକ୍ଷ ମୋଟରସାଇକେଲ ଷ୍ଟାଣ୍ଡ ଓ ଏହାର ଆଖପାଖରେ ସିସିଟିଭି କ୍ୟାମେରା ଖଞ୍ଜିଥିଲେ । ହେଲେ ଏହି ଅସାମାଜିକ ଯୁବକମାନେ ତାହାକୁ ଛିଣ୍ଡାଇ ନେଇଯିବା ସହିତ କେତେକ କ୍ୟାମେରାକୁ ଭାଙ୍ଗି ଦେଇଛନ୍ତି । ତେବେ କଲେଜ କର୍ତ୍ତୃପକ୍ଷ ଏ ନେଇ ସେଭଳି ଠୋସ୍‍ ପଦକ୍ଷେପ ଉଠାଉନଥିବାରୁ ଏବେ ଏହି ଅଣଛାତ୍ରଙ୍କ ସାହସ ବଢିଯାଉଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରୁଛନ୍ତି ।

ରାଜଧାନୀ କଲେଜରେ ଯୁକ୍ତ ଦୁଇ, ଯୁକ୍ତ ତିନି ସହିତ ଚଳିତ ଶିକ୍ଷାବର୍ଷରୁ ଏକାଧିକ ବିଷୟରେ ପିଜି ଶ୍ରେଣୀ ଖୋଲିଛି । ଛାତ୍ରଛାତ୍ରୀଙ୍କ ସଂଖ୍ୟା ତୁଳନାରେ ଶ୍ରେଣୀଗୃହର ଅଭାବ । ଏଥି ସହିତ କଲେଜ ପରିସରରେ ଦୁଇ ଦୁଇଟି ହଷ୍ଟେଲ ମଧ୍ୟ ରହିଛି । ତେବେ କଲେଜକୁ ଜଗିବାପାଇଁ ମାତ୍ର ଜଣେ ସୁରକ୍ଷାକର୍ମୀ ଫାଟକରେ ବସି ରହୁଛନ୍ତି ।

କଲେଜରେ ପାଠପଢା ସମୟରେ ଅଣଛାତ୍ରମାନେ ଆସି ପଇଁତରା ମାରିବା ସହିତ ଅପରାହ୍ନରେ ଆସି ମୋଟରସାଇକେଲ ଷ୍ଟାଣ୍ଡରେ ବିଭିନ୍ନ ପ୍ରକାର ନିଶା ସାମଗ୍ରୀ ସେବନ କରୁଛନ୍ତି । ଗାଡି ଷ୍ଟାଣ୍ଡ ଆଖପାଖରେ ପଡିଥିବା ମାଳ ମାଳ ମଦମୋତଲ ହେଉଛି ଏହାର ପ୍ରମାଣ । କଲେଜ ପରିସରଟି ଜଙ୍ଗଲିଆ ହୋଇଥିବାରୁ ଏହି ଅଣଛାତ୍ର ଓ ଅସାମାଜିକ ଯୁବକମାନେ ଏଠାରେ ଖୋଲାଖୋଲି ଭାବେ ନିଶା ସେବନ କରୁଛନ୍ତି ।

ଖଣ୍ଡଗିରି ଥାନାଠାରୁ ମାତ୍ର କେଇଶହ ମିଟର ଦୂରରେ ଥିବା ରାଜଧାନୀର ଏହି ପ୍ରତିଷ୍ଠିତ ସରକାରୀ କଲେଜ ପରିସରରେ ଯଦି ଅପରାହ୍ନ କିମ୍ବା ସଂଧ୍ୟା ସମୟରେ ପୁଲିସ୍‍ ଚଢାଉ କରନ୍ତା ତେବେ ଅସାମାଜିକମାନଙ୍କ ଆଡ୍ଡା ଏଠାରେ ଜମନ୍ତା ନାହିଁ ବୋଲି ଛାତ୍ରଛାତ୍ରୀମାନେ ମତ ଦେଉଛନ୍ତି । ତେବେ ଏହି ଅଣଛାତ୍ରଙ୍କ ଅବାଧ ପ୍ରବେଶ ସଂକ୍ରାନ୍ତରେ କଲେଜ କର୍ତ୍ତୃପକ୍ଷ ଭଲଭାବେ ଅବଗତ ଥିଲେ ମଧ୍ୟ ଭୟରେ ହେଉ କିମ୍ବା ଅନ୍ୟ କୌଣସି କାରଣ ଯୋଗୁଁ ନିୟମିତ ପୁଲିସ୍‍ରେ ଅଭିଯୋଗ କରୁନାହାନ୍ତି କିମ୍ବା ଛାତ୍ରଛାତ୍ରୀଙ୍କ ସହାୟତାରେ ସେମାନଙ୍କୁ କଲେଜ ପରିସରରୁ ତଡିବାକୁ ସାହସ କରୁନାହାନ୍ତି । କଲେଜ କର୍ତ୍ତୃପକ୍ଷ ଓ କମିଶନରେଟ ପୁଲିସ୍‍ ପକ୍ଷରୁ ଯଦି ଏହି କଲେଜ ଉପରେ ତୀକ୍ଷ୍ଣ ନଜର ରଖାନଯାଏ ଏଠାରେ ବିଜେବି ଓ ମହର୍ଷି ଘଟଣାର ପୁନରାବୃତ୍ତି ହେବା ବେଶିଦିନ ନୁହେଁ ବୋଲି ମତପ୍ରକାଶ ପାଉଛି । (ତଥ୍ୟ)