ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ପୁଣି ଉଚ୍ଚ ଗ୍ରେଡ୍ର ନ୍ୟାକ୍ ମାନ୍ୟତା ପାଇବା ପାଇଁ ଉଦ୍ୟମ ଜାରି ରଖିଥିବାବେଳେ ଏବେ ବିଶ୍ୱବିଦ୍ୟାଳୟରେ ଲାଗି ରହିଥିବା ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ମରୁଡି ଯୋଗୁ ସମସ୍ୟା ଉପୁଯିପାରେ ବୋଲି ବିଭିନ୍ନ ମହଲ ଆଶଙ୍କା ବ୍ୟକ୍ତ କରୁଛନ୍ତି ।
ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଁ ୨୫୭ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ଥିବାବେଳେ ଏଥିରୁ ଏବେ ଗତ ମାର୍ଚ୍ଚ ମାସରେ ସରକାର ଦେଇଥିବା ହିସାବ ମୁତବାକ ୧୨୯ଟି ଖାଲି ପଡିଛି । ଅର୍ଥାତ୍ ୫୦ ପ୍ରତିଶତରୁ ଅଧିକ ଶିକ୍ଷକ ପଦବୀ ରାଜ୍ୟର ଏହି ସର୍ବପୁରାତନ ବିଶ୍ୱବିଦ୍ୟାଳୟରେ ପୁରଣ ହୋଇପାରୁନାହିଁ । ୪୭ଟି ପ୍ରଫେସର ପଦବୀ ମଧ୍ୟରୁ ଗତ ମାର୍ଚ୍ଚ ସୁଦ୍ଧା ଉତ୍କଳରେ ୩୭ଟି ଖାଲି ପଡିଥିବାବେଳେ ୭୬ଟି ସହଯୋଗୀ ପ୍ରଫେସର ପଦବୀ ମଧ୍ୟରୁ ୪୫ଟି ଖାଲି । ଏହାଛଡା ୧୩୪ଟି ସହକାରୀ ପ୍ରଫେସର ପଦବୀ ମଧ୍ୟରୁ ବି ୪୭ଟି ଖାଲିଥିବା ସରକାରଙ୍କ ପକ୍ଷରୁ ସ୍ୱୀକାର କରାଯାଇଛି । ଉତ୍କଳ ବିଶ୍ୱ ବିଦ୍ୟାଳୟ ପାଇଁ ୯୮୦ଟି ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦବୀ ଥିବାବେଳେ ସେଥିରୁ ୬୭୭ଟି ମଧ୍ୟ ଖାଲି ରହିଛି ।
୭ବର୍ଷ ତଳେ ଉତ୍କଳ ବିଶ୍ୱବିଦ୍ୟାଳୟ ନ୍ୟାକ୍ରୁ ଏ ପ୍ଲସ ଗ୍ରେଡ୍ ହାସଲ କରିଥିଲା । ତେବେ ନ୍ୟାକ୍ ମାନ୍ୟତାର ଅବଧି ପୁରଣ ହୋଇସାରିଥିବାବେଳେ ବିଭିନ୍ନ କାରଣରୁ ପୁଣି ନ୍ୟାକ୍ ମାନ୍ୟତା ପାଇଁ ବିଳମ୍ବରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆବେଦନ କରିଛନ୍ତି । ଇତିମଧ୍ୟରେ ନ୍ୟାକ୍ ପରିଦର୍ଶନକାରୀ ଦଳ ଉତ୍କଳ ବିଶ୍ୱବିଦ୍ୟାଳୟରେ ୩ଦିନ ଧରି ସ୍ଥିତି ଆକଳନ କରୁଛନ୍ତି ।
ନ୍ୟାକ୍ ପରିଦର୍ଶନ ଦଳ ଆସିବା ପୂର୍ବରୁ ବ୍ୟାପକ ଅର୍ଥ ଖର୍ଚ୍ଚ କରାଯାଇ ବିଶ୍ୱବିଦ୍ୟାଳୟର ଅନେକ କୋଠାବାଡ଼ିରେ ରଙ୍ଗ ମରାଯାଇଛି । ପରିଜା ପାଠାଖାରାଠାରୁ ଆରମ୍ଭ କରି ପ୍ରେକ୍ଷାଳୟ ପର୍ଯ୍ୟନ୍ତ ଏବଂ ଶ୍ରେଣୀଗୃହରୁ ଗବେଷଣା କକ୍ଷ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନ ଏହି ଦଳ ଅନୁଧ୍ୟାନ କରିବା ସଙ୍ଗେ ସଙ୍ଗେ କୁଳପତିଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀଙ୍କ ପର୍ଯ୍ୟନ୍ତ ବିଭିନ୍ନ ଗୋଷ୍ଠୀ ଓ ବ୍ୟକ୍ତିଙ୍କୁ ଭେଟୁଛନ୍ତି ।
ବିଶ୍ୱବିଦ୍ୟାଳୟର କେତେକ କର୍ମଚାରୀ କହୁଛନନ୍ତି ଯେ କେବେବି ବହୁ କ୍ୱାର୍ଟର୍ସ ମରାମତି ନହୋଇ ଭୁଶୁଡିବା ଅବସ୍ଥାରେ ରହିଛି । ପରିଜା ପାଠାଗାରର ପରିଚାଳନାକୁ ପରିଦର୍ଶନକାରୀ ଦଳ ପ୍ରଶଂସା କରିଥିବାବେଳେ କେତେକ ଛାତ୍ରଛାତ୍ରୀ କିନ୍ତୁ ବିଶ୍ୱ ବିଦ୍ୟାଳୟ ପରିସରରେ ଅଣଛାତ୍ରଙ୍କ ଦୌରାତ୍ମ୍ୟ ଲାଗି ରହିବା, ବିଦ୍ୟୁତ୍କାଟ୍ ଆଦି ବିଭିନ୍ନ ସମସ୍ୟା ଉଠାଇଛନ୍ତି । ଏମିତିକି ବହୁ ବିଭାଗରେ ପ୍ରଫେସର ପଦବୀ ସମେତ ଶିକ୍ଷକ ପଦବୀ ଖାଲି ରହିବା ଏବଂ ଅଣଶିକ୍ଷକ ପଦବୀ ଖାଲି ଯୋଗୁ ବିଶ୍ୱବିଦ୍ୟାଳୟର ପ୍ରଶାସନିକ, ଗବେଷଣା ଓ ଶିକ୍ଷାଦାନ କାର୍ଯ୍ୟ ବ୍ୟାହାତ ହେଉଥିବା ଘେନି ଅଭିଯୋଗ ଉଠୁଛି ।
ଉତ୍କଳ ବିଶ୍ୱବିଦ୍ୟାଳୟରେ ଖାଲି ପଡିଥିବା ଶିକ୍ଷକ ପଦବୀ ପୁରଣ ଲାଗି ନୂଆ ଆଇନ ଆଧାରରେ କର୍ତ୍ତୃପକ୍ଷ ଓଡ଼ିଶା ଲୋକସେବା ଆୟୋଗଙ୍କୁ ଅନୁରୋଧ କରିଥିଲେ । ତେବେ ଏହି ଆଇନର ବୈଧତା ଉପରେ ପ୍ରଶ୍ନ ଉଠାଇ ହାଇକୋର୍ଟରୁ ସୁପ୍ରିମ୍କୋର୍ଟ ପର୍ଯ୍ୟନ୍ତ ବିଭିନ୍ନ ସ୍ଥରରେ ମାମଲା ଯୋଗୁ ନିଯୁକ୍ତି ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି । ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟର ଶିକ୍ଷକ ପଦବୀ ଗୁଡିକ ତୁରନ୍ତ ପୁରଣ କରିବା ପାଇଁ ଆଗ୍ରହ ପ୍ରକାଶ କରୁଥିବାବେଳେ ଆଇନଗତ ପ୍ରତିବନ୍ଧକ ଯୋଗୁ ଏଥିରେ ବିଳମ୍ବ ଘଟୁଛି । ମୋଟାମୋଟି ଭାବେ ଏ ପ୍ଲସ୍ ପ୍ଲସ୍ ଗ୍ରେଡ୍ର ନ୍ୟାକ୍ ମାନ୍ୟତା ହାସଲ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଚେଷ୍ଠା ଜାରି ରଖିଛନ୍ତି । ନ୍ୟାକ୍ ପରିଦର୍ଶନକାରୀ ଦଳ ଏଥିପାଇଁ କ’ଣ ସୁପାରିସ କରୁଛନ୍ତି ଓ ତାହା ଉପରେ କି ନିଷ୍ପତ୍ତି ନିଆଯାଉଛି ସେ ସଂକ୍ରାନ୍ତରେ ଆଶା ଓ ଆଶଙ୍କା ଲାଗି ରହିଛି । ଏଠାରେ ଉଲ୍ଲେଖନୀୟ ଯେ ନ୍ୟାକ୍ର ଗ୍ରେଡ୍ ରେଟିଂ ଉପରେ କେନ୍ଦ୍ର ସରକାର, ୟୁଜିସି ଆଦିରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିକ ଅନୁଦାନ ପାଇବା ନିର୍ଭର କରୁଛି । (ତଥ୍ୟ)