Home General ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ପାଇଁ ନୀତି ନାହିଁ

ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ପାଇଁ ନୀତି ନାହିଁ

ଭୁବନେଶ୍ୱର : ଓଡିଶାରେ ଥିବା ଶିଳ୍ପସଂସ୍ଥାରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା ଉପରେ ରାଜ୍ୟ ସରକାର ଗୁରୁତ୍ୱଆରୋପ କରୁଥିବାବେଳେ ରାଉରକେଲା ସ୍ଥିତ ଷ୍ଟିଲ ଅଥରିଟୀ ଅଫ୍‍ ଇଣ୍ଡିଆ ଲିମିଟେଡ୍‍ (ସେଲ୍‍)ର ଏଭଳି କୌଣସି ନିଯୁକ୍ତି ନୀତି ନାହିଁ । କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂହ କୁଲସ୍ତେ ଏ ନେଇ ସ୍ପଷ୍ଟ କରିଦେଇଛନ୍ତି ।

ନିକଟରେ ରାଜ୍ୟ ସଭାରେ ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଯେ ରାଉରକେଲାର ସେଲ୍‍ ଆଖପାଖରେ ରହୁଥିବା ୬୮୨ଜଣ ସ୍ଥାନୀୟଲୋକଙ୍କୁ ସେଲ୍‍ରେ ନିଯୁକ୍ତି ଦିଆଯାଇଛି । ଏମାନଙ୍କୁ ୨୦୧୭ ରୁ ଚଳିତବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ନିଯୁକ୍ତି ମିଳିଥିବା ଜଣାଯାଇଛି । ଏମାନେ ସେଲ୍‍ର କାରଖାନା ସହିତ ଖଣିରେ ମଧ୍ୟ ନିଯୁକ୍ତି ପାଇଛନ୍ତି ।

ରାଉରକେଲାର ଇସ୍ପାତ କାରଖାନରେ ଏହି ସମୟ ମଧ୍ୟରେ ମୋଟ୍‍ ୫୭୬ ଜଣ ନିଯୁକ୍ତି ପାଇଥିବାବେଳେ ଏମାନଙ୍କ ମଧ୍ୟରୁ ୨୦୧୭ ରେ ୩୨ଜଣଙ୍କୁ ନିଯୁକ୍ତି ମିଳିଥିଲା । ଏହି ୩୨ଜଣଙ୍କୁ ମଧ୍ୟରୁ ୨୩ଜଣ ଅର୍ଦ୍ଧକୁଶଳୀ ଶ୍ରମିକ ଥିଲେ । ୫ଜଣ ଅପରେଟର ଟେକ୍ନିସିଆନ ରହିଥିବାବେଳେ ଜଣେ ଫାର୍ମାସିଷ୍ଟ ଥିଲେ ।

ତେବେ ୨୦୧୮ ରେ ସେଲ୍‍ କାରଖାନାରେ ୨୯ଜଣଙ୍କୁ ନିଯୁକ୍ତି ମିଳିଥିବାବେଳେ ୨୦୧୯ରେ ୨୦୫, ୨୦୨୦ରେ ୭୭, ୨୦୨୧ରେ ୬୧, ୨୦୨୨ରେ ୧୪୦ ଏବଂ ଚଳିତବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ୩୨ଜଣ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳିଛି । ଚାକିରି ପାଇଥିବା ଏହି ୫୭୬ଜଣଙ୍କ ମଧ୍ୟରେ ସର୍ବାଧିକ ୨୪୬ଜଣ ଅର୍ଦ୍ଧକୁଶଳୀ ଶ୍ରମିକ ରହିଥିଲେ ।

ସେହିଭଳି ସେଲ୍‍ ଅଧିନରେ ଥିବା ଓଡିଶା ଗ୍ରୁପ ଅଫ୍‍ ମାଇନ୍ସରେ ଏହି ସମୟ ମଧ୍ୟରେ ୧୦୬ଜଣ ନିଯୁକ୍ତି ପାଇଛନ୍ତି । ଏମାନଙ୍କ ମଧ୍ୟରୁ ୨୦୧୯ରେ ସର୍ବାଧିକ ୭୯ଜଣଙ୍କୁ ନିଯୁକ୍ତି ମିଳିଥିବାବେଳେ ୨୦୨୦ ଓ ୨୦୨୧ରେ ମାତ୍ର ୨ଜଣ କରି ନିଯୁକ୍ତି ପାଇଥିଲେ । ତେବେ ଏହି ୧୦୬ଜଣଙ୍କ ମଧ୍ୟରୁ ୭୮ଜଣ ହେଉଛନ୍ତି ଆଟେଣ୍ଡାଣ୍ଟ କମ୍‍ ଟେକ୍ନିସିଆନ ।

ସେଲ୍‍ରେ ନିଯୁକ୍ତି ପାଇଥିବା ସମସ୍ତ ୬୨୮ଜଣ ସ୍ଥାୟୀ ପଦବୀରେ ନିଯୁକ୍ତ ହୋଇଥିବାବେଳେ ଅନ୍ୟ ଠିକା କର୍ମଚାରୀମାନେ ଶ୍ରମିକ ଠିକାଦାରଙ୍କ ମାଧ୍ୟରେ କାମ କରୁଛନ୍ତି । ତେବେ ୨୦୧୭ରୁ ବର୍ତ୍ତମାନ ସୁଦ୍ଧା ସେଲ୍‍ରେ କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁବରଣ କରିଥିବା କର୍ମଚାରୀଙ୍କର ୨୩ଜଣ ନିକଟ ସମ୍ପର୍କୀୟଙ୍କୁ ଚାକିରି ଦିଆଯାଇଥିବା ଜଣାଯାଇଛି । କିନ୍ତୁ ସେଲ୍‍ରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାପାଇଁ କୌଣସି ନିଯୁକ୍ତି ନୀତି ନଥିବା ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି । (ତଥ୍ୟ)