Home Education ଆଗୁଆ ଖରାଛୁଟି ଘୋଷଣା

ଆଗୁଆ ଖରାଛୁଟି ଘୋଷଣା

ଭୁବନେଶ୍ୱର : ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଦ୍ୟାଳୟଗୁଡିକ ପାଇଁ ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି । ତଦନୁଯାୟୀ ୨୧ତାରିଖରୁ ଯୁକ୍ତ ଦୁଇ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ, ଘରୋଇ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡିକ ବନ୍ଦ ରହିବ ।

ଉଲ୍ଲେଖନୀୟ ଯେ ପ୍ରତିବର୍ଷ ମଇ ପ୍ରଥମ ସପ୍ତାହରୁ ରାଜ୍ୟରେ ଖରଛୁଟି ଆରମ୍ଭ ହୋଇଥାଏ ଏବଂ ରଜ ପରେ ବିଦ୍ୟାଳୟଗୁଡିକ ଖୋଲିଥାଏ । କିନ୍ତୁ ଚଳିତବର୍ଷ ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗୁଆ ବିଦ୍ୟାଳୟ ଛୁଟି ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ରାଜ୍ୟରେ ଏବେ ତାପମାତ୍ରା ବୃଦ୍ଧି ସହିତ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଥିବାରୁ ଚଳିତ ମାସରେ ରାଜ୍ୟ ସରକାର ଦୁଇ ଦୁଇଥର ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରଗୁଡିକୁ ଛୁଟି ଘୋଷଣା କରିଥିଲେ । ପ୍ରଥମେ ଚଳିତମାସ ୧୨ ରୁ ୧୬ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟ ଛୁଟି ଘୋଷଣା କରାଯାଇଥିଲା । ଏହାପରେ ବିଦ୍ୟାଳୟ ଖୋଲିବା ସହିତ ପାଠପଢା ସମୟକୁ ସକାଳ ୭ରୁ ୧୧ଟା ମଧ୍ୟରେ ସୀମିତ ରଖାଯାଇଥିଲା ।

ହେଲେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସରକାର ପୁଣି ୧୯ ଓ ୨୦ତାରିଖ ଦୁଇଦିନ ପାଇଁ ଛୁଟି ଘୋଷଣା କରିଥିଲେ । କିନ୍ତୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ୨୧ରୁ ଖରାଛୁଟି ଘୋଷଣା କରାଯାଇଛି ।