ଭୁବନେଶ୍ୱର : ସମଗ୍ର ଦେଶରୁ ଶାଗୁଣା ବଂଶ ଲୋକ ପାଉଥିବାବେଳେ ଏମାନଙ୍କ ସଂରକ୍ଷଣ ପାଇଁ କେନ୍ଦ୍ର ସରକାର ଅଣ୍ଟା ଭିଡିଛନ୍ତି । ଏଥିପାଇଁ ଦେଶରେ ୮ଟି ଶାଗୁଣା ପ୍ରଜନନ କେନ୍ଦ୍ର ପ୍ରତିଷ୍ଠା ହୋଇଥିବା ଜଣାଯାଇଛି ।
କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟର ସୂଚନା ଅନୁଯାୟୀ ୧୯୯୦ ମସିହାରୁ ଦେଶରେ ଶାଗୁଣା ବଂଶ ହ୍ରାସ ପାଇବାରେ ଲାଗିଛି । ଅନେକ ରାଜ୍ୟରେ ଏହା ଏବେ ବିଲୁପ୍ତପ୍ରାୟ ଅବସ୍ଥା । ତେଣୁ ପରିବେଶର ବନ୍ଧୁ ଭାବେ ବିବେଚନା କରାଯାଉଥିବା ଏହି ପକ୍ଷୀଙ୍କୁ କିଭଳି ସେମାନଙ୍କ ପୂର୍ବ ସ୍ଥିତିକୁ ଫେରାଇ ଅଣାଯିବ ସେଥିପାଇଁ ଉଦ୍ୟମ ଆରମ୍ଭ ହୋଇଛି ।
ଏହି କ୍ରମରେ ଦେଶରେ ୮ଟି ଶାଗୁଣା ପ୍ରଜନନ କେନ୍ଦ୍ର ପ୍ରତିଷ୍ଠା ହୋଇଛି । ଏଥିପାଇଁ ରାଜ୍ୟମାନଙ୍କୁ ଶାଗୁଣା ବଂଶ ରକ୍ଷା ଲାଗି ଲୋକଙ୍କୁ ଶିକ୍ଷାଦେବା ସହିତ ସଚେନତ କରିବା ପାଇଁ ରାଜ୍ୟ ପଶୁସମ୍ପଦ ବିଭାଗ ପଦକ୍ଷେପ ନେବାକୁ କୁହାଯାଇଛି । ଏଥି ସହିତ କୃଷକମାନଙ୍କୁ ମଧ୍ୟ ଏ ସଂକ୍ରାନ୍ତରେ ଅବଗତ ଲାଗି ପରାମର୍ଶ ଦିଅ।।ଇଛି ।
୨୦୨୦ ମସିହାରେ ଦେଶରେ ଶାଗୁଣା ସଂରକ୍ଷଣ ପ୍ରକଳ୍ପ ଆରମ୍ଭ ହୋଇଥିଲା କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଏଥିପାଇଁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି । ତେବେ ଦେଶରୁ ଶାଗୁଣା ବଂଶ ଲୋପର ମୁଖ୍ୟ କାରଣ ପଶୁମାନଙ୍କୁ ଦିଆଯାଉଥିବା ଡାଇକ୍ଲୋଫେନାକ ନାମକ ଇଞ୍ଜେକସନ ବୋଲି ଦର୍ଶାଯାଇଛି ।
ଏହି ଇଞ୍ଜେକସନ ନେଇଥିବା ଗାଈ ଗୋରୁମାନେ ମୃତ୍ୟୁବରଣ କରିବାପରେ ସେମାନଙ୍କୁ ଅବଶେଷକୁ ଖାଉଥିବା ଶାଗୁଣାମାନେ ମୃତ୍ୟୁମୁଖରେ ପଡୁଛନ୍ତି । ତେଣୁ ପଶୁମାନଙ୍କ ଶରୀରେ ଏହି ଜାତୀୟ ଇଞ୍ଜେକସନର ମାତ୍ର ୩ମିଲିଗ୍ରାମ ରଖିବାକୁ କଟକଣା ଜାରି ହୋଇଛି । ତେବେ ଅଧିକାଂଶ କ୍ଷେତ୍ରରେ ଗୋପାଳକ କିମ୍ବା ଚିକିତ୍ସକମାନେ ଏହାକୁ ପାଳନ କରୁନଥିବା ଲକ୍ଷ୍ୟ କରାଯାଉଛି । ଫଳରେ ଯେଉଁସବୁ ଅଞ୍ଚଳରେ କାଁ ଭାଁ ଶାଗୁଣା ଦୃଶ୍ୟମାନ ହେଉଛନ୍ତି କିଛିଦିନ ପରେ ଏଭଳି ବିଷାକ୍ତ ପଶୁମାଂସ ଖାଇ ସେମାନେ ମରି ପଡୁଛନ୍ତି ।
ଆମ ରାଜ୍ୟରେ ମଧ୍ୟ ଶାଗୁଣା ସଂଖ୍ୟା ବୃଦ୍ଧି ପାଇଁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଥିଲା । ନନ୍ଦନକାନନରେ ଏଥିପାଇଁ ପ୍ରଜନନ କେନ୍ଦ୍ର ପ୍ରତିଷ୍ଠା ସହିତ ସ୍ୱତନ୍ତ୍ର ଭାବେ ଶାଗୁଣାମାନଙ୍କୁ ଆଣି ରଖାଯାଇଥିଲା । ତେବେ ଏଥିରୁ ସେଭଳି ସୁଫଳ ମିଳିନଥିଲା । ବର୍ତ୍ତମାନ କେନ୍ଦ୍ର ସରକାର ଶାଗୁଣା ବଂଶ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରୁଥିବାରୁ ଓଡିଶା ସମେତ ଅନେକ ରାଜ୍ୟରେ ଶାଗୁଣାମାନେ ପୁଣିଥରେ ଆକାଶରେ ଚକ୍କର କାଟୁଥିବା ଦେଖିବାର ଆଶା ଉଜ୍ଜିବିତ ହୋଇଛି । (ତଥ୍ୟ)