Home News in Odia ହେଲମେଟ୍‍ ଜୋରିମାନା ଡିଜିଟାଲରେ ଦୁଇଗୁଣା

ହେଲମେଟ୍‍ ଜୋରିମାନା ଡିଜିଟାଲରେ ଦୁଇଗୁଣା

ଭୁବନେଶ୍ୱର : ହେଲମେଟ ପିନ୍ଧୁନଥିବା ଲୋକଙ୍କୁ ପୁଲିସ୍‍ ଯେଉଁ ଜୋରିମାନା ଲଗାଉଛି ତାହାକୁ ନଗଦ ଅର୍ଥ ଆକାରରେ ପଇଠ କଲେ ୫୦୦ ଟଙ୍କା ଦେବାକୁ ପଡୁଥିବାବେଳେ ଡିଜିଟାଲ ପେମେଣ୍ଟ କଲେ ଏଥିପାଇଁ ୧୦୦୦ ଦେବାକୁ କୁହାଯାଉଛି । ତେବେ ସମାନ ଦଣ୍ଡ ପାଇଁ କିଭଳି ଦୁଇ ପ୍ରକାରର ଜୋରିମାନା ଆଦାୟ ହେଉଛି ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଛି ।

ରାଜଧାନୀରେ ଏବେ ଚାରିଆଡେ ହେଲମେଟ୍‍ ଚେକିଂ ଜୋରଦାର ହେଉଛି । ସହରର ମୁଖ୍ୟ ରାସ୍ତାଠାରୁ ଆରମ୍ଭକରି ଗଳିକନ୍ଦି ପର୍ଯ୍ୟନ୍ତ ଦିନ ରାତି ସବୁବେଳେ ହେଲମେଟ ଚେକିଂ ହେଉଛି । ଏଥିପାଇଁ ବ୍ୟାପକ ପୁଲିସ୍‍ ମୁତୟନ ହେବା ସହିତ ବିଭିନ୍ନ ଛକରେ ଏକ ପ୍ରକାର ଆମ୍ବୁସ୍‍ କରି ଜଗି ରହୁଛନ୍ତି । ତେବେ ସେହି ବାଟଦେଇ ବିନା ହେଲମେଟରେ ଯାଉଥିବା ଆରୋହୀ ଧରାପଡିଲେ ତୁରନ୍ତ ଜୋରିମାନା ଦେବାକୁ କୁହାଯାଉଛି । ଯିଏ ନଗଦ ଅର୍ଥ ଦେଉଛି ତାହାଠାରୁ ୫୦୦ ଟଙ୍କା ଆଦାୟ ହେଉଥିବାବେଳେ ଯେଉଁମାନେ ନଗଦ ନଥିବା କହି ଡିଜିଟାଲ ପେମେଣ୍ଟ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ୧୦୦୦ ଟଙ୍କା ଦେବାକୁ କୁହାଯାଉଛି ।

ତେବେ ହେଲମେଟ ପିନ୍ଧୁନଥିବା ଲୋକଙ୍କୁ ଏମ୍‍ଭି ଆଇନ୍‍ ଅନୁଯାୟୀ ୧୦୦୦ ଟଙ୍କା ଜୋରିମାନା ବାଧ୍ୟତାମୂଳକ ଥିବାବେଳେ ପୁଲିସ୍‍ କର୍ତ୍ତୃପକ୍ଷ ନଗଦ ଆକାରରେ କିଭଳି ୫୦୦ ଟଙ୍କା ଆଦାୟ କରୁଛନ୍ତି ତାହା ଅନେକଙ୍କ ପାଇଁ ପ୍ରଶ୍ନବାଚୀ ହୋଇଛି । ତେବେ ମିଳିଥିବା ସୂଚନା ଅନୁଯାୟୀ ପୁଲିସ୍‍ କର୍ମଚାରୀମାନେ ଯେଉଁ ୫୦୦ ଟଙ୍କିଆ ଜୋରିମାନା ଆଦାୟ କରୁଛନ୍ତି ତାହା ସହରାଞ୍ଚଳ ପୁଲିସ୍‍ ଆଇନ୍‍ ଅନୁଯାୟୀ କରାଯାଉଛି । କାରଣ ହେଲମେଟ୍‍ ପାଇଁ ହଜାରେ ଟଙ୍କାରୁ କମ୍‍ ଆଦାୟ ହୋଇପାରିବ ନାହିଁ । ଆଉ ଯଦି ଏମ୍‍ଭି ଆଇନ୍‍ ଅନୁଯାୟୀ ହଜାରେ ଟଙ୍କା ଆଦାୟ ହେବ ତେବେ ତାହା କମିଶନରେଟ ପୁଲିସ୍‍ ଖାତାକୁ ଯାଇପାରିବ ନାହିଁ ।

କେବଳ ହେଲମେଟ ଜୋରିମାନା ଆଦାୟ ନୁହେଁ ଅନ୍ୟାନ୍ୟ ଜୋରିମାନାକୁ ମଧ୍ୟ ନଗଦ ଅର୍ଥ ଦେବାପାଇଁ ଲୋକଙ୍କୁ କୁହାଯାଉଛି । ଏପରିକି କେତେକ ଜୋରିମାନା ଡିଜିଟାଲ ପେମେଣ୍ଟରେ ଲୋକଙ୍କ ଠାରୁ ନିଆଯାଉନଥିବା ଘେନି ସୋସିଆଲ ମିଡିଆରେ ପୋଷ୍ଟ ହେଲାଣି ।

ଏହି ସୂଚନା ଅନୁଯାୟୀ ଯଦି ଏମ୍‍ଭି ଆଇନ୍‍ ଅନୁଯାୟୀ ସବୁ ଅର୍ଥ ଆଦାୟ ହେବ ତେବେ କମିଶନରେଟ ପୁଲିସ୍‍ ବର୍ଷ ଶେଷରେ ଯେଉଁ ବିପୁଳ ଜୋରିମାନା ଆଦାୟର ବିବରଣୀ ପ୍ରଦାନ କରୁଛି ତାହା ଆଉ ହୋଇପାରିବ ପାରିବ ନାହିଁ । ତାହାକୁ ଦୃଷ୍ଟିରେ ରଖି କମିଶନରେଟ ପୁଲିସ୍‍ ସହରାଞ୍ଚଳ ପୁଲିସ୍‍ ଆଇନ୍‍ ଆଧାରରେ ଜୋରିମାନା ଆଦାୟ କରିବାରେ ଲାଗିଛି ।

ତେବେ ସହରାଞ୍ଚଳ ପୁଲିସ୍‍ ଆଇନ୍‍ର ଧାରା ୧୮ ଅନୁଯାୟୀ ପୁଲିସ୍‍ କେବଳ ସହରର ରାସ୍ତାଘାଟରେ ଟ୍ରାଫିକ ଭିଡ ନିୟନ୍ତ୍ରଣ ସହିତ ଗଳି ରାସ୍ତାରେ ଯା ଆସକୁ ସୁଗମ କରିବାକଥା । ତେବେ ପୁଲିସ୍‍ ହାତକୁ ହେଲମେଟ୍‍ ଚେକିଂ କ୍ଷମତା ଯିବାପରେ ଏବେ କମିଶନରେଟ ପୁଲିସ୍‍ ନିଜର ପାଣ୍ଠି ବଢାଇବାପାଇଁ ସମାନ ଦଣ୍ଡପାଇଁ ଏଭଳି ଦୁଇ ପ୍ରକାରର ଜୋରିମାନା ଆଦାୟ ଚଳାଇଛି ।

କେବଳ ସେତିକି ନୁହେଁ ଦୁଇ ଚକିଆ ଯାନ ଆରୋହୀଙ୍କ ଠାରୁ ଜୋରିମାନା ଆଦାୟ ପାଇଁ ଅର୍ଥପଇଠ ସକାଶେ ଯେଉଁ ନୋଟିସ୍‍ ଓ ଫଟୋ ପଠାଉଛି ସେଥିରେ ଜଣେ ଲୋକ ଗାଡି ଚଳାଉଥିବା ସ୍ପଷ୍ଟଭାବେ ଦୃଶ୍ୟମାନ ହେଉଥିବାବେଳେ ଦୁଇ ଜଣ ଚାଳକ ହେଲମେଟ ପିନ୍ଧି ନଥିବାରୁ ୧୦୦୦ ଟଙ୍କା ଜୋରିମାନା ପଇଠ ପାଇଁ କୁହାଯାଉଛି । ଏଭଳି ବିଚିତ୍ର ଜୋରିମାନାକୁ ନେଇ ଏବେ ଗାଡିଚାଳକ ବି ଆଶ୍ଚର୍ଯ୍ୟ ହେଉଛନ୍ତି । (ତଥ୍ୟ)