ଭୁବନେଶ୍ୱର : ରାଜଧାନୀର ତାପମାତ୍ରା ଗୋଟିଏ ଦିନରେ ୪.୮ ଡିଗ୍ରୀ ବୃଦ୍ଧି ପାଇବା ସହ ଆଜି ୪୨.୭ ଡିଗ୍ରୀରେ ପହଞ୍ଚିଯାଇଛି । ଏଥିଯୋଗୁଁ ଦିନବେଳା ରାଜଧାନୀର ରାସ୍ତାଘାଟ ଏକ ପ୍ରକାର ଶୂନଶାନ ହୋଇଯାଇଥିବାବେଳେ ଲୋକେ ଗରମରେ ଆଉଟୁ ପାଉଟୁ ହୋଇଯାଇଥିଲେ ।
ତେବେ ଆଜି ସର୍ବୋଚ୍ଚ ତାପମାତ୍ରା ୪୪.୨ ଡିଗ୍ରୀ ଉଭୟ ବାରିପଦା ଓ ଝାରସୁଗୁଡାରେ ରେକର୍ଡ କରାଯାଇଛି । ବାରିପଦାରେ ଗୋଟିଏ ଦିନରେ ତାପମାତ୍ରା ୬.୧ ଡିଗ୍ରୀ ବଢିଥିବାବେଳେ ଝାରସୁଗୁଡାରେ ଏହା ୩.୮ ଡିଗ୍ରୀ ବଢିଛି ।
ଆଜି ରାଜଧାନୀ ସସହିତ ଦ୍ୱୈତନଗରୀ କଟକରେ ମଧ୍ୟ ଖରା ଓ ଗୁଳୁଗୁଳି ଅନୁଭୂତ ହୋଇଛି । ଏଠାରେ ଗୋଟିଏ ଦିନରେ ତାପମାତ୍ରା ୫.୨ ଡିଗ୍ରୀ ବୃଦ୍ଧି ପାଇବା ସହିତ ସର୍ବୋଚ୍ଚ ତାପମାତ୍ରା ୪୨.୫ ଡିଗ୍ରୀ ରେକର୍ଡ କରାଯାଇଛି । ନଦୀ ଘେରା ଏହି ସହରର ତାପମାତ୍ରା ସାଧାରତଃ ରାଜଧାନୀର ତାପମାତ୍ରା ଠାରୁ ୩ ରୁ ୪ଡିଗ୍ରୀ କମ୍ ରହୁଥିବାବେଳେ ଚଳିତବର୍ଷ ସେଥିରେ ବ୍ୟତିକ୍ରମ ପରିଲକ୍ଷିତ ହୋଇଛି ।
ସେହିଭଳି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବଲାଙ୍ଗିର ତାପମାତ୍ରା ୪୩.୭ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ବେଦରେ ୪୩.୭, ନୂଆପଡାରେ ୪୩.୬, ସୋନପୁର ଓ ଟିଟିଲାଗଡରେ ୪୩.୨ ଡିଗ୍ରୀ କରି, ଅନୁଗୁଳରେ ୪୩.୧, ସମ୍ବଲପୁରର ଓ ସୁନ୍ଦରଗଡରେ ୪୩.୦ କରି, ତାଳଚେରରେ ୪୨.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
କଟକର ତାପମାତ୍ରା ସହିତ ଭବାନୀପାଟଣାର ତାପମାତ୍ରା ମଧ୍ୟ ସମାନ ଭାବେ ୪୨.୫ ଡିଗ୍ରୀ ରେକର୍ଡ କରାଯାଇଛି । ସେହିଭଳି ରାଉରକେଲା, ଢେଙ୍କାନାଳ ଓ ଯାଜପୁରର ତାପାମତ୍ରା ୪୨ ଡିଗ୍ରୀ ଉପରେ ଥିବାବେଳେ ହୀରାକୁଦ, ଜଗତ୍ସିଂହପୁର, ପାରଳାଖେମୁଣ୍ଡି, ଚାନ୍ଦବାଲି, ଦେବଗଡ, କେନ୍ଦ୍ରାପଡା, କେନ୍ଦୁଝର, ନୟାଗଡ, ଭଦ୍ରକର ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଛି ।
ତେବେ ସମୁଦ୍ରକୂଳରେ ଥିବା ପାରାଦୀପ୍ର ତାପମାତ୍ରା ସବୁଠାରୁ କମ୍ ୩୩.୩ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଗୋପାଳପୁରର ତାପମାତ୍ରା ୩୪.୮ ଡିଗ୍ରୀ ଏବଂ ପୁରୀର ତାପମାତ୍ରା ୩୫.୨ ଡିଗ୍ରୀ ରହିଛି ।
ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଉ ତିନ ଚାରିଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ଗରମ ଓ ଗୁଳୁଗୁଳି ଜାରି ରହିବ । ତେବେ ୨୧ ତାରିଖ ପରେ ରାଜ୍ୟର କେତେକ ସ୍ଥାନରେ ବର୍ଷାର ସମ୍ଭାବନା ଥିବା ପୂର୍ବାନୁମାନ କରାଯାଇଛି ।