ଭୁବନେଶ୍ୱର : ଭୁବନେଶ୍ୱର ସ୍ମାର୍ଟସିଟି କର୍ତ୍ତୃପକ୍ଷ ୧୯ଟି ପ୍ରକଳ୍ପର କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିବାବେଳେ ଏଥିରୁ ଅନେକ ପ୍ରକଳ୍ପରୁ ଲୋକେ ଯେଭଳି ସୁଫଳ ପାଇବାକଥା ତାହା ପାଇପାରୁ ନାହାନ୍ତି । ବିଶେଷକରି ସ୍ମାର୍ଟ ଜନପଥ, ମୋ ସାଇକେଲ, ମୋ ବସସେବା, ବହୁତଳୀୟ ପାର୍କିଂ ବ୍ୟବସ୍ଥା ଆଦି ଜନଜୀବନକୁ ସେଭଳି ସହଜ କରିପାରି ନାହିଁ ।
ସ୍ମାର୍ଟ ସିଟି ପ୍ରକଳ୍ପ ମଧ୍ୟରେ ୭.୫୦ କୋଟି ଟଙ୍କାରେ କାର୍ଯ୍ୟକାରୀ ହୋଇଛି ମୋ ସାଇକେଲ ଯୋଜନା । ତେବେ ଏହାର ଅବସ୍ଥା କେତେ ଦୟନୀୟ ରାସ୍ତାକଡରେ ପଡିଥିବା ଭଙ୍ଗା ସାଇକେଲକୁ ଦେଖିଲେ ଜଳ ଜଳ ହୋଇ ଦିଶୁଛି । କୋଟି ଟଙ୍କା ବ୍ୟୟରେ କିଣା ଯାଇଥିବା ଏହି ସାଇକେଲକୁ ଲୋକେ ଚଳାଇବାକୁ ନାରାଜ । କେତେକ ସାଇକେଲ ଚୋରି ହୋଇଯିବା ଓ କବାଡି ବାଲାକୁ ବିକ୍ରି ପରେ ମାମଲା ଥାନାରେ ପହଞ୍ଚିଥିଲା । ଶେଷରେ ଏହି ସାଇକେଲକୁ ଗରିବ ପିଲାଙ୍କୁ ଦେବାର ବ୍ୟବସ୍ଥା ବି ହୋଇଥିଲା । ହେଲେ ତାହା କୌଣସି କାରଣରୁ ଅଟକିଗଲା । ବର୍ତ୍ତମାନ କୋଟି କୋଟି ଟଙ୍କାର ଏହି ସାଇକେଲ ରାସ୍ତାକଡରେ ଭଙ୍ଗା ଦଦରା ହୋଇ ପଡିରହିଛି ।
ସେହିଭଳି ଅବସ୍ଥା ସ୍ମାର୍ଟ ଜନପଥର । ବାଣୀବିହାର ଠାରୁ ଶିଶୁଭବନ ଛକ ପର୍ଯ୍ୟନ୍ତ ପ୍ରାୟ ୯୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ସ୍ମାର୍ଟ ଜନପଥ । ଏହାର ନିର୍ମାଣ ପାଇଁ ପୂର୍ବରୁ ଥିବା ପ୍ରଶସ୍ତ ରାସ୍ତାକୁ ବିଭିନ୍ନ ସ୍ଥାନରେ ସଙ୍କୁଚିତ କରାଯିବା ଫଳରେ ଲୋକେ ଗାଡିମୋଟର ଟିକେ ରଖିବାକୁ ସ୍ଥାନ ନପାଇ ହୀନସ୍ତା ହେଉଛନ୍ତି । ଚକଚକିଆ ସ୍ମାର୍ଟ ଜନପଥ ଉପରେ ପଡିଥିବା ସିମେଣ୍ଟ ଚଉକି ଭାଙ୍ଗିରୁଜି ଗଲାଣି । ଏହା ପାଶ୍ୱର୍ରେ ଖୋଲିଥିବା କିଓସ୍କ ମଧ୍ୟରୁ ଅନେକ ଠିକଣା ଭାବେ ଚାଲିପାରୁ ନାହିଁ । ମୋଟାମୋଟି ଭାବେ ସ୍ମାର୍ଟ ଜନପଥ ରାଜଧାନୀବାସୀଙ୍କୁ ସ୍ମାର୍ଟ କରିବା ବଦଳରେ ସେମାନଙ୍କୁ ଟ୍ରାଫିକ ଯନ୍ତ୍ରଣାରେ ଛନ୍ଦି ଦେଇଛି ।
ସେହିଭଳି ପାଖାପାଖି ୭୦କୋଟି ଟଙ୍କା ବ୍ୟୟରେ ରାଜଧାନୀରେ ପ୍ରତିଷ୍ଠା ହୋଇଥିବା ଦୁଇଟି ବହୁତଳୀୟ ଗାଡି ପାର୍କିଂ ବ୍ୟବସ୍ଥା ବି ସମସ୍ୟାର ସମାଧାନ କରିପାରୁ ନାହିଁ । ଏଠାରେ ଗାଡି ରଖିବା ବଦଳରେ ଲୋକେ ଏହା ଆଖପାଖରେ ଥିବା ଗଳି କନ୍ଦିରେ ଗାଡି ରଖୁଛନ୍ତି । ଅଧିକ ଦର ଯୋଗୁଁ ଲୋକେ ଏଠାରେ ଗାଡି ରଖିବାକୁ ନାରାଜ । ଏଠାରେ ଚାରିଚକିଆ ପାଇଁ ୪୦ ଓ ଦୁଇଚକିଆ ପାଇଁ ୨୦ଟଙ୍କା ରହିଛି । ତାହା ପୁଣି ଘଣ୍ଟା ହିସାବରେ ଦେବାକୁ ପଡିବ । ତେଣୁ ରାଜଧାନୀର ଗାଡିଚାଳକମାନେ ଏଥିପ୍ରତି ମୁହଁ ମୋଡୁଥିବା ଲକ୍ଷ୍ୟ କରାଯାଉଛି ।
ଅନୁରୂପ ଅବସ୍ଥା ଅତ୍ୟାଧୁନିକ ଟ୍ରାଫିକ ପରିଚାଳନା ବ୍ୟବସ୍ଥାର । ଅତ୍ୟାଧୁନିକ ହେବା ପୂର୍ବରୁ ପ୍ରତି ଛକରେ ଯେତିକି ଟ୍ରାଫିକ ପୁଲିସ୍ ରହୁଥିଲେ ଏବେ ବି ସେତିକି ରହୁଛନ୍ତି । ଏହି ଯୋଜନା କାର୍ଯ୍ୟକାରୀ ସମୟରେ ଟ୍ରାଫିକ ପୋଷ୍ଟରେ ଗାଡି ନଥିଲେ ଛାଏଁ ଛାଏଁ ନାଲିବତୀ ଜଳିବା ସହିତ ଅନ୍ୟ ପଟୁ ଗାଡି ଯିବାପାଇଁ ସବୁଜ ବତୀ ଜଳୁଥିଲା । ହେଲେ ଏହି ବ୍ୟବସ୍ଥା ଏବେ କାର୍ଯ୍ୟକାରୀ ହେଉନାହିଁ । ଅବଶ୍ୟ ସହର ସାରା ଲଗାଯାଇଥିବା ମାଳ ମାଳ ସିସିଟିଭି ଫାଇନ୍ ଆଦାୟରେ ବେଶ୍ ସହାୟକ ହୋଇଛି ।
ସ୍ମାର୍ଟସିଟି କର୍ତ୍ତୃପକ୍ଷ ଚଳାଉଥିବା ମୋ ବସ୍ ଯୋଜନା ପ୍ରତି ଯଦିଓ ରାଜଧାନୀବାସୀଙ୍କର ଆଗ୍ରହ ବଢିଛି ତେବେ ଏହିସବୁ ବସ୍ରେ ନିୟମିତ ଚୋରି ଏବଂ ପର୍ଯ୍ୟାପ୍ତ ବସ୍ ନଥିବାରୁ ବହୁ ଲୋକେ ଏବେ ବି ଅଟୋ ଉପରେ ନିର୍ଭର କରୁଛନ୍ତି । ଏହି ପ୍ରକଳ୍ପରେ ୨୯.୩୨ କୋଟି ଟଙ୍କା ବ୍ୟୟ ହୋଇଥିଲେ ମଧ୍ୟ ମୋ ବସ୍କୁ ଏବେ ବି ସରକାର ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି । ସେହିଭଳି ଡିଜିଟାଲ ପେମେଣ୍ଟ ପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ ବସିଥିବା ଅତ୍ୟାଧୁନିକ କିଓସ୍କ ଦିନଟିଏ ହେଲେ ଚାଲିପାରି ନାହିଁ । ୨୫ କୋଟି ଟଙ୍କା ବ୍ୟୟରେ କାର୍ଯ୍ୟକାରୀ ହେଉଥିବା ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପକୁ ନେଇ ବିଭିନ୍ନ ସ୍ଥାନରେ ଅସନ୍ତୋଷ ଦାନା ବାନ୍ଧୁଛି । (ତଥ୍ୟ)