Home Environment ବନାଗ୍ନି ପ୍ରଶମନ ପାଇଁ ସଚେତନତା ଉପରେ ଗୁରୁତ୍ୱ

ବନାଗ୍ନି ପ୍ରଶମନ ପାଇଁ ସଚେତନତା ଉପରେ ଗୁରୁତ୍ୱ

ଭୁବନେଶ୍ୱର : ବିଗତ କିଛି ଦିନର ବର୍ଦ୍ଧିତ ବନାଗ୍ନିକୁ ପ୍ରଶମନ କରିବା ପାଇଁ ଏକ ଜରୁରୀକାଳୀନ ସମୀକ୍ଷା ବୈଠକ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଗତ ସପ୍ତାହରେ ବଢ଼ିଥିବା ବନାଗ୍ନି ଉପରେ ଚିନ୍ତା ପ୍ରକଟ କରିବା ସହ ନିଆଁ ଲାଗିବା ପରେ ନୁହେଁ ବରଂ ଲାଗିବା ପୂର୍ବରୁ କିପରି ଏହାକୁ ରୋକା ଯାଇପାରିବ ସେ ଦିଗରେ ସାମୂହିକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ ।

ଜଙ୍ଗଲକୁ ନଷ୍ଟ କରିବା ସହଜ କିନ୍ତୁ ଏହାକୁ ସୃଷ୍ଟି କରିବା କଷ୍ଟକର । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ସବୁବେଳେ ପ୍ରାଧାନ୍ୟ ଦେଇଆସିଛନ୍ତି ବୋଲି ସେ ପ୍ରକାଶ କରିଥିଲେ ।

ବର୍ଷାକୁ ଅପେକ୍ଷା ନକରି ବର୍ଦ୍ଧିତ ବନାଗ୍ନିକୁ ପ୍ରଶମିତ କରିବା ପାଇଁ ସ୍ଥାନୀୟ ଜନସାଧାରଣ ଓ ଯୁବକଯୁବତୀମାନଙ୍କୁ ସଂଶ୍ଳିଷ୍ଟ କରି ବ୍ୟାପକ ପ୍ରଚାରପ୍ରସାର, ବନ ସୁରକ୍ଷା ସମିତି, ସଂପୃକ୍ତ ଅଞ୍ଚଳର ନେତୃସ୍ଥାନୀୟ ବ୍ୟକ୍ତିବିଶେଷଙ୍କ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରିବା ପାଇଁ ସେ ପରାମର୍ଶ ଦେବା ସହ ଜଙ୍ଗଲରେ ନିଆଁ ଲଗାଉଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ଜଙ୍ଗଲ ବାହିନୀର ମୁଖ୍ୟ ଶ୍ରୀ ଦେବୀଦତ୍ତ ବିଶ୍ୱାଳ ବୈଠକକୁ ଅବଗତ କରିଥିଲେ ଯେ ବନାଗ୍ନିକୁ ପ୍ରତିହତ କରିବା ପାଇଁ ଆଧୁନିକ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରାଯାଇ ଏଯାବତ୍‌ ଘଟିଥିବା ୨୯୭୭୧ ବନାଗ୍ନି ମଧ୍ୟରୁ ୯୮ ପ୍ରତିଶତରୁ ଅଧିକ ବନାଗ୍ନିକୁ ତୁରନ୍ତ ପ୍ରଶମିତ କରାଯାଇପାରିଛି । ମୋ ଜଙ୍ଗଲ ଆପ୍‌ ମାଧ୍ୟମରେ ସଦ୍ୟତମ ତଥ୍ୟ ମିଳିପାରୁଛି ।

ଜିଲ୍ଲାସ୍ତରୀୟ କମିଟି ଗଠନ କରାଯାଇ ପ୍ରତ୍ୟେକ ଜିଲ୍ଲା ପାଇଁ ଜିଲ୍ଲା ଅଗ୍ନି ନିବାରଣ ଓ ପ୍ରଶମନ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇ କାର୍ଯ୍ୟକାରୀ କରାଯାଉଛି । ରାଜ୍ୟ ମୁଖ୍ୟାଳୟ ତଥା ବନଖଣ୍ଡ ସ୍ତରରେ ୨୪ ଘଣ୍ଟିଆ ନିରୀକ୍ଷଣ କକ୍ଷ କାର୍ଯ୍ୟକରୁଛି ।

ବନଖଣ୍ଡ ସ୍ତରରେ ଅଗ୍ନି ନିର୍ବାପକ ଦଳ ନିୟୋଜିତ କରାଯାଇ ସେମାନଙ୍କୁ ଲିଫ୍‌ ବ୍ଲୋଅର (କeଚ୍ଚଜ ଇଝଞ୍ଚwer) ଏବଂ ଟର୍ଚ୍ଚ ଇତ୍ୟାଦି ଓ ଅନ୍ୟାନ୍ୟ ସୁରକ୍ଷା ଉପକରଣ ମଧ୍ୟ ଯୋଗାଇ ଦିଆଯାଇଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗତ ମାର୍ଚ୍ଚ ମାସରେ ହୋଇଥିବା ବୈଠକର ନିଷ୍ପତ୍ତି ଅନୁଯାୟୀ ୧୧ଟି ବନାଗ୍ନିପ୍ରବଣ ବନଖଣ୍ଡରେ ଓଡ୍ରାଫ୍‌ ଟିମ୍‌ ନିୟୋଜିତ କରାଯାଇଛି ।

ପରିଶେଷରେ ଦଶପଲ୍ଲା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଦ୍ୱାରା ଜୀବନଧାରଣ ପାଇଁ ଜଙ୍ଗଲର ଆବଶ୍ୟକତା ଓ ବନାଗ୍ନି ପ୍ରଶମନ ସମ୍ବନ୍ଧୀୟ ଏକ ମର୍ମସ୍ପର୍ଶୀ ନାଟକକୁ ପ୍ରଦର୍ଶିତ କରାଯାଇଥିଲା । ଏହି ନାଟକର ପ୍ରଚାରପ୍ରସାର ନିମନ୍ତେ ବନ ବିଭାଗ ଆବଶ୍ୟକ ପଦକ୍ଷେପ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ । ଏଥି ସହ ବନାଗ୍ନିପ୍ରବଣ ଅଞ୍ଚଳକୁ ପ୍ରଶାସନିକ ଅଧିକାରୀମାନେ ଯାଇ ଗ୍ରାମବାସୀଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା କଲେ ସେମାନଙ୍କ ବିଶ୍ୱାସ ଜିଣିବା ସହ ଅନେକ ସୁଫଳ ମିଳିପାରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।

ଆଭାସୀ ମାଧ୍ୟମରେ ହୋଇଥିବା ଏହି ବୈଠକରେ ବନ ବିଭାଗର ବରିଷ୍ଠ ଅଧିକାରୀ, ଓସ୍‌ଡମାର ପରିଚାଳନା ନିର୍ଦ୍ଦେଶକ, ବନାଗ୍ନି ଦ୍ୱାରା ବିଶେଷ ଭାବରେ ପ୍ରଭାବିତ ୧୨ଟି ବନଖଣ୍ଡ ଯଥା ବାଲିଗୁଡ଼ା, ରାୟଗଡ଼ା, କଳାହାଣ୍ଡି (ଦକ୍ଷିଣ), ବାମରା (ବନ୍ୟଜନ୍ତୁ), ବଣାଇ, ପାରଳାଖେମୁଣ୍ଡି, ସୁନ୍ଦରଗଡ଼, କେନ୍ଦୁଝର, ବୌଦ୍ଧ, ଫୁଲବାଣି, ଆଠଗଡ଼ ଏବଂ ମାଲକାନଗିରିର ବନଖଣ୍ଡ ଅଧିକାରୀ ଏବଂ କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି, ସୁନ୍ଦରଗଡ଼, ଗଜପତି, କେନ୍ଦୁଝର, ବୌଦ୍ଧ, ଅନୁଗୋଳ ଏବଂ ମୟୂରଭଞ୍ଜର ଜିଲ୍ଲାପାଳମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।