Home General ସୁନା ଦୋକାନ ବିରୁଦ୍ଧରେ ଅଧିକ ମାମଲା

ସୁନା ଦୋକାନ ବିରୁଦ୍ଧରେ ଅଧିକ ମାମଲା

ଭୁବନେଶ୍ୱର : ରାଜ୍ୟର ପେଟ୍ରୋଲ ପମ୍ପ୍‍ରେ ଠକେଇ ନେଇ ଯେତିକି ମାମଲା ରୁଜୁ ହେଉଛି ତାହାଠାରୁ ଅଧିକ ମାମଲା ସୁନାଦୋକାନ ବିରୁଦ୍ଧରେ ହେଉଛି । ଗତ ତିନିବର୍ଷର ମାଓ ଓଜନ ଠକେଇ ପରିସଂଖ୍ୟାନରୁ ଏହା ଦେଖିବାକୁ ମିଳିଛି ।

ଗତ ଆର୍ଥିକ ବର୍ଷର ଫେବୃୟାରୀ ଶେଷ ସୁଦ୍ଧା ୨୨୬୦ଟି ବିଭିନ୍ନ ଧରଣର ଠକେଇ ମାମଳା ରୁଜୁ ହୋଇଥିବାବେଳେ ଏଥିରୁ ଗହଣା ମାମଲା ଥିଲା ୨୮୧ଟି । ଏହି ସମୟରେ ପେଟ୍ରୋଲ ପମ୍ପଗୁଡିକ ବିରୁଦ୍ଧରେ ୧୬୧ଟି ମାମଲା ରୁଜୁ ହୋଇଥିଲା । ତେବେ ସର୍ବାଧିକ ମାମଲା ବିଭିନ୍ନ ଡାଲି ଚାଉଳ ଦୋକାନ ବିରୁଦ୍ଧରେ ରହିଥିଲା । ସେହିଭଳି ଏହି ସମୟରେ ଦୁଗ୍ଧଜାତ ଦ୍ରବ୍ୟ ଜନିତ ମାମଲା ସଂଖ୍ୟା ୧୧ ଥିବାବେଳେ ପନିପରିବା ଦୋକାନ ବିରୁଦ୍ଧରେ ୨୧୧ଟି ମାମଲା ରୁଜୁ ହୋଇଥିଲା ।

୨୦୨୨-୨୩ରେ ଫେବୃୟାରୀ ଶେଷ ସୁଦ୍ଧା ରୁଜୁ ହୋଇଥିବା ୨୨୬୦ଟି ମାମଲା ମଧ୍ୟରୁ ୭୨ଟି ହେଉଛି ଓଜନ ଠକେଇ ଜନିତ ମାମଲା । ଏଥି ମଧ୍ୟରେ ସୁନା ଦୋକାନରେ ୫ଟି ଓଜନ ଠକେଇ ମାମଲା ରହିଛି । ସମସ୍ତ ମାମଲାରେ ୫୦ଲକ୍ଷରୁ ଅଧିକ ଅର୍ଥ ଆଦାୟ ହୋଇଛି ।

କେବଳ ଗତ ଆର୍ଥିକ ବର୍ଷ ନୁହେଁ ୨୦୧୯-୨୦ବର୍ଷରେ ୩୬୧ ଗହଣା ମାମଲା ରୁଜୁ ହୋଇଥିବାବେଳେ ୨୦୨୦-୨୧ରେ ଏହି ସଂଖ୍ୟା ୨୮୨ ରହିଥିଲା । ୨୦୨୧-୨୨ ବର୍ଷରେ ୩୨୦ଟି ଗହଣା ଜନିତ ମାମଲା ରୁଜୁ କରାଯାଇଥିଲା । ସୁନା ଦୋକାନରେ ଗ୍ରାହକଙ୍କୁ ଓଜନ ଠକେଇ ହେଉଥିବା ନେଇ ପ୍ରତିବର୍ଷ ମାମଲା ରୁଜୁ ହେଉଥିବା ଦେଖିବାକୁ ମିଳୁଛି ।

ମାପ ଓଜନ ବିଭାଗ ଚଢଉ କରିବା ସହିତ ମାମଲା ରୁଜୁ କରି ୨୦୧୯-୨୦ ବର୍ଷରେ ୨୦ଲକ୍ଷରୁ ଅଧିକ ଟଙ୍କା ଆଦାୟ କରିଥିବାବେଳେ ଏହା ପରବର୍ଷ ଆଦାୟ ଅର୍ଥର ପରିମାଣ ୨୧ଲକ୍ଷ ଟଙ୍କାକୁ ଟପିଯାଇଥିଲା ।

ସମଗ୍ର ରାଜ୍ୟରେ ମାପ ଓଜନ କ୍ଷେତ୍ରରେ ଠକେଇର ସଂଖ୍ୟା ବଢୁଥିବାବେଳେ ଏହାକୁ ରୋକିବା ଏବଂ ନିୟମିତ ଚଢଉ ପାଇଁ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନାହାନ୍ତି । ତେବେ ରାଜଧାନୀ ସମେତ କଟକ ଭଳି ବଡ ବଡ ସହରରେ ମାଳ ମାଳ ସୁନା ଦୋକାନ ଗଢି ଉଠୁଥିବାବେଳେ ଏଠାରେ ନିୟମିତ ଭାବେ ଯାଞ୍ଚ ପାଇଁ ମତପ୍ରକାଶ ପାଉଛି । ପୂର୍ବରୁ ମାପ ଓଜନ ଠକେଇରେ ରାଜଧାନୀରେ ଧରାପଡିଥିବା ସୁନା ଦୋକାନୀ ଓ ବଡ ବହ ମିଠା ଦୋକାନୀଙ୍କ ବିରୁଦ୍ଧରେ କେବଳ ଆର୍ଥିକ ଜୋରିମାନା ଲାଗିଥିଲା । ତେବେ ସୁନା ଦୋକାନରେ ହେଉଥିବା ଠକେଇରେ ଗ୍ରାହକମାନେ ବଡ ଧରଣର କ୍ଷତି ସହୁଥିବାରୁ ଏମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଲାଗି ମତପ୍ରକାଶ ପାଉଛି । (ତଥ୍ୟ)