Home General ଡାକଘରେ ନାହିଁ ଇଣ୍ଟରନେଟ୍‍

ଡାକଘରେ ନାହିଁ ଇଣ୍ଟରନେଟ୍‍

ଭୁବନେଶ୍ୱର : ଡାକଘର ଉପରେ ସହର ଠାରୁ ଆରମ୍ଭକରି ଗାଁ ଗହଳର ଲୋକେ ନିର୍ଭର କରୁଥିବାବେଳେ ରାଜ୍ୟର ୪୯ଟି ଡାକଘରେ ଇଣ୍ଟରନେଟ୍‍ ସେବା ନାହିଁ । ଫଳରେ ଏଠାରେ ଆର୍ଥିକ ଓ ଅନ୍ୟାନ୍ୟ କାରବାର ଏକପ୍ରକାର ଠପ୍‍ ।

ଦେଶର ୨୨ଟି ରାଜ୍ୟରେ ଥିବା ୮୭୯ଟି ଡାକଘରେ ଆଜି ବି ଇଣ୍ଟରନେଟ୍‍ ସୁବିଧା ନଥିବାବେଳେ ଏହି ତାଲିକାରେ ଓଡିଶାର ୪୯ଟି ଡାକଘର ରହିଛି । ଇଣ୍ଟରନେଟ୍‍ ନଥିବା ଯୋଗୁଁ ଏହିସବୁ ଡାକଘରେ ଲୋକେ ଆର୍ଥିକ କାରବାର କରିବା ସମ୍ଭବପର ହେଉନାହିଁ । ବିଶେଷକରି ଏମ୍‍ଜିନରେଗା ଠାରୁ ଆରମ୍ଭକରି ଅନ୍ୟାନ୍ୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣ ଯୋଜନାର ଅର୍ଥ ମଧ୍ୟ ସେମାନେ ପାଇପାରୁ ନାହାନ୍ତି ।

ରାଜ୍ୟରେ ଚିଟ୍‍ଫଣ୍ଡ ଦୁର୍ନୀତି ପରେ ସହର ଠାରୁ ଗାଁ ପର୍ଯ୍ୟନ୍ତ ଅଧିକାଂଶ ଲୋକେ ଆର୍ଥିକ କାରବାର ପାଇଁ ଡାକଘର ଉପରେ ନିର୍ଭର କରୁଛନ୍ତି । ଏହାଛଡା ରାଷ୍ଟ୍ରାୟତ ବ୍ୟାଙ୍କ୍‍ଗୁଡିକ ଗାଁ ଗହଳରେ ଶାଖା ଖୋଲିବାକୁ ରାଜି ହେଉନଥିବାରୁ ଲୋକେ ମଧ୍ୟ ଡାକଘର ଉପରେ ନିର୍ଭରଶୀଳ । ଏଠାରେ ଆର୍ଥିକ କାରବାର ଠାରୁ ଆରମ୍ଭକରି ଚିଠିପତ୍ର ଆଦାନପ୍ରଦାନ ସବୁକିଛି ହୋଇଥାଏ । ହେଲେ ଏବେ ଡାକଘରର ପ୍ରାୟ ସମସ୍ତ କାର୍ଯ୍ୟ ଅନ୍‍ଲାଇନ୍‍ରେ ହୋଇଥିବାରୁ ଏଥିପାଇଁ ଇଣ୍ଟରନେଟ୍‍ ଆବଶ୍ୟକ ।

ତେବେ ଯେଉଁସବୁ ଡାକଘରେ ଇଣ୍ଟରନେଟ୍‍ ସୁବିଧା ରହିଛି ସେଠାରେ ବି ଲୋକେ ନାକେଦମ ହେଉଛନ୍ତି । ଅଧିକାଂଶ ସ୍ଥାନରେ ବାରମ୍ବାର ଲିଙ୍କ୍‍ ଫେଲ୍‍ ହେବାରୁ ଲୋକେ ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡା ହେଉଛନ୍ତି । ଏ ସଂକ୍ରାନ୍ତରେ ସୂଚନା ମିଳିଛି ଯେ ଡାକ ବିଭାଗ ପୁରୁଣାକାଳିଆ ସଫ୍ଟୱେର ବ୍ୟବହାର କରିବା ସହିତ ଦ୍ରୁତଗାମୀ ଇଣ୍ଟରନେଟ୍‍ ସଂଯୋଗ ନେବାରେ ଆଗ୍ରହ ଦେଖାଉନଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି । ଏଭଳି ସମସ୍ୟା ଗାଁ ଗହଳର ନୁହେଁ ରାଜ୍ୟର ବିଭିନ୍ନ ଜିଲ୍ଲା ମୁଖ୍ୟାଳୟରେ ଥିବା ଡାକଘରଗୁଡିକରେ ବି ପରିଲକ୍ଷିତ ହେଉଛି ।

ବର୍ତ୍ତମାନ କେନ୍ଦ୍ର ସରକାର ମହିଳା ସଞ୍ଚୟ ଯୋଜନା ଠାରୁ ଆରମ୍ଭ କରି ଅନେକ ସଞ୍ଚୟ ଓ ବୀମା ଯୋଜନା ଡାକଘରେ ଜରିଆରେ ଖୋଲିବାକୁ ଅଗ୍ରାଧିକାର ଦେଉଛନ୍ତି । ଯଦିଓ ମୋବାଇଲ୍‍ ଫୋନ୍‍ର ବହୁଳ ବ୍ୟବହାର ପରେ ଡାକଘରେ ଚିଠିପତ୍ର ଯା ଆସ ହ୍ରାସ ପାଇଛି ତଥାପ ଏବେ ବି ଗାଁ ଗହଳର ଚାକିରି ଆଶାୟୀମାନେ ଡାକଘର ଉପରେ ନିର୍ଭର କରୁଛନ୍ତି । ଏହାଛଡା ଡାକଘରଗୁଡିକୁ ଏବେ ବିଭିନ୍ନ ଇ-କମର୍ସ ସଂସ୍ଥା ସହିତ ଯୋଡି ଦିଆଯାଇଛି ।

ଗୋଟିଏ ପରେ ଡାକଘରେ କାରବାର ବୃଦ୍ଧି ପାଇଁ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଉଥିବାବେଳେ ଅନ୍ୟ ପଟେ ପାଖାପାଖି ୫୦ଟି ଡାକଘରେ ଇଣ୍ଟରନେଟ୍‍ ସୁବିଧା ନଥିବା ଓ ବହୁ ସଂଖ୍ୟକ ଡାକଘରେ ଧିମା ଇଣ୍ଟରନେଟ୍‍ ଯୋଗୁଁ ଲୋକେ ହଇରାଣ ହରକତ ହେଉଥିବା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଇଣ୍ଟରନେଟ୍‍ ନଥିବା ଡାକଘରଗୁଡିକୁ ଯେଭଳି ତୁରନ୍ତ ଇଣ୍ଟରନେଟ୍‍ ସଂଯୋଗ ଦିଆଯିବ ସେଥିପାଇଁ କର୍ତ୍ତୃପକ୍ଷ ଆଲୋଚନା ଚଳାଇଥିବା ଜଣାଯାଇଛି । (ତଥ୍ୟ)