ଭୁବନେଶ୍ୱର : ବାଳିକା, ଗର୍ଭବତୀ ଓ ବିଭିନ୍ନ ରୋଗରେ ପୀଡିତ ମହିଳାଙ୍କ ପୁଷ୍ଟିହୀନତା ଦୂର ଲାଗି ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା (ଏମଏସପିୱାଇ)ରେ ଆଗାମୀ ୫ବର୍ଷ ମଧ୍ୟରେ ୨୫୭୯.୩୩ କୋଟି ଟଙ୍କା ବ୍ୟୟ ଲାଗି ନିଷ୍ପତ୍ତି ନେଇଛନ୍ତି । ଏହି ଯୋଜନା ଚଳିତ ଆର୍ଥିକ ବର୍ଷରୁ କାର୍ଯ୍ୟକାରୀ ହେବ ।
ସୂଚନା ଅନୁଯାୟୀ ରରାଜ୍ୟ ସରକାର ପୁଷ୍ଟିହୀନତା ଦୂର ଲାଗି ୨୦୨୦-୨୧ ରୁ ୨୦୨୨-୨୩ ଆର୍ଥିକ ବର୍ଷ ମଧ୍ୟରେ ସୋପାନ ଯୋଜନାରେ ୧୮୯.୭୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ରାଜ୍ୟ ସରକାରଙ୍କ ଅର୍ଥରେ ପୁଷ୍ଟି ବୃଦ୍ଧି ନିମନ୍ତେ ଏହି ଯୋଜନା ରାଜ୍ୟର ୨୨ଟି ଜିଲ୍ଲାରେ ଥିବା ୧୨୫ଟି ସମ୍ବେଦନଶୀଳ ବ୍ଲକରେ କାର୍ଯ୍ୟକାରୀ ହେଉଛି । ତେବେ ସୋପାନ ସ୍ଥାନରେ ଏମଏସ୍ପିୱାଇ କାର୍ଯ୍ୟକାରୀ ହେବ ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ତାଙ୍କ ବଜେଟ୍ ଅଭିଭାଷଣରେ ସୂଚନା ଦେଇଥିଲେ ।
ତଦନୁଯାୟୀ ଏହି ଯୋଜନାରେ ସମସ୍ତ ୩୩୮ଟି ସମନ୍ୱିତ ଶିଶୁ ବିକାଶ ସେବା (ଆଇସିଡିଏସ୍) ସାମିଲ ହେବ ଏବଂ ଓମ୍ବାଡକ ଓ ଡିଏମ୍ଏଫ ପାଣ୍ଠିରୁ ଏଥିପାଇଁ ଅର୍ଥ ଯୋଗାଇ ଦିଆଯିବ । ୨୦୨୩-୨୪ ରୁ ୨୦୨୭-୨୮ବର୍ଷ ମଧ୍ୟରେ ଖର୍ଚ୍ଚ ହେବାକୁ ଥିବା ୨୫୭୯.୩୩ କୋଟି ଟଙ୍କା ରାଜ୍ୟ ବଜେଟ୍, ଓମ୍ବାଡକ୍ ଏବଂ ଡିଏମ୍ଏଫ୍ ପାଣ୍ଠିରୁ ବ୍ୟୟ ହେବ ।
ଚଳିତ ଆର୍ଥିକ ବର୍ଷରେ ଏମଏସ୍ପିୱାଇ ଯୋଜନା ଲାଗି ରାଜ୍ୟ ସରକାର ବଜେଟ୍ରେ ୨୫୦କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଗର୍ଭବତୀ ମହିଳା, ବାଳିକା ଏବଂ ଛଅ ବଷରୁ କମ୍ ବୟସର ଶିଶୁଙ୍କ ଠାରେ ଅପପୁଷ୍ଟି ଦୂରପାଇଁ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଏହି ପ୍ରସ୍ତାବ ଦେଇଥିଲେ ।
ଏହି ଯୋଜନାରେ ବାଳିକାଙ୍କ ପାଇଁ ସ୍ୱତନ୍ତ୍ର ପୁଷ୍ଟି ପ୍ୟାକେଜ, ମା’ ମାନଙ୍କ ପାଇଁ ଘରକୁ ଅତିରିକ୍ତ ରାସନ ଯୋଗାଣ ସହିତ ଅତିରିକ୍ତ ପୁଷ୍ଟିହୀନ ଏବଂ କମ୍ ଓଜନର ଶିଶୁଙ୍କ ପାଇଁ ଗୋଷ୍ଠି ପରିଚାଳନା ଜରିଆରେ ଖାଦ୍ୟ ଯୋଗାଇ ଦିଆଯିବ । ବୟସ୍କ ବାଳିକା, ମା’ ଏବଂ ଶିଶୁମାନଙ୍କୁ ଅଙ୍ଗନବାଡି କେନ୍ଦ୍ରରେ ତାଲିକାଭୁକ୍ତ କରିଯବ । ଓମ୍ବାଡକ ପାଣ୍ଠି ଜରିଆରେ ୭୮ଟି ଆଇସିଡିଏସ୍ ପ୍ରକଳ୍ପରେ ୧,୬୧,୫୫୦ ବାଳିକା, ୧,୮୪,୦୦୦ ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳା ଏବଂ ୬୦୦୦ ଉର୍ଦ୍ଧ୍ୱ ପୁଷ୍ଟିହୀନ ଶିଶୁଙ୍କୁ ଉପକୃତ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି ।
ପୂର୍ବରୁ ୧୫ରୁ ୧୯ବର୍ଷର କିଶୋରୀମାନଙ୍କ ପାଇଁ ୩୩୮ ଆଇସିଡିଏସ୍ ପ୍ରକଳ୍ପରେ କାର୍ଯ୍ୟକାରୀ ହେଉଥିବା କିଶୋରୀ ମେଳା ଜାରି ରହିିବ । ତେବେ ଭାରତ ସରକାର ଚିହ୍ନଟ କରିଥିବା ୧୦ଟି ଆଙ୍କାକ୍ଷୀ ଜିଲ୍ଲାରେ ୧୪ରୁ ୧୮ବର୍ଷ ବୟସର ବାଳିକା ପୁଷ୍ଟିକର ଯୋଜନା ସାମିଲ ଅଛନ୍ତି । ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାମାନେ ଅଙ୍ଗନବାଡିକୁ ଆସିବାରେ ସମସ୍ୟା ଥିବାରୁ ସେମାନଙ୍କୁ ଘରକୁ ମିଲେଟ ସହିତ ପୁଷ୍ଟିସାର ଯୁକ୍ତ ଖାଦ୍ୟ ଯୋଗାଇବାର ବ୍ୟବସ୍ଥା ହୋଇଛି । (ତଥ୍ୟ)