Home News in Odia ଅନୁକମ୍ପା ଭୋଟ ଉପରେ ନଜର

ଅନୁକମ୍ପା ଭୋଟ ଉପରେ ନଜର

ଭୁବନେଶ୍ୱର : ଝାରସୁଗୁଡା ବିଧାନସଭା ଉପନିର୍ବାଚନ ପାଇଁ ଦୁଇ ପ୍ରମୁଖ ରାଜନୈତିକଦଳ ପ୍ରାର୍ଥୀ ଘୋଷଣା କରିଥିବାବେଳେ କେଉଁ ପ୍ରାର୍ଥୀଙ୍କ ସପକ୍ଷରେ କେତେ ଅନୁକମ୍ପାମୂଳକ ଭୋଟ ଯିବ ସେଥିଘେନି ଏବେ ଅଙ୍କକଷା ଆରମ୍ଭ ହୋଇଛି ।

ଏଠାରେ ଉଲ୍ଲେଖନୀୟ ଯେ ଏଯାବତ୍‍ ବିଜେଡି, କଂଗ୍ରେସ ଓ କଳିଙ୍ଗସେନା ଏହି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ତେବେ ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ଦ୍ୱୟ ନିକଟରେ ନିଜ ନିଜ ପିତାଙ୍କୁ ହରାଇଥିବାବେଳେ ଏମାନଙ୍କ ନଜର ଅନୁକମ୍ପା ଭୋଟ ଉପରେ ରହିଛି ।

ଏପ୍ରିଲ୍‍ ୨୦ତାରିଖ ସୁଦ୍ଧା ଝାରସୁଗୁଡା ଉପର୍ନିବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ସରିବ । ଏହି ଆସନରୁ ଲଗାତାର ତିନିଥର ଜିଣି ଶେଷ ପାଳିରେ ମନ୍ତ୍ରୀ ଥିବା ନବକିଶୋର ଦାସ ଗତ ଜାନୁୟାରୀ ୨୯ତାରିଖ ମଧ୍ୟାହ୍ନରେ ବ୍ରଜରାଜନଗରର ଗାନ୍ଧୀଛକ ନିକଟରେ ଜଣେ ପୁଲିସ୍‍ ଗୁଳିରେ ପ୍ରାଣ ହରାଇବା ପରେ ଏହି ଆସନ ପାଇଁ ଉପନିର୍ବାଚନ ହେଉଛି । ନବ କିଶୋର ୨୦୦୯ ଓ ୨୦୧୪ରେ ଝାରସୁଗୁଡାରୁ ତାଙ୍କ ପାରମ୍ପରିକ ପ୍ରତିଦ୍ୱନ୍ଦୀ ବିଜେଡିର କିଶୋର ମହାନ୍ତିଙ୍କୁ ହରାଇ କଂଗ୍ରେସ ପ୍ରାର୍ଥୀଭାବେ ଜିଣିଥିଲେ । ତେବେ ୨୦୧୯ରେ ସେ ବିଜେଡିପ୍ରାର୍ଥୀଭାବେ ଏଠାରୁ ଜିଣି ମନ୍ତ୍ରୀ ହୋଇଥିଲେ ।

ବିଜେଡି ଏହି ଆସନରୁ ନବ କିଶୋରଙ୍କ ଝିଅ ଦୀପାଳୀ ଦାସଙ୍କୁ ପ୍ରାର୍ଥୀ କରିଛି । ସଂଗଠନ ସହିତ ଦୀପାଳୀ ଅନୁକମ୍ପା ଭୋଟ ପାଇବେ ବୋଲି ଚର୍ଚ୍ଚା ହେଉଛି । ଅନ୍ୟ ପକ୍ଷରେ କଂଗ୍ରେସ ଝାରସୁଗୁଡା ଆସନ ପାଇଁ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ତରୁଣ ହେଉଛନ୍ତି ଝାରସୁଗୁଡାରୁ ତିନି ଥର କଂଗ୍ରେସ ବିଧାୟକ ଥିବା ବୀରେନ୍ଦ୍ର ଚନ୍ଦ୍ର ପାଣ୍ଡେଙ୍କ ପୁଅ । ୧୯୮୦, ୧୯୮୫ ଓ ୧୯୯୫ରେ ବୀରେନ୍ଦ୍ର ଝାରସୁଗୁଡାରୁ ନିର୍ବାଚିତ ହୋଇଥିଲେ ।

ନବ କିଶୋରଙ୍କ ମୃତ୍ୟୁର ପ୍ରାୟ ଦେଢମାସ ପରେ କଂଗ୍ରେସର ବରିଷ୍ଠ ନେତା ବୀରେନ୍ଦ୍ର ପାଣ୍ଡେଙ୍କର ମୃତ୍ୟୁ ହୋଇଛି । ତାଙ୍କ ଶୁଦ୍ଧିକ୍ରିୟାର ମାସେ ନପୁରୁଣୁ ଝାରସୁଗୁଡାରେ ଉପର୍ନିବାଚନ ପରିପ୍ରେକ୍ଷୀରେ ତରୁଣ ପାଣ୍ଡେ ବି ଅନୁକମ୍ପା ଭୋଟ ସହିତ କଂଗ୍ରେସର ପାରମ୍ପରିକ ଭୋଟ ପାଇବେ ବୋଲି ଦଳୀୟ ନେତାମାନେ ଆଶା ରଖୁଛନ୍ତି ।

ସ୍ୱାଧୀନତା ପରେ ବିଧାନସଭା ପାଇଁ ହୋଇଥିବା ୧୬ଟି ନିର୍ବାଚନରୁ କଂଗ୍ରେସ ଝାରସୁଗୁଡାରୁ ଅନ୍ୟୁନ ୧୦ଥର ଜିଣିଛି । ଝାରସୁଗୁଡାକୁ କଂଗ୍ରେସର ପାରମ୍ପରିକ ଗଡ ବୋଲି କୁହାଯାଉଥିବାବେଳେ ଅତୀତରେ କିଶୋର ମହାନ୍ତି ଓ ନବ ଦାସ ଏହି ଗଡକୁ ଭାଙ୍ଗିବାରେ ସକ୍ଷମ ହୋଇଥିଲେ । ଏବେ ଝାରସୁଗୁଡାର ତାପାମାତ୍ରା ୪୦ଡିଗ୍ରୀ ଟପିଥିବାବେଳେ ମଇ ୧୦ରେ ନିର୍ବାଚନ ବେଳକୁ ଉତ୍ତାପ ଅଧିକ ବଢିବାର ଆଶଙ୍କା ରହିଛି ।

ତେବେ ବିଜେଡି, କଂଗ୍ରେସ ଓ ବିଜେପି ପକ୍ଷରୁ ଏହି ନିର୍ବାଚନମଣ୍ଡଳୀରେ ଯେଭଳି ଅଘୋଷିତ ପ୍ରଚାର କାର୍ଯ୍ୟକ୍ରମ ଚାଲିଛି ତାହା ରାଜନୈତିକ ପାଣିପାଗକୁ ଅଧିକ ଗରମ କରୁଛି । ଏବେ ବିଭିନ୍ନ ଦଳର ନେତାମାନେ ଝାରସୁଗୁଡାମୁହାଁ ହେଉଥିବାବେଳେ ଆଉ କିଛଦିନ ମଧ୍ୟରେ ଏହି ର୍ନିବାଚନମଣ୍ଡଳୀ ପ୍ରଚଣ୍ଡ ରୌଦ୍ରତାପ ଭିତରେ ବି ଦୁଲୁକିବ । (ତଥ୍ୟ)