ଭୁବନେଶ୍ୱର : ରାଜଧାନୀବାସୀଙ୍କ ଆମୋଦ ପ୍ରମୋଦ ପାଇଁ ଗଢି ଉଠିଥିବା ପାର୍କଗୁଡିକ ଏବେ ଅସୁରକ୍ଷିତ । ଯଦିଓ ଏଠାରେ ଚୋରି ଡକାୟତି ନାହିଁ, କିନ୍ତୁ ପୁଅ ଝିଅଙ୍କ ଅସଂଜତ ଆଚରଣ ଓ ନିଶା ସେବନ ଯୋଗୁଁ ପରିବାର ସହିତ ବିଶେଷକରି ଛୋଟ ପିଲାଙ୍କୁ ନେଇ ଲୋକେ ପାର୍କ ଯିବାକୁ ପସନ୍ଦ କରୁନାହାନ୍ତି ।
ରାଜଧାନୀର ବଡ ଠାରୁ ଆରମ୍ଭ କରି ଛୋଟ ଛୋଟ ପାର୍କରେ ଏହା ନିତିଦିନିଆ ଘଟଣା ହେଲାଣି । ଫରେଷ୍ଟପାର୍କ, ଏକାମ୍ରପାର୍କ, ଇନ୍ଦିରା ପାର୍କ, ବୁଦ୍ଧ ପାର୍କ, ମୁଖାର୍ଜୀ ପାର୍କ, ସାଇନ୍ସ ପାର୍କ ଭଳି ଜଣାଶୁଣା ପାର୍କଗୁଡିକରେ ଏଭଳି ଅବସ୍ଥା । ପାର୍କ ଖୋଲିଲାମାତ୍ରେ ଦଳ ଦଳ ହୋଇ ପୁଅ ଝିଅ ପ୍ରବେଶ କରୁଛନ୍ତି । ସେଠାରେ ବିଭିନ୍ନ ସ୍ଥାନରେ ଅତ୍ୟନ୍ତ ଅସଂଯତ ଅବସ୍ଥାରେ ବସିବା ସହିତ ଅଶାଳୀନ ଆଚରଣ କରୁଛନ୍ତି ।
ଏଥିଯୋଗୁଁ ଏହିସବୁ ପାର୍କଗୁଡିକୁ ସାଂଧ୍ୟ ଭ୍ରମଣ ସହିତ ନିଜ ନିଜ ପିଲାଙ୍କୁ ଖେଳକୁଦ ପାଇଁ ନେଇ ଯାଉଥିବା ଲୋକେ ଅତ୍ୟନ୍ତ ଅସ୍ୱସ୍ଥିକର ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି । ଅବସ୍ଥା ଏଭଳି ହୋଇଛି ଯେ ପାର୍କକୁ ପିଲାଙ୍କ ସହିତ ଯାଉଥିବା ଅଭିଭାବକମାନେ ପିଲାଙ୍କୁ ସେଠାରେ ଗୋଡେ ଗୋଡେ ଜଗୁଛନ୍ତି ଯେଭଳି ସେମାନେ ପାର୍କର କୌଣସି ନିଛାଟିଆ କିମ୍ବା ଅନ୍ଧାରୁଆ ସ୍ଥାନକୁ ଚାଲି ନଯାଆନ୍ତି ।
ତେବେ ଦିନବେଳା କୌଣସି ପ୍ରକାରେ ଲୋକେ ପରିବାର ସହିତ ପାର୍କକୁ ଯାଉଥିବାବେଳେ ସଂଧ୍ୟା ପୂର୍ବରୁ ଫେରିବାକୁ ବାଧ୍ୟ ହେଉଛନ୍ତି । କାରଣ ସଞ୍ଜ ହେଲମାତ୍ରେ ପାର୍କର ବିଭିନ୍ନ ସ୍ଥାନରେ ପୁଅ ଝିଅମାନେ ଦଳ ଦଳ ହୋଇ ଅସଂଯତ ଅବସ୍ଥାରେ ବସିବା ସହିତ ନିଶା ସେବନ କରୁଛନ୍ତି । ପାର୍କକୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବାପାଇଁ ସୁରକ୍ଷାକର୍ମୀ ମୁତୟନ ହେଉଥିବାବେଳେ ସେମାନେ କୌଣସି କାରଣରୁ ଏମାନଙ୍କୁ କିଛି କହିପାରୁ ନାହାନ୍ତି । ଯଦି ବା କେତେବେଳେ କିଛି ଆକଟ କରୁଛନ୍ତି ସେତେବେଳେ ଝିଅମାନେ ସେମାନଙ୍କ ସହିତ ମୁହାଁମୁହିଁ ହେବାକୁ ପଛାଉନଥିବା ଦେଖିବାକୁ ମିଳୁଛି ।
ସେହିଭଳି ବିଭିନ୍ନ ପାର୍କର ଆଖପାଖ ଏବେ ନିଶାଡିଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଅପରାହ୍ନ ହେଲାମାତ୍ରେ ନିଶା ସେବନ କରୁଥିବା ପୁଅ ଝିଅମାନେ ଦଳ ଦଳ ହୋଇ ପାର୍କ ଆଖପାଖରେ ସିଗାରେଟ୍ ଓ ଗଞ୍ଜେଇ ଟାଣିବା ସହିତ ମଦ୍ୟପାନ ଭଳି ନିଶା ସେବନ କରୁଥିବା ଦେଖିବାକୁ ମିଳୁଛି । ଏମାନେ ଖୁଲମ ଖୁଲା ରାସ୍ତା ଉପରେ ସିଗାରେଟ ଟାଣୁଥିବାବେଳେ ଏହାର କୁପ୍ରଭାବ ପାର୍କକୁ ଆସୁଥିବା ଛୋଟ ଛୋଟ ପିଲାଙ୍କ ଉପରେ ପଡୁଛି । ପାର୍କ ଆଖପାଖରେ ପୁଲିସ୍ ଗାଡି ବୁଲୁଥିଲେ ମଧ୍ୟ ଏହି ଉଚ୍ଛୃଙ୍ଖଳ ଯୁବକ ଯୁବତୀମାନେ ସେଥିପ୍ରତି ଖାତିର କରୁନାହାନ୍ତି ।
ବିଏମ୍ସି, ବିଡିଏ କର୍ତ୍ତୃପକ୍ଷ ପାର୍କଗୁଡିକର ସୌନ୍ଦର୍ଯ୍ୟକରଣ ସହିତ ବିଭିନ୍ନ ବ୍ୟାୟାମ ସାମଗ୍ରୀ ଖଞ୍ଜୁଥିବାବେଳେ ସେଠାରେ ସୁରକ୍ଷା ବ୍ୟବସ୍ଥା ବିଶେଷକରି ଉଚ୍ଛୃଙ୍ଖଳ ଯୁବକ ଯୁବତୀଙ୍କ ଉପରେ କଟକଣା ଲଗାଉନଥିବାରୁ ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ କେହି ଆଉ ପାର୍କ ଯିବାକୁ ମଙ୍ଗୁ ନାହାନ୍ତି । କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ସହିତ ପାର୍କର ପ୍ରବେଶ ଓ ପ୍ରସ୍ଥାନ ସ୍ଥଳୀ ସହିତ ସମ୍ବେଦନଶୀଳ ଅଞ୍ଚଳରେ ସିଟିଟିଭି ଖଞ୍ଜିବାପାଇଁ ବି ମତପ୍ରକାଶ ପାଇଲାଣି । (ତଥ୍ୟ)