ଭୁବନେଶ୍ୱର : ଛୋଟ ଛୋଟ ଉଦ୍ୟୋଗରେ ଅଧିକ ନିଯୁକ୍ତି ସୃଷ୍ଟି ହେଉଛି । ଗତ ପାଞ୍ଚବର୍ଷ ମଧ୍ୟରେ ରାଜ୍ୟରେ ଗଢି ଉଠିଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗରେ ୮ଲକ୍ଷରୁ ଅଧିକ ଲୋକ କର୍ମସଂସ୍ଥାନ ପାଇଛନ୍ତି ।
ରାଜ୍ୟରେ ଗତ ପାଞ୍ଚ ବର୍ଷ ଅର୍ଥାତ୍ ୨୦୧୭-୧୮ ରୁ ୨୦୨୨-୨୩ ଆର୍ଥିକ ବର୍ଷର ଡିସେମ୍ବର ମଧ୍ୟରେ ମୋଟ୍ ୨,୮୮,୩୨୮ଟି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗଢି ଉଠିଛି । ଏହିସବୁ ଉଦ୍ୟୋଗରେ ୮ଲକ୍ଷ ୧୭ହଜାରରୁ ଅଧିକ ଲୋକ କର୍ମସଂସ୍ଥାନ ପାଇଛନ୍ତି ।
୨୦୧୭-୧୮ ବର୍ଷରେ ରାଜ୍ୟରେ ପ୍ରାୟ ୫୦ହଜାର ଛୋଟ ଉଦ୍ୟୋଗ ଗଢି ଉଠିଥିବାବେଳେ ଏଥିରେ ପ୍ରାୟ ଦେଢ ଲକ୍ଷ ଲୋକଙ୍କୁ କର୍ମସଂସ୍ଥାନ ମିଳିଥିଲା । ଏହି ବର୍ଷ କଟକ ଜିଲ୍ଲାରେ ସର୍ବାଧିକ ୩୩୫୭ ଉଦ୍ୟୋଗ ଗଢି ଉଠିଥିବାବେଳେ ଭୁବନୋ୍ବରରେ ୩୦୮୫ ଟି ଶିଳ୍ପ ଗଢି ଉଠିଥିଲା । ସବୁଠାରୁ କମ୍ ୮୦୭ଟି ଛୋଟ ଉଦ୍ୟୋଗ ଦେବଗଢ ଜିଲ୍ଲାରେ ଗଢି ଉଠିଥିଲା ।
ଏଭଳି ଛୋଟ ଛୋଟ ଉଦ୍ୟୋଗ ପ୍ରତିଷ୍ଠା ସଂଖ୍ୟା ୨୦୧୮-୧୯ରେ ପାଖପାଖି ୭୦ ହଜାର ହୋଇଥିବାବେଳେ ୨୦୧୯-୨୦ ରେ ଏହି ସଂଖ୍ୟା ୫୭,୬୫୧ ଏବଂ ୨୦୨୦-୨୧ ବର୍ଷରେ ଏହା ୪୫ହଜାର ତଳକୁ ଖସି ଆସିଥିଲା । ସେହିଭଳି ୨୦୨୧-୨୨ ବର୍ଷରେ ଏହା ୪୨ହଜାରରୁ ସାମାନ୍ୟ ଅଧିକ ରହିଥିଲା । ୨୦୨-୨୩ ବର୍ଷର ଡିସେମ୍ବର ଶେଷ ସୁଦ୍ଧା ଏହା ୨୫ହଜାର ତଳେ ରହିଥିଲା । କରୋନାର ପ୍ରକୋପ ଓ ତଦ୍ଜନିତ କଟକଣା ଥିବାରୁ ଛୋଟ ଛୋଟ ଉଦ୍ୟୋଗ ପ୍ରତିଷ୍ଠା କ୍ଷେତ୍ରରେ ଏହା ବାଧକ ସାଜିଥିଲା ।
ରାଜ୍ୟ ସରକାର ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ଉପରେ ଗୁରୁତ୍ୱ ଦେଉଥିବାରୁ ପାଞ୍ଚବର୍ଷରେ ଏହି ସଂଖ୍ୟା ୨.୮୮ ଲକ୍ଷକୁ ଅତିକ୍ରମ କରିଥିବା କୁହାଯାଉଛି ।
ସଦ୍ୟ ସମାପ୍ତ ରାଜ୍ୟ ବିଧାନ ଅଧିବେଶନ କାଳରେ ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ମଧ୍ୟ ଖୋଲାଖୋଲି ଭାବେ କହିଥିଲେ ଯେ ବଡ ବଡ ଶିଳ୍ପ ଅପେକ୍ଷା ଛୋଟ ଛୋଟ ଶିଳ୍ପରେ ଅଧିକ ନିଯୁକ୍ତି ସୁଯୋଗ ରହିଛି । ସେଥିପାଇଁ ଏହି ଧରଣର ଶିଳ୍ପ ପ୍ରତିଷ୍ଠାପାଇଁ ଆଗ୍ରହୀ ଉଦ୍ୟୋଗୀମାନେ ଯେଭଳି ରାଜ୍ୟସ୍ତରକୁ ନଦଉଡିବେ ସେଥିପାଇଁ ଜିଲ୍ଲାସ୍ତରୀୟ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ହୋଇଛି ।
ତେବେ ଉଦ୍ୟୋଗୀମାନଙ୍କୁ ଋଣ ଦେବା କ୍ଷେତ୍ରରେ ରାଷ୍ଟ୍ରାୟତ ବ୍ୟାଙ୍କ୍ଗୁଡିକ କୁନ୍ଥୁ କୁନ୍ଥୁ ହେଉଥିବାରୁ ଅନେକ ଉଦ୍ୟୋଗ ହତାଶ ହୋଇ ମୁହଁ ଫେରାଇ ନେଉଛନ୍ତି । ତେଣୁ ଲୋକଙ୍କ ହାତକୁ କାମ ଦେଉଥିବା ଛୋଟ ଛୋଟ ଉଦ୍ୟୋଗୀମାନଙ୍କୁ ବ୍ୟାଙ୍କ୍ମାନେ ଯେଭଳି ସୁବିଧାରେ ଋଣ ଯୋଗାଇଦେବେ ତାହା ଉପରେ ସରକାର ଦୃଷ୍ଟି ଦେଲେ ଆହୁରି ଅଧିକ ଉଦ୍ୟୋଗ ସୃଷ୍ଟି ହୋଇପାରିବ ବୋଲି ଶିଳ୍ପ ବିଶେଷଜ୍ଞମାନେ ମତ ଦେଉଛନ୍ତି । (ତଥ୍ୟ)