Home Administration ଏସଆରସିଙ୍କ ବିପର୍ଯ୍ୟୟ ପ୍ରସ୍ତୁତି ସମୀକ୍ଷା

ଏସଆରସିଙ୍କ ବିପର୍ଯ୍ୟୟ ପ୍ରସ୍ତୁତି ସମୀକ୍ଷା

ଭୁବନେଶ୍ୱର : ସ୍ୱତନ୍ତ୍ର ରିଲିଫ୍‌ କମିଶନର (ଏସଆରସି) ତଥା ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଆଜି ସମସ୍ତ ଜିଲ୍ଲାପାଳମାନଙ୍କ ସହ ବିପର୍ଯ୍ୟୟ ପରିଚାଳନା ସଂକ୍ରାନ୍ତୀୟ ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରିଥିଲେ ।

ଏହି ଅବସରରେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇ କହିଲେ ଯେ ୨୦୨୩ ଦକ୍ଷିଣ-ପଶ୍ଚିମ ମୌସୁମୀକୁ ଆଖି ଆଗରେ ରଖି ସମସ୍ତେ ଚଳିତ ବର୍ଷ ପାଇଁ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ଲାନ ପ୍ରସ୍ତୁତ କରି ମଇ ମାସ ୩୧ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବେ ।

ସେହପରି ଅତିରିକ୍ତ ଜିଲ୍ଲାପାଳ ଯେଉଁମାନେ ଜରୁରୀକାଳୀନ ଦାୟିତ୍ୱରେ ଅଛନ୍ତି ସେମାନେ ଜିଲ୍ଲାସ୍ତରୀୟ ଅଫିସରମାନଙ୍କ ସହ ପ୍ରତ୍ୟେକ ଶୁକ୍ରବାର ଦିନ ସାପ୍ତାହିକ ସମୀକ୍ଷା ବୈଠକ କରିବେ ଏବଂ ବୈଠକର ବିସ୍ତୃତ ବିବରଣୀ ସଂପର୍କରେ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କୁ ଅବଗତ କରାଇବେ ।

ଜିଲ୍ଲାପାଳମାନେ ଏବେ ଘଟିଯାଇଥିବା ଘୂର୍ଣ୍ଣିଝଡ଼/କୁଆପଥର ମାଡ଼ ଦ୍ୱାରା ହୋଇଥିବା କ୍ଷୟକ୍ଷତି ସଂପର୍କରେ ରିପୋର୍ଟ ନିର୍ଦ୍ଦିଷ୍ଟ ଫର୍ମାଟରେ ତୁରନ୍ତ ଦାଖଲ କରିବେ । ସେହିପରି ଜିଲ୍ଲାସ୍ତରରେ କଣ୍ଟ୍ରୋଲ ରୁମ୍‌ଗୁଡ଼ିକ ସଠିକ୍‌ ଭାବେ କାର୍ଯ୍ୟ କରୁଛି ବୋଲି ସୁନିଶ୍ଚିତ କରିବାକୁ ପଡ଼ିବ ।

ମଇ ମାସ ପୂର୍ବରୁ ଜିଲ୍ଲା ଜରୁରୀକାଳୀନ ଅପରେସନ୍‌ ସେଣ୍ଟରଗୁଡ଼ିକରେ ଥିବା ଯନ୍ତ୍ରପାତିଗୁଡ଼ିକ ଠିକ୍‌ ଠାକ୍‌ ଅଛି କି ନାହିଁ ସେସବୁକୁ ତନଖି କରିବାକୁ ପଡ଼ିବ ବୋଲି ସ୍ୱତନ୍ତ୍ର ରିଲିଫ୍‌ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ଅତିରିକ୍ତ ରିଲିଫ୍‌ କମିଶନର ଓ ଯୁଗ୍ମ ରିଲିଫ୍‌ କମିଶନର ଉପସ୍ଥିତ ଥିଲେ ।