Home General ନବ ବାବୁଙ୍କ ପ୍ରତିମୂର୍ତ୍ତିକୁ ନେଇ ପ୍ରଶ୍ନବାଚୀ

ନବ ବାବୁଙ୍କ ପ୍ରତିମୂର୍ତ୍ତିକୁ ନେଇ ପ୍ରଶ୍ନବାଚୀ

ଭୁବନେଶ୍ୱର : ଅନୁଗୁଳରେ ପ୍ରଶାସନ ବସାଇଥିବା ନବକୃଷ୍ଣ ଚୌଧୁରୀଙ୍କ ବିକୃତ ପ୍ରତିମୂର୍ତ୍ତି ଘେନି ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ଏହି ଘଟଣାରେ ଆଳୁ ଖୋଳୁ ଖୋଳୁ ମହାଦେବ ମିଳିବା ଭଳି ଅନେକ ଅଡୁଆ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଛି । ଯେଉଁ ରାଜ୍ୟର ଶିଳ୍ପୀମାନେ ପୁରୀ, କୋଣାର୍କ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଉତ୍କୃଷ୍ଠ କଳାସ୍ଥାପତ୍ୟର ନମୂନା ରଖିଯାଇଛନ୍ତି ସେହି ଓଡ଼ିଶାର ଶିଳ୍ପୀମାନଙ୍କ ଦ୍ୱାରା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ନିର୍ମାଣ ନକରି ଅଣଓଡ଼ିଆମାନଙ୍କ ଦ୍ୱାରା ଏହା ପ୍ରସ୍ତୁତ କରାଯିବା ଯୋଗୁ ବିଭ୍ରାଟ ଉପୁଜିଛି ବୋଲି କୁହାଯାଉଛି ।

ଅନୁଗୁଳର ଗୋପବନ୍ଧୁ ପାର୍କରେ ନବକୃଷ୍ଣ ଚୌଧୁରୀଙ୍କ ସମେତ ମାଳତୀ ଦେବୀ, ହୃଷୀକେଶ ତ୍ରିପାଠୀ, ଗୌତମ ପ୍ରଧାନ, ବ୍ରଜସୁନ୍ଦର ଦାସ, ରଘୁନାଥ ନନ୍ଦ, ଦିବାକର ପ୍ରଧାନ, କୃତିବାସ ରଥ, ହୃଷୀକେଶ ପ୍ରଧାନ, ବିଛନ୍ଦ ଚରଣ ପ୍ରଧାନ, ପବିତ୍ର ମୋହନ ପ୍ରଧାନଙ୍କ ଭଳି ବିଶିଷ୍ଟ ବ୍ୟକ୍ତିମାନଙ୍କ ପ୍ରତିମୂର୍ତ୍ତି ବସାଯାଇଛି । ଏହି ପ୍ରତିମୂର୍ତ୍ତି ଗୁଡିକ ଓଡ଼ିଆ ସ୍ଥପତିମାନଙ୍କ ଦ୍ୱାରା ନିର୍ମାଣ କରାନଯାଇ ମରାଠୀ କାରୀଗରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି ।

କେବଳ ନବକୃଷ୍ଣ ଚୌଧୁରୀ ନୁହଁନ୍ତି ଅନ୍ୟ ବହୁ ସଂଗ୍ରାମୀଙ୍କ ଏହି ପ୍ରତିମୂର୍ତ୍ତିରେ ସୁଟ୍‍, ବୁଟ୍‍, କୋଟ୍‍ ଇତ୍ୟାଦି ପିନ୍ଧାଇ ବିକୃତ କରାଯାଇଥିବାବେଳେ ଅନେକଙ୍କ ମୁହଁ ବି ଠିକଣା ଭାବେ ପ୍ରସ୍ଫୁଟିତ ହୋଇନାହିଁ । ମାଳତୀ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ସମ୍ଭାନ୍ତ ମରାଠୀ ମହିଳାଙ୍କ ଭଳି ଶାଢୀ ପିନ୍ଧା ସ୍ଥାପତ୍ୟ ରହିଛି । ଏହି ସଂଗ୍ରାମୀମାନଙ୍କ ପ୍ରତିମୂର୍ତ୍ତିରେ ସରଳ ଜୀବନଯାପନର ଛାପ ଆଦୌ ନାହିଁ । ଏମିତିକି ଯେଉଁ ବିଶିଷ୍ଟ ବ୍ୟକ୍ତିମାନଙ୍କ ପ୍ରତିମୂର୍ତ୍ତି ବସିଛି ସେମାନଙ୍କ ପୁଅ ଝିଅ, ନାତି ନାତୁଣି ଓ ଅନ୍ୟ ସମ୍ପର୍କୀୟମାନେ ବି ଏହାକୁ ଚିହ୍ନି ପାରୁନାହାଁନ୍ତି ।

ପୂର୍ବରୁ ଭୁବନେଶ୍ୱରସ୍ଥିତ ରାଜ୍ୟ ସଂଗ୍ରହାଳୟରେ ଉନ୍ମୋଚିତ ହେବାକୁ ଥିବା ଗାନ୍ଧୀ ଗ୍ୟାଲେରୀ ଓ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶା ଗ୍ୟାଲେରୀରେ ଅନୁରୂପ ବିକୃତ ମୂର୍ତ୍ତି ଓ କଳାକୃତି ପ୍ରସ୍ତୁତ କରାଯାଇଥିବା ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରମୁଖ ଏହି ଗ୍ୟାଲେରୀ ପରିଦର୍ଶନ କରିବା ସହ ବିଶେଷଜ୍ଞମାନଙ୍କ ସଙ୍ଗେ ଆଲୋଚନା କରି ବିକୃତ ମୂର୍ତ୍ତି ଗୁଡିକୁ ବାଦ୍‍ ଦେବାପାଇଁ ନିର୍ଦ୍ଦେଶ ଦେବା ଫଳରେ ଏବେ ପୁଣିଥରେ ମୂର୍ତ୍ତି ନିର୍ମାଣ ଚାଲିଛି । ସଂଗ୍ରହାଳୟରେ ବି ଓଡ଼ିଶା ସ୍ଥପତିମାନଙ୍କ ଦ୍ୱାରା କାମ କରାନଯାଇ ଅନ୍ୟରାଜ୍ୟରୁ କଳାକାର ଡକାଇ ଏହି କାର୍ଯ୍ୟ କରାଯିବା ଫଳରେ ଅନେକ ତ୍ରୁଟିବିଚ୍ୟୁତି ଘଟିଛି ।

ଏବେ ସରକାରଙ୍କ ନିର୍ଦ୍ଦେଶ ମୁତାବକ ପୁଣିଥରେ ଓଡ଼ିଆ ଶିଳ୍ପୀ ଓ ସ୍ଥପତିମାନଙ୍କୁ ନେଇ କାମ ଆରମ୍ଭ ହୋଇଛି । ଏହି ଗ୍ୟାଲେରୀରେ ମହାତ୍ମା ଗାନ୍ଧୀ, ଉତ୍କଳ ଗୌରବ ମଧୁସୂଦନ, ଉତ୍କଳମଣି ଗୋପବନ୍ଧୁ, ମା’ ରମାଦେବୀ, ସହିଦ୍‍ ଲକ୍ଷ୍ମଣ ନାୟକ, ହରେକୃଷ୍ଣ ମହତାବ, ବକ୍ସି ଜଗବନ୍ଧୁ, ସୁରେନ୍ଦ୍ର ସାଏ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆଦିଙ୍କର ଯେଉଁ ମୂର୍ତ୍ତି ନିର୍ମିତ ହୋଇଥିଲା ତାହା ଉପରେ ବିଭିନ୍ନ ମହଲରୁ ଆପତ୍ତି ଉଠିଥିଲା । ତେଣୁ ଶେଷରେ କର୍ତ୍ତୃପକ୍ଷ ବାଧ୍ୟ ହୋଇ ପୁଣିଥରେ ଏଗୁଡିକର ପୁନଃନିର୍ମାଣ କରାଉଛନ୍ତି ।

ମହତ୍‍ ଉଦ୍ଦେଶ୍ୟ ନେଇ ଅନୁଗୁଳରେ ବିଶିଷ୍ଟ ବ୍ୟକ୍ତିମାନଙ୍କ ମୂର୍ତ୍ତି ଗୋପବନ୍ଧୁ ପାର୍କରେ ବସାଯାଇଥିଲା । ଏବେ ନବବାବୁଙ୍କ ମୂର୍ତ୍ତିରେ ସଂଶୋଧନ ଆଣିବା ପାଇଁ କୁହାଯାଉଛି । ତେବେ ସଂଗ୍ରହାଳୟ ଭଳି ଅନୁଗୁଳରେ ବି ଏହି ତ୍ରୁଟିପୂର୍ଣ୍ଣ ମୂର୍ତ୍ତି ବଦଳରେ ସଠିକ୍‍ ପ୍ରତିମୂର୍ତ୍ତି ଦକ୍ଷ ଓଡିଆ ଶିଳ୍ପୀମାନଙ୍କ ଦ୍ୱାରା ନିର୍ମାଣ କରିବା ଏବଂ ଏଥିଲାଗି ଠିକଣା ଫଟୋଚିତ୍ର ସଂଗ୍ରହ ସହିତ ସେମାନଙ୍କ ପରିବାରବର୍ଗଙ୍କ ସହ ଆଲୋଚନା ସଙ୍ଗେ ସଙ୍ଗେ ଏକ ବିଶେଷଜ୍ଞ କମିଟି ଗଢିବା ପାଇଁ ଦାବି ହେଉଛି । ତ୍ରୁଟିପୂର୍ଣ୍ଣ ମୂର୍ତ୍ତି ଗୁଡିକର ମରାମତି କରାଗଲେ ତାହା ଅଳ୍ପ ଦିନରେ ଫାଟିଯିବା କିମ୍ବା ଅଧିକ ବିକୃତ ହେବାର ଆଶଙ୍କା ଅଛି ବୋଲି ଅଭିଜ୍ଞ ସ୍ଥପତିମାନେ ମତ ଦେଉଛନ୍ତି । (ତଥ୍ୟ)