ଭୁବନେଶ୍ୱର : ରାଜ୍ୟରେ ଅନାଦେୟ ବିଦ୍ୟୁତ୍ ଦେୟ ପରିମାଣ ୧୦ହଜାର କୋଟି ଟଙ୍କାକୁ ଟପିଥିବାବେଳେ ଏଥିରେ ସିଂହ ଭାଗ ହେଉଛି ଘରୋଇ ଉପଭୋକ୍ତାଙ୍କ ବାକିଆ ଅର୍ଥ । ଏହି ଅର୍ଥ କିଭଳି ଆଦାୟ ହେବ ତାହା ଏବେ ବିଜୁଳି କମ୍ପାନୀଗୁଡିକ ପାଇଁ ଚିନ୍ତାର କାରଣ ହେଲାଣି ।
ଶକ୍ତି ବିଭାଗର ସୂଚନା ଅନୁଯାୟୀ ରାଜ୍ୟର ଚାରିଟି ବିଦ୍ୟୁତ୍ ବିତରଣ ସଂସ୍ଥା ଅଧିନରେ ଥିବା ବିଭିନ୍ନ କିସମର ଗ୍ରାହକଙ୍କ ଉପରେ ମୋଟ୍ ୧୦,୨୨୬ କୋଟି ୭୩ଲକ୍ଷ ଟଙ୍କାର ବାକି ଗଡୁଛି । ଏଥି ମଧ୍ୟରେ ସିପିଡବ୍ଲୁଓଡିଏଲ୍ ଇଲାକାରେ ଥିବା ଉପଭୋକ୍ତାଙ୍କ ଉପରେ ସର୍ବାଧିକ ୪୫୭୮.୯୩ କୋଟି ଟଙ୍କା ବାକିଆ ରହିଥିବାବେଳେ ଟିପିସିଓଡିଏଲ ଉପଭୋକ୍ତାଙ୍କ ଉପରେ ୩୧୧୫.୧୭ କୋଟି, ଟିପିଏନଓଡିଏଲ୍ ଉପଭୋକ୍ତାଙ୍କ ଉପରେ ୧୭୮୨.୫୭ କୋଟି ଏବଂ ଟିପିଏସ୍ଓଡିଏଲ୍ ଉପଭୋକ୍ତାଙ୍କ ଉପରେ ୭୫୦ କୋଟି ଟଙ୍କାର ବକେୟା ରହିଛି ।
ତେବେ ୧୦ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଏହି ବାକିଆ ବିଜୁଳି ବିଲ୍ ମଧ୍ୟରୁ ଘରୋଇ ଉପଭୋକ୍ତାଙ୍କ ଉପରେ ପ୍ରାୟ ୭୮୭୩ କୋଟି ଟଙ୍କା ରହିଛି । ଏ କ୍ଷେତ୍ରରେ ଟିପିଡବ୍ଲୁଓଡିଏଲ୍ ସବୁଠାରୁ ଆଗରେ ରହିଛି । ଏହି ବିତରଣ ସଂସ୍ଥା ଅଧିନରେ ଥିବା ଘରୋଇ ଗ୍ରାହକଙ୍କ ଉପରେ ୩୬୫୦ କୋଟି ଟଙ୍କା ବାକିଆ ଗଡୁଥିବାବେଳେ ଟିପିସିଓଡିଏଲ୍ ଘରୋଇ ଗ୍ରାହକଙ୍କ ଉପରେ ୨୨୩୧.୪୪ କୋଟି, ଟିପିଏନଓଡିଏଲ ଇଲାକାରେ ଥିବା ଘରୋଇ ଗ୍ରାହକଙ୍କ ଉପରେ ପାଖାପାଖି ୧୩୦୦ କୋଟି ଏବଂ ଟିପିଏସଓଡିଏଲ୍ର ଘରୋଇ ଗ୍ରାହକଙ୍କ ଉପରେ ସବୁଠାରୁ କମ୍ ୬୯୩ କୋଟି ଟଙ୍କା ରହିଛି ।
ତେବେ ଏହି ଚାରିଟି ବିତରଣ କମ୍ପାନୀ ଅଧିନରେ ଥିବା ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକ ପାଖାପାଖି ୧୦୦୦ କୋଟି ଟଙ୍କା ବାକି ରଖିଥିବାବେଳେ ଶିଳ୍ପସଂସ୍ଥାମାନେ ୩୮୬ କୋଟି ଟଙ୍କା ବାକି ରଖିଛନ୍ତି । ଏହାବାଦ୍ ଜଳସେଚନ, ପଞ୍ଚାୟତ ଓ ଅନ୍ୟାନ୍ୟ ସଂସ୍ଥା ଉପରେ ବିଜୁଳି ବିଲ୍ ବାକି ରହିଛି । ତେବେ ଏହି ବାକି ପରିମାଣ ତୁଳନାତ୍ମକ ଭାବେ ଅନ୍ୟ ଠାରୁ କମ୍ ରହିଛି ।
ବର୍ତ୍ତମାନ ବାକିଆ ବିଲ୍ ଆଦାୟ କରିବା କର୍ତ୍ତୃପକ୍ଷ ପାଇଁ ଆହ୍ୱାନ ହୋଇଥିବାବେଳେ ବନ୍ଦ ହୋଇଯାଇଥିବା କିଛି କଳା କାରଖାନା ଉପରେ ଶହ ଶହ କୋଟି ଟଙ୍କା ବାକିଆ ଆକାରରେ ଗଡୁଛି । ବିଦ୍ୟୁତ୍ ବିତରଣ କମ୍ପାନୀମାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ମୋଟ୍ ୧୪,୦୫୩ଟି ଶିଳ୍ପସଂସ୍ଥା ଅଚଳ ଅବସ୍ଥାରେ ଥିବାବେଳେ ଏମାନଙ୍କ ଉପରେ ୬୨୭ କୋଟି ଟଙ୍କାର ବିଦ୍ୟୁତ୍ ବିଲ୍ ବାକିଆ ରହିଛି ।
ସେହିଭଳି ବହୁ ଘରୋଇ ଉପଭୋକ୍ତା ବିଦ୍ୟୁତ୍ ବିଲ୍ ଟାଳିବାପାଇଁ ଅଦାଲତର ଆଶ୍ରୟ ନେଉଥିବାରୁ ସେମାନଙ୍କ ଠାରୁ ବି ଅର୍ଥ ଆଦାୟ ସହଜ ହେଉନାହିଁ । ବର୍ତ୍ତମାନ ରାଜ୍ୟରେ ବିତରଣ ଦାୟିତ୍ୱ ନେଇଥିବା ନୂଆ କମ୍ପାନୀ ପୁରୁଣା ବାକିଆ ଆଦାୟ ନେଇ କେତେକ ସ୍ଥାନରେ ବିବାଦ ଦେଖା ଦେଇଥିବାରୁ ସେହି ମଉକାରେ ବାକି ରଖିଥିବା ଉପଭୋକ୍ତାମାନେ ବି ଅର୍ଥ ପଇଠ କରୁନାହାନ୍ତି । ଫଳରେ ଏତେ ବିପୁଳ ପରିମାଣର ବାକି କିଭଳି ଆଦାୟ ହେବ ତାହା ଚିନ୍ତାର କାରଣ ପାଲଟିଛି । (ତଥ୍ୟ)