ଭୁବନେଶ୍ୱର : ୨୦୨୩-୨୪ ଆର୍ଥିକ ବର୍ଷର ବ୍ୟୟମଞ୍ଜୁରୀ ବିଲ୍ ପାରିତ ସହିତ ୪ଟି କାର୍ଯ୍ୟଦିବସ ପୂର୍ବରୁ ଆଜି ବିଧାନସଭାର ବଜେଟ୍ ଅଧିବେଶନ ସମାପ୍ତ ହୋଇଛି । ଫେବୃୟାରୀ ୨୧ ତାରିଖରୁ ଦୁଇଟି ପର୍ଯ୍ୟାୟରେ ଆରମଭ ହୋଇଥିବା ବଜେଟ୍ ଅଧିବେଶନ ଏପ୍ରିଲ୍ ୬ ତାରିଖ ପର୍ଯ୍ୟନ୍ତ ଚାଲିବା ପାଇଁ ପୂର୍ବରୁ ସ୍ଥିରୀକୃତ ହୋଇଥିଲା ।
ମୋଟ୍ ୨୩ ଦିନ ବସିଥିବା ଏହି ଅଧିବେଶନ କାଳରେ ୬ଜଣ ଦିବଙ୍ଗତ ସଦସ୍ୟଙ୍କ ପାଇଁ ଗୃହରେ ଶୋକ ପାଳନ କରାଯାଇଥିଲା । ଏହି ଅଧିବେଶନ କାଳରେ ସଦସ୍ୟମାନେ ୨୨୬୯ଟି ତାରକା ପ୍ରଶ୍ନ ପଚାରିଥିବାବେଳେ ସେଥି ମଧ୍ୟରୁ ୬୦ଟିର ଆଲୋଚନା ହୋଇଥିଲା । ସେହିଭଳି ୩୭୪୮ଟି ଅଣତାରକା ପ୍ରଶ୍ନର ଉତ୍ତର ବିଭାଗୀୟ ମନ୍ତ୍ରୀମାନେ ପ୍ରଦାନ କରିଥିଲେ ।
ଦୁଇ ପର୍ଯ୍ୟାୟ ଅଧିବେଶନ କାଳରେ ୧୨ଟି ମୁଲତବି ପ୍ରସ୍ତାବ ନୋଟିସ ଦିଆଯାଇଥିବାବେଳେ ସେଥିରୁ ୯ଟି ଉପରେ ଆଲୋଚନା ହୋଇଥିଲା । ୨୨ଟି କାଗଜ ଉପସ୍ଥାପନ ହୋଇଥିବାବେଳେ ୧୨ଟି ବାର୍ଷିକ ରିପୋର୍ଟ ଗୃହରେ ଉପସ୍ଥାପିତ ହୋଇଥିଲା ।
ଏହି ସମୟରେ ୪୨ଟି କମିଟି ରିପୋର୍ଟ ଉପସ୍ଥାପନ ହୋଇଥିବାବେଳେ ୬ଟି ବିବୃତ୍ତି ଦିଆଯାଇଥିଲା । ୬ଟି ସରକାରୀ ବିଲ୍ ଉପସ୍ଥାପନ ହୋଇଥିବାବେଳେ ସେଥିରୁ ଗୋଟିଏ ପାରିତ ହୋଇଥିଲା । ତିନିଟି ସିଏଜି ରିପୋର୍ଟ ଉପସ୍ଥାପନ ହୋଇଥିବାବେଳେ ୧୮ଟି ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହୋଇଥିଲା ଏବଂ ୨୫ଟି ବିଭାଗର ଖର୍ଚ୍ଚଦାବି ଗିଲୋଟିନ୍ ମାଧ୍ୟମରେ ପାରିତ ହୋଇଥିଲା । ଏହି ସମୟରେ ମାତ୍ର ଗୋଟିଏ ମୋସନ ଉପରେ ଆଲୋଚନା ହୋଇଥିଲା ।
ତେବେ ଅଧିବେଶନ କାଳରେ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର ସ୍ୱାଧିକାର ଭଙ୍ଗ ନୋଟିସ୍ ଦେଇଥିବା ଦେଖିବାକୁ ମିଳିଥିଲା । ଅଧିକାଂଶ ଦିନ ଶୂନ୍ୟକାଳରେ ବିରୋଧିଦଳ ନେତା ଜୟ ନାରାୟଣ ମିଶ୍ର ବିଭିନ୍ନ ପ୍ରସଙ୍ଗ ଜରିଆରେ ୫ଟି ଓ ମୋ ସରକାରକୁ ଟାର୍ଗେଟ କରୁଥିଲେ । ଏହାକୁ ନେଇ ଶାସକ ଦଳର ସଦସ୍ୟମାନେ ବିରୋଧିଦଳ ନେତାଙ୍କୁ ଲକ୍ଷ୍ୟକରି ବକ୍ତବ୍ୟମାନ ଦେଉଥିଲେ ।
ତେବେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପ୍ରସଙ୍ଗ ଅଧିବେଶନ କାଳରେ ଏକାଧିକ ବାର ଉଠୁଥିବାବେଳେ ମହାନଦୀ ଜଳ ବିବାଦ, ଧାନର ଅଭାବୀ ବିକ୍ରି, ରାଜ୍ୟରେ ଆଇନ୍ଶୃଙ୍ଖଳା, ସାର୍ଟିଫିକେଟ ଜାଲିଆତି, କୋଇଡା ବିଡିଓଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିରୋଧି ସଦସ୍ୟମାନେ ଗୃହ ମଧ୍ୟରେ ହଟଗୋଳ କରୁଥିଲେ ।
ଶାସକଦଳ ପକ୍ଷରୁ ମଧ୍ୟ ଚାଉଳ କାଟ୍, କେନ୍ଦ୍ରୀୟ ଅବହେଳା, ମହାନଦୀ ପ୍ରସଙ୍ଗ, ରେଳବାଇ କ୍ଷେତ୍ରକୁ ଅବହେଳା ଆଦି ପ୍ରସଙ୍ଗ ଉଠାଇ ଗୃହରେ ହଟଗୋଳ କରୁଥିବା ଦେଖିବାକୁ ମିଳିଥିଲା ।
ରାହୁଳ ଗାନ୍ଧୀଙ୍କ ସାଂସଦ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କିନ୍ତୁ କଂଗ୍ରେସର ପ୍ରତିବାଦ ଥିଲା ଭିନ୍ନ । ସମସ୍ତ ସଦସ୍ୟ ଗୋଟିଏ ଦିନ ସମ୍ପୂର୍ଣ୍ଣ କଳାରଙ୍ଗର ପୋଷାକ ପିନ୍ଧି ଗୃହକୁ ଆସି ପ୍ରତିବାଦ କରିଥିଲେ । ତାଙ୍କ ସହିତ ସିପିଆଇଏମ୍ ସଦସ୍ୟ ଲକ୍ଷ୍ମଣ ମୁଣ୍ଡା ମୁଣ୍ଡରେ କଳା ପଟି ବାନ୍ଧି ପ୍ରତିବାଦ କରୁଥିବା ଦେଖିବାକୁ ମିଳିଥିଲା ।
ଅଧିବେଶନର ଶେଷ ଦିନରେ ବିରୋଧି ସଦସ୍ୟମାନେ ଗୃହ ମଧ୍ୟଭାଗରେ ହଟଗୋଳ କରିଥିବାବେଳେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି ସିଧା ବାଚସ୍ପତିଙ୍କ ପୋଡିୟମ ଉପରେ ଚଢି ବସିଥିଲେ । ସିପିଆଇଏମ୍ ସଦସ୍ୟ ଲକ୍ଷ୍ମଣ ମୁଣ୍ଡା ବି କ୍ରୋଧିତ ହୋଇ ବାଚସ୍ପତିଙ୍କ ମାଇକ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଥିଲା ।