ଭୁବନେଶ୍ୱର : ଓଡ଼ିଶା ବିଜେପି ଓ କଂଗ୍ରେସ ସଂଗଠନରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ନକ୍ସା ତିଆରି ଚାଲିଛି ବୋଲି ଏହି ଦୁଇ ଦଳର ଅନେକ ନେତା କହୁଛନ୍ତି । ପ୍ରାୟ ବର୍ଷକ ତଳେ ପ୍ରଦେଶ କଂଗ୍ରେସର ନୂଆ ସଭାପତି ମନୋନୀତ ହୋଇଥିବାବେଳେ ଏବେ ବିଜେପିର ନୂଆ ରାଜ୍ୟ ଶାଖା ସଭାପତି ଦାୟିତ୍ୱ ଗ୍ରହଣ କରିଛନ୍ତି ।
କଂଗ୍ରେସ ହାଇକମାଣ୍ଡ ପ୍ରାୟ ବର୍ଷକ ତଳେ ନିରଞ୍ଜନ ପଟ୍ଟନାୟକଙ୍କ ସ୍ଥାନରେ ଶରତ ପଟ୍ଟନାୟକଙ୍କୁ ନୂଆ ପିସିସି ସଭାପତି ଭାବେ ନିଯୁକ୍ତି ଦେଇଥିଲେ । ତେବେ ବର୍ଷକ ଭିତରେ ପ୍ରଦେଶରୁ ପଞ୍ଚାୟତ ପର୍ଯ୍ୟନ୍ତ କଂଗ୍ରେସର ସାଙ୍ଗଠନିକ କ୍ଷେତ୍ରରେ କର୍ମକର୍ତ୍ତା ଅଦଳବଦଳ ହୋଇନାହିଁ । ନିରଞ୍ଜନ ପଟ୍ଟନାୟକଙ୍କ ସମୟରେ ଯେଉଁମାନେ ବିଭିନ୍ନ ଶାଖା ଓ ଅଞ୍ଚଳର ସଂଗଠନ ଦାୟିତ୍ୱରେ ଥିଲେ ସେମାନେ ସେହି ପଦବୀରେ ରହିବେ କିମ୍ବା ସେମାନଙ୍କ ସ୍ଥାନରେ ଆଉ କାହାକୁ ନୂତନ ନିଯୁକ୍ତି ଦିଆଯିବ ସେ ପ୍ରସଙ୍ଗ ଏଯାବତ୍ ସ୍ପଷ୍ଟ ହୋଇ ନଥିବାବେଳେ ଆଗକୁ ନିର୍ବାଚନ ଆସୁଥିବାରୁ ଖୁବ୍ଶୀଘ୍ର କେନ୍ଦ୍ରୀୟ କର୍ତ୍ତୃପକ୍ଷଙ୍କ ଅନୁମୋଦନ କ୍ରମେ ଶରତ ପଟ୍ଟନାୟକଙ୍କ ନୂଆ ଟିମ୍ ଗଢାଯିବ ବୋଲି ଶୁଣିବାକୁ ମିଳୁଛି ।
ସେହିଭଳି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ କାର୍ଯ୍ୟକାଳ ପୁରିଯିବା ପରେ ଦୀର୍ଘଦିନ ଧରି ନୂଆ ରାଜ୍ୟ ସଭାପତି ନିର୍ବାଚନ ହୋଇନାହିଁ । କାର୍ଯ୍ୟକାଳ ପୁରିଯିବା ପରେ ତାଙ୍କୁ ଏହି ପଦବୀରେ କାର୍ଯ୍ୟ କରିବାକୁ ବିଜେପିର କେନ୍ଦ୍ର ନେତୃତ୍ୱ ସୁଯୋଗ ଦେଇଥିଲେ । ତେବେ ନିକଟରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କୁ ଓଡ଼ିଶା ଶାଖା ବିଜେପିର ନୂଆ ସଭାପତି ଭାବେ ଦଳର କେନ୍ଦ୍ରୀୟ କର୍ତ୍ତୃପକ୍ଷ ନିଯୁକ୍ତ କରିଛନ୍ତି । ତାଙ୍କ ନେତୃତ୍ୱରେ ବିଜେପି ଝାରସଗୁଡା ଉପନିର୍ବାଚନ ଓ ପରେ ପରେ ୨୦୨୪ର ବିଧାନସଭା ଓ ଲୋକସଭା ନିର୍ବାଚନ ଓଡ଼ିଶାରେ ଲଢିବାକୁ ଯାଉଛି ।
ମନମୋହନ ରାଜ୍ୟ ବିଜେପିର ସଭାପତି ହେବାପରେ ତାଙ୍କ ଟିମ୍ ରାଜ୍ୟ ଓ କ୍ଷେତ୍ର ସ୍ତରରେ କେଉଁମାନେ କି ପ୍ରକାର ଦାୟିତ୍ୱରେ ରହିବେ ଓ ଛାମୁଆଁ ସଂଗଠନ ଗୁଡିକରେ କିପରି ଅଦଳବଦଳ ହେବ ସେ ପ୍ରସଙ୍ଗରେ ବିଜେପି କ୍ୟାଡ଼ରମାନଙ୍କ ଭିତରେ ଜୋରଦାର ଆଲୋଚନା ହେଉଛି । ତେବେ ବିଜେପି ଏକ କେନ୍ଦ୍ରୀୟ ଦଳ ହୋଇଥିବାରୁ ଏବଂ ରାଜ୍ୟ ସଙ୍ଗଠନ ପରିଚାଳନାରେ ଦଳର ପ୍ରଭାବୀ, କେନ୍ଦ୍ରମନ୍ତ୍ରୀ ଓ ଅନ୍ୟକେତେକ ନେତାଙ୍କର ପ୍ରମୁଖ ଭୂମିକା ରହୁଥିବା ଦୃଷ୍ଟିରୁ ଖୁବ୍ଶୀଘ୍ର ବିଚାରବିମର୍ଷ ପରେ ବିଜେପି ତାହାର ନୂଆ ଟିମ୍ ଗଠନ କରିପାରେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ଆଶା କରୁଛନ୍ତି ।
ଅନ୍ୟପକ୍ଷରେ ଓଡ଼ିଶାରେ ୨୩ବର୍ଷ ଧରି ଶାସନ କ୍ଷମତାରେ ରହି ଆସିଥିବା ଆଞ୍ଚଳିକ ଦଳ ବିଜେଡିର ସଭାପତି ଭାବେ ନବୀନ ପଟ୍ଟନାୟକ ୨୫ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି କାର୍ଯ୍ୟ କରୁଛନ୍ତି । ବିଭିନ୍ନ ସମୟରେ ସେ ରାଜ୍ୟ ଓ କ୍ଷେତ୍ର ସଙ୍ଗଠନ ଗୁଡିକରେ ନୂଆ ନୂଆ ଚେହେରାମାନଙ୍କୁ ସୁଯୋଗ ଦେଉଛନ୍ତି । ଏବେ କିଛିଦିନ ଧରି ଦଳର ବିଭିନ୍ନ ଛାମୁଆ ସଙ୍ଗଠନ ଗୁଡିକର ରାଜ୍ୟ ଓ କ୍ଷେତ୍ର ଶାଖା ଗୁଡିକରେ ଅନେକ ନୂଆ ନୂଆ କାର୍ଯ୍ୟକର୍ତ୍ତାଙ୍କୁ ନିଯୁକ୍ତି ଦିଆଚାଲିଛି । ବିଜେଡି ଝାରସୁଗୁଡା ଉପନିର୍ବାଚନ ସମେତ ୨୦୨୪ର ସାଧାରଣ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ପ୍ରସ୍ତୁତି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ଇତି ମଧ୍ୟରେ ବିଜେଡି ବିଭିନ୍ନ ଜିଲ୍ଲା ପାଇଁ ସ୍ୱତନ୍ତ୍ର ପ୍ରଭାରୀଙ୍କୁ ଦାୟିତ୍ୱ ଦେଇଛି । ଏହାଛଡା ବିଭିନ୍ନ ବ୍ଲକ ଓ ପୌରସଂସ୍ଥା ଲାଗି ମଧ୍ୟ ବିଜେଡିର ପ୍ରଭାରୀମାନେ ପୁରା ଦମ୍ରେ କାମ କରୁଛନ୍ତି ।
ଏଥର ନିର୍ବାଚନରେ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ଲୋକସଭା ଓ ବିଧାନସଭା ପାଇଁ କେତେକ ସ୍ଥାନରେ ନୂଆ ପ୍ରାର୍ଥୀ ଦେବାର ସମ୍ଭାବନା ଥିବାରୁ କିଛି ସାଂସଦ ଓ ବିଧାୟକ ଦଳୀୟ ଟିକଟ ପାଇବା ସୁଯୋଗରୁ ବଞ୍ଚିତ ହୋଇପାରନ୍ତି । ନିଜ ରାଜନୈତିକ ଭବିଷ୍ୟତକୁ ଆଖି ଆଗରେ ରଖି ଏଥିପାଇଁ ଏବେଠାରୁ କେତେକ ଅନ୍ୟଦଳ ସହ ଯୋଗାଯୋଗରେ ଥିବା ଜଣାପଡିଛି । ବିଶେଷ କରି ପ୍ରାର୍ଥୀ ଚୟନ କ୍ଷେତ୍ରରେ ବିଜେଡି, ବିଜେପି ଓ କଂଗ୍ରେସର ସଭାପତିମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଆସୁଥିବାରୁ ବିଜେପି ଓ କଂଗ୍ରେସର ନୂଆ ସଭାପତିଙ୍କ ଟିମ୍ ଉପରେ ସମସ୍ତଙ୍କ ନଜର । (ତଥ୍ୟ)